ଲକ୍ ଡାଉନ ମାନୁନାହାନ୍ତି ୧୦ ପ୍ରତିଶତ
ଲକ୍ ଡାଉନ ମାନୁନାହାନ୍ତି ୧୦ ପ୍ରତିଶତ
admin
Mar 31, 2020 - 11:37
Updated: Mar 31, 2020 - 11:37
ଭୁବନେଶ୍ୱର: ରାଜ୍ୟର ୯୦ ପ୍ରତିଶତ ଲୋକ ଲକଡାଉନ ନିଷ୍ପତ୍ତିକୁ ସମ୍ମାନ ଦେଉଛନ୍ତି । ମାତ୍ର ୧୦ ପ୍ରତିଶତ ଏହାକୁ ମାନୁନାହାନ୍ତି । ଘଟଣାର ଗୁରୁତ୍ୱକୁ ସେମାନେ ବୁଝିବାକୁ ଚେଷ୍ଟା କରୁନାହାନ୍ତି । ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ମୁଖ୍ୟମନ୍ତ୍ରୀ ପୁଲିସକୁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି କୋଭିଡ-୧୯ ପାଇଁ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ।
ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବାଗଚୀ କହିଲେ ଯେ ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡ ୧୯ ହସ୍ପିଟାଲ ପ୍ରତିଷ୍ଠାକୁ ଦେଶବ୍ୟାପୀ ପ୍ରଶଂସା ମିଳିଛି । ଏହି ହସ୍ପିଟାଲରେ ରୋଗୀଙ୍କ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । କୋଭିଡ-୧୯ ହସ୍ପିଟାଲ ନିର୍ମାଣ ଲାଗି ରାଜ୍ୟ ସରକାର ବିଭିନ୍ନ ବେସରକାରୀ ସଂସ୍ଥା ସହ ଚୁକ୍ତି କରିଛନ୍ତି । ସେଠାରେ ସଂକ୍ରମିତ ବ୍ୟକ୍ତିଙ୍କ ଚିକିତ୍ସା, ଖାଇବା ଓ ରହିବା ଖର୍ଚ୍ଚ ମଧ୍ୟ ରାଜ୍ୟ ସରକାର ବହନ କରିବେ । ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଟଙ୍କା ପଇସା ପାଇଁ ଆଦୌ ଚିନ୍ତିତ ହୁଅନ୍ତୁ ନାହିଁ । ବରଂ ଦୃଢ଼ ମନୋବଳ ସହ କରୋନା ମୁକାବିଲା କରିବାର ଆବଶ୍ୟକତା ରହିଛି ।
କରୋନା ପାଇଁ ରାଜ୍ୟ ବାହାରେ ଅନେକ ଓଡ଼ିଆ ବିଭିନ୍ନ ପ୍ରାନ୍ତରେ ଅଟକି ରହିଛନ୍ତି ବୋଲି ସୂଚନା ଦେଇ ଶ୍ରୀ ବାଗଚୀ କହିଲେ, ସେ ସବୁ ଲୋକମାନଙ୍କ ସାହାଯ୍ୟ ପାଇଁ ରାଜଧାନୀରେ ୨୦ ଲାଇନ ବିଶିଷ୍ଟ କଣ୍ଟ୍ରୋଲ ରୁମ୍ ଗଠନ କରାଯାଇଛି ।