ଶିବସେନା ବିବାଦ ମାମଲା : କଙ୍ଗନାଙ୍କୁ ୱାଇ ସୁରକ୍ଷା ସେବା!
ଶିବସେନା ବିବାଦ ମାମଲା : କଙ୍ଗନାଙ୍କୁ ୱାଇ ସୁରକ୍ଷା ସେବା!
admin
Sep 7, 2020 - 06:45
Updated: Sep 7, 2020 - 06:45
ମୁମ୍ବାଇ : ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ୱାଇ ସୁରକ୍ଷା ସେବା ମିଳିଥିବା ସୂଚନା ରହିଛି । ଏନେଇ ସରକାରଙ୍କ ପକ୍ଷରୁ କୌଣସି ସୂଚନା ପ୍ରଦାନ କରାଯାଇ ନଥିଲେ ମଧ୍ୟ ଏକ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ଏହି ଖବରକୁ ଟ୍ୱିଟ କରାଯାଇଛି । ଉକ୍ତ ଟ୍ୱିଟ ଉପରେ କଙ୍ଗନା ରଣାୱତଙ୍କ ଟ୍ୱିଟ୍ଟର ହ୍ୟାଣ୍ଡେଲରୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି । ଦେଶର ଜଣେ ଝିଅର କଥାର ମାନ ରକ୍ଷା କରିବା ପାଇଁ ତାଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ପାଇଁ ମୁଁ ତାଙ୍କ ନିକଟରେ କୃତଜ୍ଞ ବୋଲି କଙ୍ଗନା ଟ୍ୱିଟ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ କଙ୍ଗନା ମୁମ୍ବାଇ ପୋଲିସକୁ ସମାଲୋଚନା କରିଥିବା ବେଳେ ଏହାକୁ ନେଇ ଶିବସେନା ଏବଂ କଙ୍ଗନାଙ୍କ ମଧ୍ୟରେ ବାକଯୁଦ୍ଧ ଆରମ୍ଭ ହୋଇଥିଲା ।
ଏହାପରେ କଙ୍ଗନା ମୁମ୍ବାଇକୁ ପାକ ଅଧିକୃତ କାଶ୍ମୀର ସହିତ ତୁଳନା କରିଥିବା ବେଳେ ସଞ୍ଜୟ ରାଉତ କ୍ୟାମେରା ସମ୍ମୁଖରେ କଙ୍ଗନାଙ୍କ ଅଶ୍ରାବ୍ୟ ଭାଷାରେ ଗାଳି କରିଥିଲେ । ଏହାପରେ ମୁମ୍ବାଇରେ କଙ୍ଗନାଙ୍କୁ ରହିବାକୁ ଦିଆଯିବ ନାହିଁ ବୋଲି ରାଉତ ଟ୍ୱିଟ କରିଥିଲେ । ତେବେ ସେ ୯ ତାରିଖରେ ମୁମ୍ବାଇ ଫେରୁଥିବା ନେଇ ଟ୍ୱିଟ କରିବା ସହିତ ଗୃହ ମନ୍ତ୍ରାଳୟ ନିକଟରେ ସୁରକ୍ଷା ଆବେଦନ କରିଥିଲେ । ୱାଇ ସୁରକ୍ଷା ସେବାରେ କଙ୍ଗନାଙ୍କୁ ଜଣେ ପିଏସଓଙ୍କ ସହିତ ୧୧ ଜଣ ସୁରକ୍ଷା କର୍ମୀ ପ୍ରଦାନ କରାଯିବ ଯାହା ମଧ୍ୟରେ କମାଣ୍ଡୋ ମଧ୍ୟ ରହିଥାନ୍ତି ।