ଶ୍ରୀମନ୍ଦିରରେ ଠିକାଦାରଙ୍କ ପ୍ରବେଶକୁ ନେଇ ଏତଲା

ଶ୍ରୀମନ୍ଦିରରେ ଠିକାଦାରଙ୍କ ପ୍ରବେଶକୁ ନେଇ ଏତଲା

ଶ୍ରୀମନ୍ଦିରରେ ଠିକାଦାରଙ୍କ ପ୍ରବେଶକୁ ନେଇ ଏତଲା
ପୁରୀ: ଅକ୍ଷୟ ତୃତୀୟା ଦିନ ଭୁବନେଶ୍ୱର ବିବାଦୀୟ ଠିକାଦାର ଦିଲ୍ଲୀପ ଖଟେଇ ଶ୍ରୀମନ୍ଦିରରେ ପ୍ରବେଶକୁ ନେଇ ଅସନ୍ତୋଷ ପ୍ରକାଶ ପାଉଛି । ଭୁବନେଶ୍ୱର କରୋନା ହଟସ୍ପଟ ହୋଇଥିବା ବେଳେ ଶ୍ରୀ ଖଟେଇଙ୍କ କରୋନା ପରୀକ୍ଷା କରା ନ ଯାଇ ଶ୍ରୀମନ୍ଦିରକୁ କିଭଳି ପ୍ରବେଶ କରାଗଲା ତାହା ନେଇ ପୁରୀର ସଚେତନ ନାଗରିକ ମଞ୍ଚ ପ୍ରଶ୍ନ ଉଠାଇଛି । ଏହାର ତଦନ୍ତ ଦାବି ସହିତ ଠିକାଦାରଙ୍କ ନାମରେ ସଚେତନ ନାଗରିକ ମଞ୍ଚର ସଭାପତି ପ୍ରସନ୍ନ ଦାଶ ସିଂହଦ୍ୱାର ଥାନାରେ ଏତଲା ଦେଇଛନ୍ତି । ବିନା କରୋନା ପରୀକ୍ଷାରେ ଠିକାଦାର ଓ ତାଙ୍କ ସହଯୋଗୀଙ୍କୁ କେଉଁ ପରିସ୍ଥିତିରେ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଦିଆଗଲା ତାର ତଦନ୍ତ କରିବାକୁ ସେ ଦାବି କରିଛନ୍ତି । ଏହା ସହ ଠିକାଦାର ଶ୍ରୀ ଖଟେଇ ଲକଡାଉନ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି । ତେବେ ଠିକାଦାର ଶ୍ରୀମନ୍ଦିର ପରିସରରେ କିଛି ନିର୍ମାଣ କାମ ଅନୁଧ୍ୟାନ କରିବାକୁ ଯାଇଥିବା ଜଣାପଡ଼ିଛି । କିଛି ନିର୍ମାଣ କାମରେ ଠିକାଦାର ଶ୍ରୀ ଖଟେଇ ନିଯୁକ୍ତି ଥିବାରୁ ସେ ଅକ୍ଷୟ ତୃତୀୟା ଦିନ ଶ୍ରୀମନ୍ଦିର ଭିତରକୁ ଯାଇଥିଲେ ବୋଲି ଜଣାପଡ଼ିଛି । ତେବେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ ପୂର୍ବରୁ ତାଙ୍କର ଥର୍ମାଲ ସ୍କାନିଂ ହୋଇନଥିଲା । ଏପରିକି କାମରେ ନିୟୋଜିତ ୪ ଜଣ ଶ୍ରମିକଙ୍କ ମଧ୍ୟ ସ୍ୱାସ୍ଥ୍ୟ ପରୀକ୍ଷା ହୋଇନଥିବା ଜଣାପଡ଼ିଛି । ଏହି ଘଟଣାକୁ ନେଇ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ ମଧ୍ୟ ନିନ୍ଦା କରିଛନ୍ତି । ସେ କହିଛନ୍ତି ଏଭଳି ହେବା କଥା ନୁହେଁ, ବିନା ପରୀକ୍ଷାରେ ଯିବା ଅନୁଚିତ । ଏହାର ତଦନ୍ତ କରିବାକୁ ସେ କହିଛନ୍ତି ।