ସବୁ ଅଭିଯୋଗ ମିଛ:ଅଶ୍ୱିନୀ
ସବୁ ଅଭିଯୋଗ ମିଛ:ଅଶ୍ୱିନୀ
admin
Jun 26, 2019 - 07:50
Updated: Jun 26, 2019 - 07:50
ଭୁବନେଶ୍ୱର: ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ନେଇ ଏବେ ଓଡ଼ିଶା ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି । ବିଜେପିର ପ୍ରାର୍ଥୀଙ୍କୁ ବିଜେଡିର ସମର୍ଥନ ନେଇ ଓଡ଼ିଶା ରାଜନୀତି ଏବେ ପୁରା ସରଗରମ ହୋଇପଡ଼ିଛି । ବିଭିନ୍ନ ଦୁର୍ନୀତିରେ ସାମିଲ ଥିବା ଅଭିଯୋଗ କରି ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡି ସମର୍ଥନ କରିବା ନେଇ କଂଗ୍ରେସ ଆଜି ଷୋଡ଼ଶ ବିଧାନସଭାର ଦ୍ୱିତୀୟ ଦିନରେ ହୋହଲ୍ଲା କରିଛି । ତେବେ ଏହା ପରେ ଆଜି ପ୍ରଥମ ଥର ପାଇଁ ଅଶ୍ୱିନୀ ବୈଷ୍ଣବ ମୁହଁ ଖୋଲିଛନ୍ତି । ନିର୍ବାଚନ ପ୍ରକି୍ରୟା ଶେଷ ହୋଇଯାଉ । ଏହା ପରେ ସବୁ କହିବି ବୋଲି ସେ କହିଛନ୍ତି । ଖଣି ଦୁର୍ନୀତିରେ ସମ୍ପୃକ୍ତି ନେଇ କଂଗ୍ରେସର ଅଭିଯୋଗ ଉପରେ ନିଜ ପ୍ରତିକ୍ରିୟା ରଖି ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, କଂଗ୍ରେସ ପକ୍ଷରୁ ଯାହା ଅଭିଯୋଗ କରାଯାଇଛି ତାହା ସବୁ ମିଛ । ଅଭିଯୋଗ ଯାହା କରୁଛନ୍ତି ତାହାର ତଦନ୍ତ କରାଯାଉ । ଯଦି ଅଭିଯୋଗ ସତ ଥାଆନ୍ତା ତେବେ ତଦନ୍ତ ପାଇଁ କହିଥାନ୍ତି କି ବୋଲି ଅଶ୍ୱିନୀ ବୈଷ୍ଣବ ପାଲଟା ପ୍ରଶ୍ନ କରିଛନ୍ତି ।
ପ୍ରକାଶ ଯେ, ଆଜି ଶୂନକାଳରେ କଂଗ୍ରେସ ବିଧାୟକ ଦଳ ନେତା ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଖୁବ ବର୍ଷିଥିଲେ । ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡିର ସମର୍ଥନ ନେଇ ଶ୍ରୀ ମିଶ୍ର ବର୍ଷିବା ସହ କହିଥିଲେ ଯେ, ଇଚ୍ଛାଧୀନ କୋଟା କେଳେଙ୍କାରୀରେ ଅଶ୍ୱିନୀଙ୍କ ନାଁ ଅଛି । ତାରା ଦତ୍ତ କମିଟି ରିପୋର୍ଟରେ ସ୍ପଷ୍ଟଭାବେ ଅଶ୍ୱିନୀଙ୍କ ନାଁ ଉଲ୍ଲେଖ ରହିଛି । ଖଣି ମାଫିଆଙ୍କ ସହ ବି ଅଶ୍ୱିନୀଙ୍କ ସମ୍ପର୍କ ଅଛି । କେଉଁ ପରିସ୍ଥିତିରେ ବିଜେଡି ତାଙ୍କୁ ସମର୍ଥନ କଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାହାର ବିବୃତ୍ତି ଦିଅନ୍ତୁ ବୋଲି ଶ୍ରୀ ମିଶ୍ର ଦାବି କରିଥିଲେ । ଏପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ବିବୃତ୍ତି ଦେବାକୁ ବାଚସ୍ପତି ନିଦେ୍ର୍ଧଶ ଦିଅନ୍ତୁ ବୋଲି ଶ୍ରୀ ମିଶ୍ର ଦାବି କରିଥିଲେ ।