ସାଢେ ଚାରି ମାସ ପରେ ଆକାଶପଥ ଖୋଲିଲା ପାକିସ୍ତାନ
ସାଢେ ଚାରି ମାସ ପରେ ଆକାଶପଥ ଖୋଲିଲା ପାକିସ୍ତାନ
admin
Jul 16, 2019 - 09:07
Updated: Jul 16, 2019 - 09:07
ନୂଆଦିଲ୍ଲୀ: ପାକିସ୍ତାନ ବାଲାକୋଟ୍ ଏୟାର ଷ୍ଟ୍ରାଇକର ପ୍ରାୟ ସାଢେ ଚାରି ମାସ ପରେ ସୋମବାର ବିଳମ୍ବିତ ରାତ୍ରିରେ ନିଜର ଆକାଶ ପଥ ଖୋଲି ଦେଇଛି। ପାକିସ୍ତାନର ଏହି ନିର୍ଣ୍ଣୟ ପରେ ଏବେ ଭାରତୀୟ ଯାତ୍ରୀବାହୀ ବିମାନ ପାକିସ୍ତାନର ଆକାଶ ପଥ ଦେଇ ଯାତ୍ରା କରି ପାରିବେ। ଏଥିରେ ଭାରତୀୟ ଏୟାରଲାଇନକୁ ବହୁତ ଫାଇଦା ହେବ। ଏ ପର୍ୟ୍ୟନ୍ତ ଭାରତୀୟ ବିମାନଗୁଡିକୁ ଅନ୍ୟ ରାସ୍ତା ଦେଇ ଯାତ୍ରା କରିବାକୁ ପଡ଼ୁଥିଲା। ମାତ୍ର ଏବେ ୟୁରୋପର ଅନେକ ଦେଶକୁ ଯାତ୍ରା ପାଇଁ ବିମାନକୁ ଆଉ ଅନ୍ୟ ରାସ୍ତା ଦେଇ ଯିବାକୁ ପଡିବ ନାହିଁ।
ପାକିସ୍ତାନର ବିମାନ ଚଳାଚଳ ପ୍ରାଧୀକରଣ ସୋମବାର ରାତି ୧୨ଟା ୪୧ ମିନିଟରେ ନୋଟିସ୍ ଜାରି କରି ନିଜର ଆକାଶ ମାର୍ଗ ଖୋଲିବାର ସୂଚନା ଦେଇଥିଲା। ନୋଟିସରେ ପାକ୍ ବିମାଚ ଚଳାଚଳ ପ୍ରାଧିକରଣ କହିଛି ଯେ, ପାକିସ୍ତାନର ଆକାଶ ମାର୍ଗ ତତ୍କାଳ ପ୍ରଭାବରୁ ଭାରତର ସମସ୍ତ ଯାତ୍ରୀବାହୀ ବିମାନ ପାଇଁ ଖୋଲି ଦିଆଯାଉଛି। ପାକିସ୍ତାନ ବହୁତ ମହତ୍ଵପୂର୍ଣ୍ଣ ଏଭିଏସନ କରିଡର ମଧ୍ୟରେ ଆସିଥାଏ। ପଶ୍ଚିମ ଦିଗକୁ ଯାଉଥିବା ଅନେକ ବିମାନ ଏହି ରାସ୍ତା ଦେଇ ଯିବାକୁ ପଡ଼ିଥାଏ। ଏଥିରେ ଶତାଧିକ ସଂଖ୍ୟାରେ ଯାତ୍ରୀ ଓ ମାଲବାହକ ବିମାନ ପାକିସ୍ତାନ ଉପର ଦେଇ ଯାତ୍ରା କରିଥାନ୍ତି।
ପାକିସ୍ତାନ ପକ୍ଷରୁ ଆକାଶପଥ ବନ୍ଦ କରାଯିବା ଫଳରେ ଭାରତୀୟ ବିମାନଗୁଡିକୁକୁ ୟୁରୋପୀୟ ଦେଶକୁ ଯିବାକୁ ହେଲେ ଅନ୍ୟ ମାର୍ଗ ଦେଇ ବୁଲି ଯିବାକୁ ପଡ଼ୁଥିଲା। ଏଥିରେ କମ୍ପାନୀଗୁଡିକର ଇନ୍ଧନ ଖର୍ଚ୍ଚ ବହୁତ ବଢି ଯାଇଥିଲା। ଏହା ସହିତ ବିମାନଗୁଡିକୁ ନିଜର ଗନ୍ତବ୍ୟସ୍ଥଳରେ ପହଞ୍ଚିବାରେ ଅଧିକ ସମୟ ଲାଗୁଥିଲା। ଉଲ୍ଲେଖଯୋଗ୍ୟ, ବିମାନଗୁଡିକୁ ତାରି ଆକାଶ ପଥରେ ଉଡିବାକୁ ଅନୁମତି ଦେବା ବଦଳରେ ପାକିସ୍ତାନକୁ ପ୍ରତି ଉଡାଣ ପିଛା ହାରାହାରି ୫୦୦ ଡଲାର ମିଳୁଥିଲା। ମାତ୍ର ଏୟାରସ୍ପେସ ବନ୍ଦ ହେବାରୁ ପାକିସ୍ତାନର ଆୟ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଥିଲା।