ସୁନା ଦାମ୍ ୩୫ ହଜାର ଟପିଲା

ସୁନା ଦାମ୍ ୩୫ ହଜାର ଟପିଲା

ସୁନା ଦାମ୍ ୩୫ ହଜାର ଟପିଲା
ଭୁବନେଶ୍ୱର/ନୂଆଦିଲ୍ଲୀ: ସୁନା ଦର ଆଜି ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି । ରାଜଧାନୀ ଭୁବନେଶ୍ୱରରେ ସୁନା ଦର ୩୫ ହଜାର ଟଙ୍କାରୁ ଅଧିକ ହୋଇଛି । ୧୦ ଗ୍ରାମ ସୁନାର ମୂଲ୍ୟ ୩୫ ହଜାର ୪୦ ଟଙ୍କା ହୋଇଥିବା ବେଳେ ଏକ କିଲୋ ରୂପାର ଦାମ୍ ୪୪ ହଜାର ଟଙ୍କା । ଆନ୍ତର୍ଜାତିକ ସ୍ତର ଠାରୁ ଆରମ୍ଭ ଜାତୀୟ ଓ ରାଜ୍ୟ ପର୍ଯ୍ୟନ୍ତ ପ୍ରାୟ ସବୁ ସ୍ତରରେ ସୁନା ମହଙ୍ଗା ହୋଇଛି । ଦିଲ୍ଲୀରେ ସୁନା ଦାମ୍ ୩୬ ହଜାର ଟଙ୍କା ନିକଟତର ହୋଇଛି । ଆଜି ସେଠାରେ ସୁନାର ଦାମ ୧୦ ଗ୍ରାମ ପିଛା ୩୫,୯୭୦ ଟଙ୍କା ପହଞ୍ଚିଯାଇଛି । ରୂପାର କିଲୋ ପ୍ରତି ଦର ୪୧ ହଜାର ୯୬୦ ଟଙ୍କା ହୋଇଛି । ଗହଣା ନିର୍ମାଣ କରୁଥିବା ସଂସ୍ଥା ଗୁଡ଼ିକ ବିବାହ ଋତୁରେ ଚାହିଦା ପୂରଣ କରିବା ପାଇଁ ଏବେ ଠାରୁ ବିପୁଳ ପରିମାଣର ସୁନା କିଣୁଛନ୍ତି । ସେଥିପାଇଁ ସ୍ଥାନୀୟ ବଜାରରେ ସୁନା ମହଙ୍ଗା ହୋଇଛି । ଆନ୍ତର୍ଜାତିକ ବଜାରରେ ମଧ୍ୟ ସୁନାର ଆଉନ୍ସ ପିଛା ଦର ୧୪୨୫ ଡଲାର ଥିବା ବେଳେ ରୂପାର ଦର ୧୬.୪୦ ଡଲାର ରହିଛି । ଶିଳ୍ପ ସଂସ୍ଥା ଓ ମୁଦ୍ରା ନିର୍ମାତାମାନେ ଅଧିକ ରୂପା କିଣୁଥିବାରୁ ତାହାର ଦର ବଢ଼ୁଛି ବୋଲି କୁହାଯାଉଛି । କିଛି ଦିନ ତଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ରେ ସୁନା ଉପରେ ଆମଦାନି ଶୁଳ୍କକୁ ୧୦%ରୁ ବଢ଼ାଇ ୧୨.୫% କରିଦେଇଥିଲେ । ସୁନା ଦରରେ ହେଉଥିବା ବୃଦ୍ଧିର ଏହା ଆଉ ଏକ କାରଣ ବୋଲି କୁହାଯାଉଛି ।