ହରିୟାଣା: ଜେଜେପି କିଙ୍ଗ ମେକର

ହରିୟାଣା: ଜେଜେପି କିଙ୍ଗ ମେକର

ହରିୟାଣା: ଜେଜେପି କିଙ୍ଗ ମେକର
ଭୁବନେଶ୍ୱର: ଏକଜିଟ ପୋଲର ସବୁ ଆକଳନ ହରିୟାଣା ବିଧାନସଭା ନିର୍ବାଚନ କ୍ଷେତ୍ରରେ ଭୁଲ ପ୍ରତିପାଦିତ ହୋଇଛି । ବିଜେପି ଆଶାନୁରୂପକ ପ୍ରଦର୍ଶନ କରିବାରେ ବିଫଳ ହୋଇଥିବାବେଳେ କଂଗ୍ରେସର ପ୍ରଦର୍ଶନ କିନ୍ତୁ ବେଶ ଉତ୍ସାହ ଜନକ ରହିଛି । ତେବେ ନୂଆ ଆଞ୍ଚଳିକ ଦଳ ଜନ ନାୟକ ଜନତା ପାର୍ଟି(ଜେଜେପି)ର ପ୍ରଦର୍ଶନ ସମସ୍ତଙ୍କୁ ଚକିତ କରିଦେଇଛି । ନିର୍ବାଚନରେ ଆଖି ଦୃଶିଆ ପ୍ରଦର୍ଶନ କରିଥିବା ଜେଜେପି କିଙ୍ଗ ମେକର ଭାବେ ଉଭା ହୋଇଛି । ହରିୟାଣା ବିଧାନସଭା ନିର୍ବାଚନରେ ବିଜେପିକୁ ମାତ୍ର ୩୭ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି । ୯୦ ଆସନ ବିଶିଷ୍ଟ ବିଧାନସଭାରେ ସରକାର ଗଢିବା ପାଇଁ ମ୍ୟାଜିକ ଅଙ୍କ ହେଉଛି ୪୬ । ତେବେ ବିଜେପି ଏହା ଠାରୁ ଢେର ପଛରେ ପଡ଼ିଯାଇଛି । ଅପରପକ୍ଷରେ କଂଗ୍ରେସ ୧୦ରୁ ୨୦ ଆସନ ପାଇବ ବୋଲି ବିଭିନ୍ନ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ହୋଇଥିବା ଏକଜିଟ ପୋଲରେ ଆକଳନ କରାଯାଇଥିଲା । କିନ୍ତୁ ସମସ୍ତଙ୍କୁ ଚକିତ କରି କଂଗ୍ରେସ ଆଶାତୀତ ପ୍ରଦର୍ଶନ କରିଛି । ଦଳ ୩୫ଟି ଆସନ ହାସଲ କରିଥିଲେ ମଧ୍ୟ ମ୍ୟାଜିକ ଅଙ୍କ ଠାରୁ ବହୁ ଦୂରରେ ରହିଛି । ଅପରପକ୍ଷରେ ଭାରତୀୟ ଜାତୀୟ ଲୋକଦଳ ଗୋଟିଏ ଆସନ ପାଇଥିବାବେଳେ ଜନ ନାୟକ ଜନତା ପାର୍ଟି ୧୦ଟି ଆସନ ହାତେଇ ନେବାରେ ସମର୍ଥ ହୋଇଛି । ସ୍ୱାଧୀନ ଭାବେ ୭ ପ୍ରାର୍ଥୀ ବିଜୟ ଲାଭ କରିବାରେ ସମର୍ଥ ହୋଇଛନ୍ତି । ଗାଏମୋଟ କହିଲେ ହରିୟାଣାରେ ଝୁଲା ବିଧାନସଭା ହୋଇଥିବାବେଳେ ଏକ୍ଷେତ୍ରରେ ଜେଜେପି କିଙ୍ଗମେକରଭାବେ ଉଭା ହୋଇଛି । ଅର୍ଥାତ ଜେଜେପି ଯେଉଁ ଦଳକୁ ସମର୍ଥନ କରିବ ସେହି ଦଳ ସରକାର ଗଢିବାରେ ସମର୍ଥ ହୋଇପାରିବ । ଏଠାରେ ସୂଚାଇ ଦିଆଯାଇପାରେ ଯେ, ଭାରତୀୟ ଜାତୀୟ ଲୋକ ଦଳ ଠାରୁ ବିଚ୍ଛିନ୍ନ ହୋଇ ଜେଜେପି ଗଠିତ ହୋଇଛି । ଚୌତାଲା ପରିବାର ମଧ୍ୟରେ ହୋଇଥିବା ରାଜନୈତିକ ବିଭେଦ କାରଣରୁ ଦୁଷ୍ୟନ୍ତ ଚୌତାଲା ଗତ ବର୍ଷ ଡିସେମ୍ବର ୧୮ରେ ଏହି ଆଞ୍ଚଳିକ ଦଳ ଗଠନ କରିଥିଲେ । ଦୁଷ୍ୟନ୍ତଙ୍କ ଉପରେ ସମସ୍ତଙ୍କ ନଜର ରହିଥିବାବେଳେ ଏଯାଏଁ ସେ ନିଜର କାର୍ଡ ଖୋଲିନାହାନ୍ତି । ତେବେ କଂଗ୍ରେସ ନିଜ ଆଡ଼ୁ ଆଗୁଆ ଜେଜେପି ସହ ନିର୍ବାଚନ ପରବର୍ତ୍ତୀ ବୁଝାମଣା ପାଇଁ ଆହ୍ୱାନ ଦେଇଛି । ସୂଚନା ଯୋଗ୍ୟ ଯେ, ପୋଲ ଅଫ ପୋଲ୍ସର ଏକଜିଟ ପୋଲ ଆକଳନ ଅନୁଯାୟୀ ହରିୟାଣାରେ ବିଜେପି ୬୯, ରିପ୍ଲବିକ ଟିଭିର ଏକଜିଟ ପୋଲ ଅନୁଯାୟୀ ବିଜେପି ୫୨ରୁ ୬୩, ଟାଇମ୍ସ ନାଓର ଆକଳନ ଅନୁଯାୟୀ ବିଜେପି ୭୧, ଇଣ୍ଡିଆ ନୁ୍ୟଜ ପୋଲ ଷ୍ଟାର୍ଟ ଅନୁଯାୟୀ ବିଜେପି ୭୫ରୁ ୮୦, ଏବିପି ନୁ୍ୟଜ ସି-ଭୋଟର ଅନୁଯାୟୀ ବିଜେପି ୭୨ ଓ ନୁ୍ୟଜ ୧୮ର ଆକଳନ ଅନୁଯାୟୀ ବିଜେପି ୭୫ ଆସନ ପାଇବ ବୋଲି କୁହାଯାଉଥିଲା । ଯେତେବେଳେକି କଂଗ୍ରେସକୁ ହାରାହାରି ୧୦ରୁ ୧୯ ଆସନ ମିଳିବ ବୋଲି ଆକଳିତ ହୋଇଥିଲା ।