୨୧ ବର୍ଷ ପରେ କମିଲା ତେଲ ଦର
୨୧ ବର୍ଷ ପରେ କମିଲା ତେଲ ଦର
admin
Apr 21, 2020 - 13:08
Updated: Apr 21, 2020 - 13:08
ନ୍ୟୁୟର୍କ: କରୋନା ଭୂତାଣୁ ପ୍ରଭାବରେ ଦେଖାଦେଇଥିବା ସଙ୍କଟ ସାରା ବିଶ୍ୱରେ ତେଲ ଚାହିଦା କମ କରିଥିବା ବେଳେ ଏହାର ଦାମ ମଧ୍ୟ ୨୧ ବର୍ଷରେ ସର୍ବନିମ୍ନ ସ୍ତରକୁ ହ୍ରାସ ପାଇଛି । ଉତ୍ପାଦନ ହୋଇଥିବା ତେଲକୁ ଗଚ୍ଛିତ ରଖିବା ଲାଗି ସ୍ଥାନାଭାବ ଦେଖାଦେଲାଣି । ଜୁନରେ ଡେଲିଭରି ହେବାକୁ ଥିବା ବ୍ରେଣ୍ଟ କ୍ରୁଡର ବ୍ୟାରେଲ ପିଛା ତାମ ୨୭.୮୪ ଡଲାରକୁ ହ୍ରାସ ପାଇଛି । ସପ୍ତାହକ ଭିତରେ ଏହାର ଦାମ ୧୧ ପ୍ରତିଶତ କମ ହୋଇଛି । ଭାରତରେ ସରକାରୀ ତେଲ କମ୍ପାନୀଗୁଡ଼ିକ ଏପ୍ରିଲ ମାସର ପ୍ରଥମ ଦୁଇ ସପ୍ତାହରେ କମ ପରିମାଣର ବିଶୋଧିତ ଇନ୍ଧନ ବିକ୍ରି କରିଛନ୍ତି । ପେଟ୍ରୋଲ ବିକ୍ରି ୬୧ ପ୍ରତିଶତ, ଗ୍ୟାସୋଲିନ ୬୪ ପ୍ରତିଶତ ଓ ବିମାନ ଇନ୍ଧନ ବିକ୍ରି ୯୪ ପ୍ରତିଶତ ହ୍ରାସ ପାଇଛି । ଆନ୍ତର୍ଜାତିକ ଶକ୍ତି ଏଜେନ୍ସି ଆକଳନ କରିଛି ଯେ ୨୦୨୦ ରେ ଭାରତର ବାର୍ଷିକ ଇନ୍ଧନ ଚାହିଦାରେ ମାତ୍ର ୫.୬ ପ୍ରତିଶତ ବୃଦ୍ଧି ଘଟିବ । କରୋନା ଭୂତାଣୁ ଆଗମନ ପୂର୍ବରୁ ଗତମାର୍ଚ୍ଚ ରେ ଏହା ଆକଳନ କରିଥିଲା ଯେ ଭାରତର ତୈଳ ଚାହିଦାରେ ୨.୪ ପ୍ରତିଶତ ବୃଦ୍ଧି ଘଟିବ । ଲକଡାଉନ ଘୋଷଣା ହେବା ପରେ ଏହା ନିଜର ଆକଳନକୁ ବଦଳାଇଛି । ଆଇଇଏ ଆକଳନ କରିଛି ଯେ, ଭାରତର ପେଟ୍ରୋଲ ଓ ଡିଜେଲ ଚାହିଦା ଯଥାକ୍ରମେ ୯ ପ୍ରତିଶତ ଓ ୬.୧ ପ୍ରତିଶତ ହ୍ରାସ ପାଇବ । ଦେଶର ତୈଳ ଚାହିଦା ହ୍ରାସ ପାଇଥିବାରୁ ତେଲ କମ୍ପାନୀଗୁଡ଼ିକ ଅଶୋଧିତ ତୈଳ ପ୍ରକ୍ରିୟାକରଣ ମାତ୍ରା କମାଇ ଦେଇଚନ୍ତି । ତେଲକୁ ନେଇ ଦେଖାଦେଇଥିବା ସ୍ଥିତି କେବଳ ଭାରତରେ ସୀମିତ ନୁହେଁ । ଆମେରିକାରେ ତେଲର ଖୁଚୁରା ବିକ୍ରି ୮.୭ ପ୍ରତିଶତ ହ୍ରାସ ପାଇଛି । ତୈଳ ଉତ୍ପାଦନରେ ମଧ୍ୟ ବଡ଼ ଧରଣର ହ୍ରାସ ଘଟିଛି ଯାହା ସେଠାରେ ବିଗତ ୭୪ ବର୍ଷ ଭିତରେ କେବେ ଦେଖିବାକୁ ମିଳିନଥିଲା । ଗତ ମାର୍ଚ୍ଚରେ ସ୍ପେନରେ ତୈଳ ଚାହିଦା ୨୩ ପ୍ରତିଶତ କମିଥିଲା । ଏପ୍ରିଲରେ ତାହା ଆହୁରି କମିବ । ବ୍ରିଟେନରେ ପେଟ୍ରୋଲ ବିକ୍ରି ୬୬ ପ୍ରତିଶତ ଓ ଡିଜେଲ ୫୭ ପ୍ରତିଶତ ହ୍ରାସ ପାଇଛି ।