ସଚେତନତା ବେଳେ ଆଶାକର୍ମୀଙ୍କୁ ତତଲା ପେଯ ଢ଼ାଳି ଜଣେ ଗିରଫ

ସଚେତନତା ବେଳେ ଆଶାକର୍ମୀଙ୍କୁ ତତଲା ପେଯ ଢ଼ାଳି ଜଣେ ଗିରଫ

ସଚେତନତା ବେଳେ ଆଶାକର୍ମୀଙ୍କୁ ତତଲା ପେଯ ଢ଼ାଳି ଜଣେ ଗିରଫ
ଦଶପଲ୍ଲା: ବାଣିଗୋଚ୍ଛା ଥାନା ଅନ୍ତର୍ଗତ ନୂଆଗାଁ ଗ୍ରାମ ପଞ୍ଚାୟତ ଗେନେଗେଣ୍ଡା ଗାଁକୁ କରୋନା ଭୂତାଣୁର ସଚେତନତା ନିମନ୍ତେ ଆଶାକର୍ମୀ ମାଧୁରୀ ନାୟକ ଯାଇଥିବା ବେଳେ ତାଙ୍କୁ ଆକ୍ରମଣ ହୋଇଛି । ଉକ୍ତ ଗାଁର ମନୁ ନାୟକ ପୂର୍ବ ଶତ୍ରୁତାକୁ ରଖି ଆଶାକର୍ମୀଙ୍କ ଉପରେ ଗରମ ପେଜ ଢ଼ାଳି ଦେବାରୁ ସେ ଗୁରୁତର ଆହତ ହୋଇଛନ୍ତି । ଆଶା ଦିଦିଙ୍କ ମୁହଁ ଓ କପାଳରେ ଫୋଟକା ପଡ଼ି ଚମଡ଼ା ବାହାରି ପଡ଼ିଛି । ଭୀଷଣ ଯନ୍ତ୍ରଣାରେ ଛଟପଟ ହୋଇଥିବା ବେଳେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ସହାୟତାରେ ଦଶପଲ୍ଲା ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଇଛି । ଏହି ସମ୍ବେଦନଶୀଳ ଖବର ପାଇ ଦଶପଲ୍ଲା ବିଡିଓ ଦେବୀ ପ୍ରସାଦ ମହାନ୍ତି ଆହତ ଆଶାଙ୍କୁ ଭେଟି ଆଶ୍ୱାସନା ଦେଇଥିଲେ । ଏ ସମ୍ପର୍କରେ ଅଭିଯୋଗ ପାଇ ବାଣିଗୋଚ୍ଛା ଥାନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପଟ୍ଟାୟତ ଘଟଣାର ମୁଖ୍ୟ ଅଭିଯୁକ୍ତ ମନୁ ନାୟକଙ୍କୁ ଗିରଫ କରିଥିବା ପ୍ରକାଶ କରିଛନ୍ତି । ଅନ୍ୟ ଅଭିଯୁକ୍ତମାନେ ଫେରାର ଥିବା ଜଣାପଡ଼ିଛି । ଆଶା ମାଧୁରୀ ଓ ମନୁ ପରିବାର ମଧ୍ୟରେ ପୂର୍ବ ଶତ୍ରୁତାରୁ ଏଭଳି ଅଭାବନୀୟ କାଣ୍ଡ ଘଟିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ତଥ୍ୟ ସଂଗ୍ରହ କରିଛି । ଗତ ୧୦ ତାରିଖ ଦିନ ସ୍ଥାନୀୟ ସାକେଣୀ ଗାଁର ଆଶାକର୍ମୀଙ୍କ ଉପରେ ଗୋଟିଏ ଗୋଷ୍ଠୀ ଦୁର୍ବବ୍ୟବହାର ପ୍ରଦାର୍ଶନ କରିଥିବା ଘଟଣା ଦୃଷ୍ଟିକୁ ଆସିଥିଲା । ଏଭଳି କ୍ରମାଗତ ଭାବେ ସ୍ୱାସ୍ଥ୍ୟ ବିଭାଗର ତଳିଆ କ୍ଷେତ୍ର କର୍ମଚାରୀଙ୍କୁ ଆକ୍ରମଣ ଘଟଣାକୁ ନେଇ ଦଶପଲ୍ଲା ଆଶା ସଂଘ ମଧ୍ୟରେ ସୁରକ୍ଷାକୁ ନେଇ ଉଦବେଗ ପ୍ରକାଶ ପାଇଛି ।