୨୬ରେ ଜାତିସଂଘ ସାଧାରଣ ସଭାକୁ ସମ୍ବୋଧନ କରିବେ ମୋଦି
୨୬ରେ ଜାତିସଂଘ ସାଧାରଣ ସଭାକୁ ସମ୍ବୋଧନ କରିବେ ମୋଦି
admin
Sep 3, 2020 - 07:35
Updated: Sep 3, 2020 - 07:35
ନୁ୍ୟୟର୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ମାସ ୨୬ ତାରିଖରେ ମିଳିତ ଜାତିସଂଘର ସାଧାରଣ ସଭାକୁ ସମ୍ବୋଧନ କରିବେ । ଏହି ଉଚ୍ଚସ୍ତରୀୟ ବୈଠକ ପାଇଁ ବିଶ୍ୱ ସଂଗଠନ ଦ୍ୱାରା ପ୍ରକାଶିତ ବକ୍ତାଙ୍କର ତାଲିକାରୁ ଏହି ସୂଚନା ମିଳିଛି । ମିଳିତ ଜାତିସଂଘରେ ୭୫ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ଚଳିତ ବର୍ଷ ବାର୍ଷିକ ସାଧାରଣ ଅଧିବେଶନ ଅନଲାଇନରେ ଅନୁଷ୍ଠିତ ହୋଇଛି ଏବଂ କରୋନା ମହାମାରୀ ଯୋଗୁଁ ବିଭିନ୍ନ ଦେଶ ତଥା ରାଷ୍ଟ୍ରମୁଖ୍ୟମାନେ ଏହି ସମାବେଶରେ ବ୍ୟକ୍ତିଗତ ଭାବରେ ଯୋଗ ଦେଇପାରିବେ ନାହିଁ । ମିଳିତ ଜାତିସଂଘର ସାଧାରଣ ସଭା ଏବଂ ସମ୍ମିଳନୀ ପରିଚାଳନା ବିଭାଗ ମଙ୍ଗଳବାର ବକ୍ତାମାନଙ୍କ ତାଲିକାକୁ ୭୫ ତମ ଅଧିବେଶନର ସାଧାରଣ ଆଲୋଚନା ପାଇଁ ସ୍ଥାୟୀ ମିଶନକୁ ପ୍ରଦାନ କରିଛି । ତାଲିକା ଅନୁଯାୟୀ ସେପ୍ଟେମ୍ବର ୨୬ ତାରିଖ ସକାଳେ ମୋଦି ସାଧାରଣ ସଭାକୁ ସମ୍ବୋଧନ କରିବେ । ସାଧାରଣ ଆଲୋଚନା ସେପ୍ଟେମ୍ବର ୨୨ ରୁ ଆରମ୍ଭ ହୋଇ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥର ପ୍ରଥମ ବକ୍ତା ରହିବେ ବ୍ରାଜିଲ ରାଷ୍ଟ୍ରପତି ଜାୟର ବୋଲସନାରୋ । ଆମେରିକା ହେଉଛି ଦ୍ୱିତୀୟ ବକ୍ତା ଏବଂ ଆଶା କରାଯାଉଛି ଯେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ କାର୍ଯ୍ୟକାଳର ଶେଷ ସମୟରେ ବ୍ୟକ୍ତିଗତ ଭାବରେ ତାଙ୍କର ଅଭିଭାଷଣ ପ୍ରଦାନ କରିବାକୁ ନୁ୍ୟୟର୍କ ଯାଇପାରନ୍ତି । ବର୍ତ୍ତମାନ ତାଲିକା ଅନୁଯାୟୀ ତୁର୍କୀ ରାଷ୍ଟ୍ରପତି ରାଜାବ ତାଏବ ଏରଡୋନ, ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ, ଇରାନ ରାଷ୍ଟ୍ରପତି ହାସନ ରୋହାନି ଏବଂ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ପ୍ରଥମ ଦିନର ଡିଜିଟାଲ ଆଲୋଚନାକୁ ସମ୍ବୋଧିତ କରିବେ ।