୫ ହେଭିୱେଟ୍ଙ୍କୁ ଗଡ଼ ସମ୍ଭାଳିବା ଦାୟିତ୍ୱ

୫ ହେଭିୱେଟ୍ଙ୍କୁ ଗଡ଼ ସମ୍ଭାଳିବା ଦାୟିତ୍ୱ

୫ ହେଭିୱେଟ୍ଙ୍କୁ ଗଡ଼ ସମ୍ଭାଳିବା ଦାୟିତ୍ୱ
ଭୁବନେଶ୍ୱର: କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ନିର୍ବାଚନ ତାରିଖ ଘୋଷଣା ହୋଇନି, କିନ୍ତୁ ରାଜନୈତିକ ଦଳମାନେ ସେମାନଙ୍କର ରଣନୀତି ପ୍ରସ୍ତୁତ କଲେଣି । ବିଜେଡିର ବଛାବଛା ୫ ନେତାଙ୍କୁ ରାଜ୍ୟ ସ୍ତରରେ ସଂଯୋଜକ ଦାୟିତ୍ୱ ଦିଆଯାଇଛି । ବିଶ୍ୱସ୍ତ ସୂତ୍ରରୁ ମିିଳିଥିବା ଖବର ଅନୁଯାୟୀ, ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଟକୁରା ଆସନ ଯେପରି ବିଜେଡି ଖାତାରେ ଯୋଡ଼ି ହେବ ସେଥିପାଇଁ ଦଳୀୟ ନେତା ଓ କର୍ମୀଙ୍କୁ ଲାଗିପଡ଼ିବାକୁ ତାଗିଦ କରିଛନ୍ତି । ଗରଦପୁର ବ୍ଲକ ପାଇଁ ମନ୍ତ୍ରୀ ପ୍ରଫୁଲ୍ଲ ମଲିକ ଓ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସଂଯୋଜକ ଭାବେ କାର୍ଯ୍ୟ କରିବେ । ସେହିପରି ମନ୍ତ୍ରୀ ଅରୁଣ ସାହୁ ଓ ସାଧାରଣ ସମ୍ପାଦକ ତଥା ପୂର୍ବତନ ବିଧାୟକ ସଞ୍ଜୟ ଦାସ ବର୍ମାଙ୍କୁ ଡେରାବିଶ ବ୍ଲକ ଦାୟିତ୍ୱ ପ୍ରଦାନ କରାଯାଇଛି । ଉଭୟ ମାର୍ଶାଘାଇ ଓ ଗରଦ ପୁର ବ୍ଲକ ଦାୟିତ୍ୱରେ ରହିବେ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ । ସେହିଭଳି ମାର୍ଶାଘାଇ ୭ଟି ପଞ୍ଚାୟତ ପାଇଁ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ମଧ୍ୟ ତଦାରଖ କରିବେ ବୋଲି ଜଣାପଡ଼ିଛି । ଏହା ସହିତ ନିର୍ବାଚନ ମଣ୍ଡଳୀର ଦୁଇଟି ଲେଖାଏଁ ପଞ୍ଚାୟତ ପାଇଁ ଜଣେ ଲେଖାଏଁ ବିଧାୟକ ଓ ଦଳୀୟ ନେତାଙ୍କୁ ଦାୟିତ୍ୱ ବଣ୍ଟନ କରାଯିବା ପାଇଁ ନିଷ୍ପତ୍ତି ହୋଇଛି । ଖୁବ ଶୀଘ୍ର ଏସବୁ ନେତା ପାଟକୁରା ଯାଇ ତଳସ୍ତରର ନେତାଙ୍କୁ ଏକାଠି କରିବା ସହ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କୁ ବିଜୟୀ କରିବା ନେଇ ରଣନୀତି ପ୍ରସ୍ତୁତ କରିବେ । ପ୍ରକାଶଥାଉକି, ସାଧାରଣ ନିର୍ବାଚନ ବେଳେବିଜେପିକୁ ଯାଇଥିବା ବିଜେଡି ତୃଣମୂଳକ ସ୍ତରର କର୍ମୀ ଓ ନେତା ଧୀରେ ଧୀରେ ପୁଣି ଥରେ ବିଜେଡିକୁ ଫେରିବା ଆରମ୍ଭ କରିଛନ୍ତି । ବିଜେପିରେ ଯୋଗ ଦେଇଥିବା ଡେରାବିଶ ବ୍ଲକ ଅଧ୍ୟକ୍ଷ ସରୋଜ ସାହୁ ବିଜେଡି ପ୍ରାର୍ଥୀ ସ୍ୱର୍ଗତ ବେଦ ପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ ପରେ ବିଜେଡିକୁ ଫେରି ଆସିଛନ୍ତି ।