ନିଜ ହେଲିକେପ୍ଟରକୁ ଖସାଇଥିଲା ବାୟୁସେନା

ନିଜ ହେଲିକେପ୍ଟରକୁ ଖସାଇଥିଲା ବାୟୁସେନା

ନିଜ ହେଲିକେପ୍ଟରକୁ ଖସାଇଥିଲା ବାୟୁସେନା
ଶ୍ରୀନଗର: ବାଲାକୋଟ୍ ଆତଙ୍କବାଦୀ ଶିବିର ଉପରେ ଭାରତୀୟ ବାୟୁସେନା ବିମାନ ଆକ୍ରମଣ କରିବା ପରେ ଶ୍ରୀନଗର ନିକଠ ବଡ଼ଗ୍ରାମ ଠାରେ ଭାରତୀୟ ବାୟୁସେନାର ଏକ ହେଲିକେପ୍ଟର ଧ୍ୱଂସ ହୋଇଯାଇଥିଲା । ହେଲିକେପ୍ଟରରେ ଥିବା ୬ ଜଣ ବାୟୁସେନା କର୍ମଚାରୀ ଏବଂ ତଳେ ଜଣେ ସାଧାରଣ ନାଗରିକଙ୍କୁ ମିଶାଇ ୭ ଜଣ ପ୍ରାଣ ହରାଇଥିଲେ । ଏହି ଘଟଣାର ତଦନ୍ତ ବାୟୁସେନା ପକ୍ଷରୁ କରାଯାଇଥିଲା । ତଦନ୍ତ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଏଥିରୁ ପଦାକୁ ଆସିଛି । ଶ୍ରୀନଗରଠାରେ ଅବସ୍ଥାପିତ ବାୟୁସେନାର ନିଜସ୍ୱ ପ୍ରତିରକ୍ଷା ବ୍ୟବସ୍ଥା ସ୍ପାଏଡର ଦ୍ୱାରା ଏଭଳି ଅଘଟଣ ଘଟିଥିଲା । ତଦନ୍ତ ଶେଷ ପରେ ଏ ସଂକ୍ରାନ୍ତ ରିପୋର୍ଟ ପ୍ରକାଶ କରାଯିବ । ଏହି ଘଟଣାରେ ଦୁଇ ଜଣ ସେନା ଅଧିକାରୀଙ୍କୁ କୋର୍ଟ ମାର୍ସାଲ କରାଯିବ ବୋଲି ଜଣାପଡ଼ିଛି । ଅଭିଯୁକ୍ତ ଅଧିକାରୀମାନେ ଅଧିକ ସାକ୍ଷୀଙ୍କୁ ଡାକିବା ଲାଗି ଆବେଦନ କରିଥିବାରୁ ଏହି ତଦନ୍ତ ପୁଣି ଥରେ କରାଯିବାକୁ ସ୍ଥିର ହୋଇଛି । ଅନୁମାନ କରାଯାଉଛି ଯେ, ଶ୍ରୀନଗର ବିମାନ ଘାଟିଠାରେ ବିମାନ ପ୍ରତିରକ୍ଷା ଦାୟିତ୍ୱରେ ଥିବା ଅଧିକାରୀମାନେ ଭୁଲ କରି୍ଥିଲେ । ଅପରେସନ ସାରି ଫେରୁଥିବା ଏହି ହେଲିକେପ୍ଟରକୁ ସେମାନେ ବିମାନ ଘାଟି ଆଡ଼କୁ ମାଡ଼ି ଆସୁଥିବା ଏକ ମିସାଇଲ ବୋଲି ଭାବି ଏହାକୁ ଖସାଇବାକୁ ପଦକ୍ଷେପ ନେଇଥିବା କୁହାଯାଇଛି । ଉଲ୍ଲେଖଯୋଗ୍ୟ ଫେବୃୟାରୀ ୨୭ ତାରିଖରେ ଏମଆଇ-୧୭ ଭି-୫ ଚପରଟି ଆକାଶକୁ ଉଡ଼ିବାର ୧୦ ମିନିଟ୍ ମଧ୍ୟରେ ଧ୍ୱଂସ ହୋଇଥିଲା । ଯଦିଓ ଭାରତ ସୀମାକୁ ଅନୁପ୍ରବେଶ କରିଥିବା ପାକିସ୍ତାନର ଯୁଦ୍ଧ ବିମାନକୁ ଭାରତର ଯୁଦ୍ଧ ବିମାନ ୧୦୦ କିମିରୁ ଅଧିକ ଦୂର ଗୋଡ଼ାଉଥିଲା କିନ୍ତୁ ଶ୍ରୀନଗରଠାରେ ଏଭଳି ଅଘଟଣ ଘଟିଥିଲା ।