ମଝି ଚିଲିକାରେ ବଜ୍ରପାତ, ଚାଲିଗଲା ବାପ, ପୁଅଙ୍କ ଜୀବନ
ଚିଲିକା: ପୁଣି ବଜ୍ରପାତ ନେଇଛି ଜୀବନ। ମାଛ ଧରୁଥିବା ବେଳେ ବଜ୍ରପାତ ହେବାରୁ ଚାଲି ଯାଇଛି ବାପା, ପୁଅଙ୍କ ଜୀବନ। ଏପରି ଘଟଣା ଘଟିଛି ଚିଲିକାରେ। ମଝି ଚିଲିକାକୁ ମାଛ ଧରିବାକୁ ବାପ-ପୁଅ ଯାଇଥିଲେ । ଡଙ୍ଗାରେ ଥିବା ବାପ-ପୁଅଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ହେଲେ ବିଧାନ ବିଶ୍ୱାସ ଓ ଉତ୍ତମ ବିଶ୍ୱାସ । ମୃତକଙ୍କ ଘର ବାଲୁଗାଁ ଶାନ୍ତିନଗରରେ ବୋଲି ଜଣାପଡିଛି । ଗାଁରେ ଶୋକାକୂଳ ପରିବେଶ । କାନ୍ଦ ବୋବାଳିରେ ଫାଟି ପଡୁଛି ପୂରା ଗାଁ । ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ବାଲୁଗାଁ ଏନଏସି ୧ନଂ ୱାର୍ଡ ଶାନ୍ତିନଗର ବାସିନ୍ଦା ୬୦ ବର୍ଷୀୟ ଧୀବର ବିଧାନ ବିଶ୍ୱାସ ଓ ୩୦ ବର୍ଷୀୟ ପୁଅ ଉତ୍ତମ ବିଶ୍ୱାସ ଚିଲିକାକୁ ମାଛ ଧରିବା ପାଇଁ ଯାଇଥିଲେ । ଠିକ୍ ସେହି ସମୟରେ ଉଭୟଙ୍କ ଉପରକୁ ବଜ୍ରାଘାତ ହୋଇଥିଲା । ଫଳରେ ଘଟଣାସ୍ଥଳରେ ବାପ ପୁଅଙ୍କ ମୃତ୍ୟୁ ହୋଇଥିଲା । ପରିବାରବର୍ଗ ଏହି ଖବର ଜାଣିବା ପରେ ଉଭୟଙ୍କ ମୃତଦେହ ଚିଲିକାରୁ ଉଦ୍ଧାର କରି ଗ୍ରାମକୁ ଆଣିଛନ୍ତି । ସେଠାରେ ବାଲୁଗାଁ ପୋଲିସ ଉପସ୍ଥିତ ଥିବାବେଳେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।




user2 