‘କିଷାନ୍’ରେ ବିଲୟ ହେବ ‘କାଳିଆ’!

‘କିଷାନ୍’ରେ ବିଲୟ ହେବ ‘କାଳିଆ’!

‘କିଷାନ୍’ରେ ବିଲୟ ହେବ ‘କାଳିଆ’!
ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ‘ପ୍ରଧାନମନ୍ତ୍ରୀ କିଷାନ୍ ଯୋଜନା’ରେ ବିଲୟ ହୋଇଯିବ ରାଜ୍ୟ ସରକାରଙ୍କ କାଳିଆ ଯୋଜନା । ଏଥିପାଇଁ ରାଜ୍ୟ ସରକାର ମନ ସ୍ଥିର କରିବା ସହ କେନ୍ଦ୍ର କୃଷି ମନ୍ତ୍ରାଳୟ ସହ ଆଲୋଚନା ଆରମ୍ଭ କରିଛନ୍ତି । ଯଦି ସବୁ କିଛି ଠିକ୍ଠାକ ହୁଏ, ଆସନ୍ତା ଆର୍ଥିକ ବର୍ଷରୁ ରାଜ୍ୟର ଏ ପ୍ରମୁଖ ଯୋଜନା କିଷାନରେ ମିଶିଯିବ ବୋଲି ସୂଚନା ମିଳିଛି । ସୂଚନା ଅନୁସାରେ ରାଜ୍ୟରେ ପ୍ରାୟ ୫୧ ଲକ୍ଷ ପରିବାର କାଳିଆ ଯୋଜନାର ପ୍ରଥମ କିସ୍ତି ପାଇଥିଲା ବେଳେ ସରକାରୀ ଦ୍ୱିତୀୟ କିସ୍ତି ଦେବାକୁ ବିଚାର କରିଛନ୍ତି । ‘କାଳିଆ’ ତାଲିକାରେ ବହୁ ଅଯୋଗ୍ୟ ହିତାଧିକାରୀ ସାମିଲ ହୋଇଥିଲା ବେଳେ ଯୋଗ୍ୟ ମଧ୍ୟ ବାଦ ପଡ଼ିଛନ୍ତି । ଏବେ ‘କାଳିଆ’କୁ ‘କିଷାନ’ ରେ ବିଲୟ କରିବାକୁ ରାଜ୍ୟ ବିଚାର କରୁଛି । ଆନ୍ଧ୍ର ପ୍ରଦେଶ ସରକାର ‘ଅନ୍ନଦାତା ସୁଖିଭବ’ଯୋଜନାକୁ ଯେଉଁଭଳି କିଷାନରେ ଗତ ଫେବୃୟାରୀରେ ବିଲୟ କରିଛି, ସେଇ ଢ଼ାଞ୍ଚାରେ ଓଡ଼ିଶା ସରକାର ମଧ୍ୟ ‘କାଳିଆ’କୁ ବିଲୟ କରିବାକୁ ଚାହୁଁଛନ୍ତି । କିଷାନରେ ଚାଷୀଙ୍କୁ ବର୍ଷକୁ ୬ ହଜାର ଟଙ୍କା ମିଳୁଥିଲା ବେଳେ କାଳିଆରେ ସରକାର ଦୁଇଟି ଫସଲ ପାଇଁ ୧୦ ହଜାର ଟଙ୍କା ଦେବାକୁ ଘୋଷଣା କରିଛନ୍ତି । କିଷାନରେ ବିଲୟ ହେବା ପରେ କେନ୍ଦ୍ର ୬ ହଜାର ଟଙ୍କା ଦେବ, ମାତ୍ର ଆଉ ୪ ହଜାର ଟଙ୍କାର ବୋଝ ରାଜ୍ୟ ବହନ କରିବାକୁ ରାଜ୍ୟ ସମ୍ମତ ହୋଇଛି । ଏହାଛଡ଼ା କାଳିଆ ତାଲିକାରୁ ଯେଉଁ ଯୋଗ୍ୟ ହିତାଧିକାରୀ ବାଦ୍ ପଡ଼ି ‘କିଷାନ’ରେ ସାମିଲ ନ ହୋଇପାରିବେ (ଭୂମିହୀନ) ସେମାନଙ୍କୁ ସହାୟତା ବାବଦ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ରାଜ୍ୟର ଏ ପ୍ରସ୍ତାବରେ କେନ୍ଦ୍ର ମଧ୍ୟ ମୋହନ ମାରିଥିବା ସୂଚନା ମିଳିଛି ।