ଆଜି ଦେବସ୍ନାନ ପୂର୍ଣ୍ଣିମା
ଆଜି ଦେବସ୍ନାନ ପୂର୍ଣ୍ଣିମା
admin
Jun 17, 2019 - 06:08
Updated: Jun 17, 2019 - 06:08
ପୁରୀ:ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଶ୍ରୀମନ୍ଦିର ସ୍ନାନବେଦିରେ ଦେବସ୍ନାନ ନୀତିରେ ମହାପ୍ରଭୁ ଅଧିବାସିତ ଜଳ ସ୍ନାନ କରିବେ । ୧୦୮ ଗରା, ଚନ୍ଦନ, କର୍ପୂର ଜଳରେ ସ୍ନାନବିଧି ହେବ । ଏହି ନୀତିରେ ଦଇତାପତି, ଗରାବଡୁ, ମେକାପ ସହଯୋଗ କରିବେ । ପୂଜା ପଣ୍ଡା ସେବକ ମହାପ୍ରଭୁଙ୍କ ଜଳ ଲାଗି ବିଧି ସମ୍ପନ୍ନ କରିବେ । ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୨ଟା ସୁଦ୍ଧା ସେବସ୍ନାନ ନୀତିର ଜଳ ବିଜେ, ପୂଜା ସମ୍ପନ୍ନ ହେବ । ସ୍ନାନନୀତିକୁ ସୁସଂଯୋଜିତ କରିବାକୁ ଶ୍ରୀମନ୍ଦିର ପ୍ରଶାସନ କଟକଣା ବି ଜାରି କରିଛି । ଠାକୁରଙ୍କ ଅବାଧ ସ୍ନାନ ନୀତି କଟକଣାବି ଜାରି କରିଛି । ଠାକୁରଙ୍କ ଅବାଧ ସ୍ନାନ ନୀତି ଦର୍ଶନକୁ ପ୍ରଶାସନ ବିଶେଷ ଗୁରୁତ୍ୱ ଦେଇଛି । ସ୍ନାନ ନୀତି ପୂର୍ବରୁ ମହାପ୍ରଭୁଙ୍କ ମଙ୍ଗଳାର୍ପଣ, ଡୋରଲାଗି, ପୁଷ୍ପାଞ୍ଜଳି ପରେ ସ୍ନାନବେଦିକୁ ଗୋଟି ପହଣ୍ଡି ଆରମ୍ଭ ହେବ । ପହଣ୍ଡି ଶେଷ ହେବା ପରେ ସ୍ନାନବେଦିରେ ମହାପ୍ରଭୁଙ୍କ ମଙ୍ଗଳ ଆଳତି, ମଇଲମ, ତଡପ ଲାଗି, ଅଧର ପୋଛା, ଅବକାଶ ସରି ବେଶ କରାଯିବ । ରୋଷହୋମ, ସୂର୍ଯ୍ୟ ପୂଜା , ଦ୍ୱାରପାଳ ପୂଜା ଆଦି ନୀତି ଶେଷ ହେବା ଭିତରେ ଜଳ ବିଜେ ପ୍ରସ୍ତୁତି ହୋଇ ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୨ଟା ମଧ୍ୟରେ ଜଳବିଜେ, ଜଳ ପୂଜା, ଜଳ ଲାଗି ନୀତି ଆଦି ସ୍ନାନ ମଣ୍ଡପରେ ସମ୍ପନ୍ନ କରାଯିବ । ଜଳ ବିଜେକୁ ଗରାବଡୁ ସେବକ ଶୃଙ୍ଖଳାର ସହ ସମ୍ପନ୍ନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ସେହିଭଳି ମେକାପ ସେବକ, ପୂଜାପଣ୍ଡା ଏବଂ ଦଇତାପତିଙ୍କ ମଧ୍ୟରେ ଉତମ ସଂଯୋଜନାରେ ନିଜ ନିଜ ବାଡରେ ସେବାୟତ ମାନେ ଜଳଲାଗି ବିଧି ସମ୍ପନ୍ନ କରିବେ । ନିଜ ସେବା ବ୍ୟତୀତ ଅନ୍ୟ ସେବାୟତଙ୍କ ସେବାରେ କେହି ହସ୍ତକ୍ଷେପ କରିବେ ନାହିଁ ବୋଲି ବ୍ୟବସ୍ଥାବଳି ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ ।