ଆମଦାନି ବଢ଼ିଲା, କମିପାରେ ପିଆଜ ଦର
ଆମଦାନି ବଢ଼ିଲା, କମିପାରେ ପିଆଜ ଦର
admin
Nov 26, 2019 - 06:30
Updated: Nov 26, 2019 - 06:30
ଡରେଇଲା ଇଜିପ୍ଟ ପିଆଜ ଭୂତ!
ଭୁବନେଶ୍ୱର : ନାସିକରୁ ଭୁବନେଶ୍ୱରକୁ ପୁଣି ପିଆଜ ଆମଦାନି ଆରମ୍ଭ ହୋଇଛି । ଆନ୍ଧ୍ରପ୍ରଦେଶରୁ ମଧ୍ୟ ଅଧିକ ପରିମାଣର ପିଆଜ ବୋଝେଇ ଟ୍ରକ୍ ଆଜି ଭୁବନେଶ୍ୱରରେ ପହଞ୍ଚିଛି । ତେଣୁ ଖୁବ୍ ଶୀଘ୍ର ପିଆଜ ଦର କମିବା ନେଇ ଆଶା ସୃଷ୍ଟି ହୋଇଛି । ଏବେ ବି ପାଇକାରୀ ଦର ଓ ଖୁଚୁରା ବଜାର ଦର ପୂର୍ବଭଳି ଅପରିବର୍ତ୍ତିତ ରହିଥିଲେ ମଧ୍ୟ ଆଉ ବୃଦ୍ଧି ପାଇବା ଆଶଙ୍କା ନାହିଁ ବୋଲି କୁହାଯାଉଛି । ଜାନୁଆରୀ ପୂର୍ବରୁ ପିଆଜ ଦର କମିବ ନାହିଁ ବୋଲି ସୃଷ୍ଟି ହୋଇଥିବା ଗୁଜବ ଏବେ ଇଜିପ୍ଟ ପିଆଜ ପାଇଁ ମିଳେଇବାକୁ ବସିଛି ବୋଲି କୁହାଯାଉଛି ।
କୁବେରପୁରୀ ବ୍ୟବସାୟୀ ସଂଘର ସମ୍ପାଦକ ଆଇନଜୀବୀ ଶକ୍ତିଶଙ୍କର ମିଶ୍ରଙ୍କ ସୂଚନାନୁସାରେ ଆଜି ନାସିକରୁ ୨ଟି ପିଆଜ ବୋଝେଇ ଟ୍ରକ୍ ଆସିଛି । ଆନ୍ଧ୍ରପ୍ରଦେଶରୁ ମଧ୍ୟ ଅଧିକ ମାଲ୍ ପହଞ୍ଚିଛି । ପ୍ରାୟ ୨୫୦ ଟନ୍ ପିଆଜ ଆଜି ରାଜଧାନୀରେ ପହଞ୍ଚିଛି । ଗତ ପ୍ରାୟ ୨ ସପ୍ତାହ ହେଲା ମାତ୍ର ୭୦/୮୦ ଟନ୍ ମାଲ୍ ଆସୁଥିବା ବେଳେ ଆଜି ୨୦୦ ଟନ୍ ଟପିଥିବାରୁ ଦର ହ୍ରାସ ସମ୍ଭାବନା ଦେଖା ଦେଇଛି । ତେବେ ଆଜି ବି ଆନ୍ଧ୍ରପ୍ରଦେଶ ପିଆଜ ପାଇକାରୀ ଦର ହିସାବରେ ୬୫ରୁ ୭୦ ଟଙ୍କା ଥିବାବେଳେ ନାସିକ୍ ପିଆଜ କିଲୋ ପିଛା ୮୦ରୁ ୮୫ ଟଙ୍କାରେ ବିକ୍ରି ହୋଇଛି । ତେଣୁ ଖୁଚୁରା ବଜାରରେ ଆନ୍ଧ୍ର ପିଆଜ ୭୫/୮୦ ଥିବାବେଳେ ନାସିକ୍ ପିଆଜ ୯୦/୯୫ ଟଙ୍କା ରହିଛି । ଆଜି ସନ୍ଧ୍ୟାରେ ପହଞ୍ଚିଥିବା ପିଆଜ ଦର ଆସନ୍ତାକାଲି ସକାଳୁ ଜଣାପଡ଼ିବ ବୋଲି ଶ୍ରୀ ମିଶ୍ର କହିଛନ୍ତି । ତେବେ ଆମଦାନି ବଢ଼ିଥିବାରୁ ଆଉ ଦର ବୃଦ୍ଧି ହେବ ନାହିଁ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ଆଜି ଲୋକସେବା ଭବନରେ ଯୋଗାଣ ସଚିବ ଭିଭି ଯାଦବ ବ୍ୟବସାୟୀମାନଙ୍କ ସହ ସ୍ୱତନ୍ତ୍ର ଆଲୋଚନା କରିଛନ୍ତି । ପିଆଜ ଦରବୃଦ୍ଧିର କାରଣ, ଦରବୃଦ୍ଧି ଅବଧି ଭଳି ପ୍ରସଙ୍ଗ ସହ ଇଜିପ୍ଟ ପିଆଜ ଆମଦାନି ଉପରେ ସେ ଆଲୋଚନା କରିଛନ୍ତି । ବ୍ୟବସାୟୀ ସଂଘ ପକ୍ଷରୁ ସଜ୍ଜନ ଅଗ୍ରୱାଲ୍, ସୁଧାକର ପଣ୍ଡା, ଦ୍ୱିଜବର ସାହୁ ଓ ଶକ୍ତିଶଙ୍କର ମିଶ୍ର ପ୍ରମୁଖ ଏହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ନାସିକରେ ନୂଆ ପିଆଜ ଅମଳ ହେବା ପାଖେଇ ଆସୁଥିବାବେଳେ ଇଜିପ୍ଟ ପିଆଜ ଆମଦାନି କରିବା ଲାଭଜନକ ହେବ ନାହିଁ ବୋଲି ବ୍ୟବସାୟୀମାନେ ମତ ରଖିଥିବା ଜଣାପଡ଼ିଛି ।