ଏଣିକି ଶନିବାର ହେବ ‘ନୋ ବ୍ୟାଗ୍ ଡେ’

ଏଣିକି ଶନିବାର ହେବ ‘ନୋ ବ୍ୟାଗ୍ ଡେ’

ଏଣିକି ଶନିବାର ହେବ ‘ନୋ ବ୍ୟାଗ୍ ଡେ’
ଛତ୍ରପୁର: ଶନିବାର ପିଲା ସ୍କୁଲ ଆସିବେ, ମାତ୍ର ବସ୍ତାନି ଆଣିବେନି । ସେଦିନ ପାଠ୍ୟକ୍ରମ ପଢ଼ା ବନ୍ଦ । ଯୋଗ, ଚିତ୍ରାଙ୍କନ, ଗପବହି ପଢ଼ିବା, ଗଳ୍ପ ଶୁଣିବା ଓ କହିବା ହେବ ଶନିବାର ରୁଟିନ । ଗଞ୍ଜାମ ଜିଲ୍ଲା ପ୍ରଶାସନ ଆରମ୍ଭ କରୁଛି ‘ନୋ ବ୍ୟାଗ୍ ଡେ’ କାର୍ଯ୍ୟକ୍ରମ । ପ୍ରତି ଶନିବାର ହେବ ନୋ ବ୍ୟାଗ୍ ଡେ । ଆସନ୍ତା ୭ ତାରିଖ ଅର୍ଥାତ ଏହି ସପ୍ତାହରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେଉଛି । ପିଲାଙ୍କ ଲୁକ୍କାୟିତ ପ୍ରତିଭା ଲୋକଲୋଚନକୁ ଆଣିବା ଓ ମାନସିକ ଶାନ୍ତି ସହ ଜ୍ଞାନ ଅର୍ଜନ କରିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଲକ୍ଷ୍ୟ ହେବ ବୋଲି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୂତ୍ରରୁ ପ୍ରକାଶ, ଜିଲ୍ଲାର ପ୍ରତ୍ୟେକ ବିଦ୍ୟାଳୟର ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ରନ୍ତ ପିଲା ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ବୋଲି ଜିଲ୍ଲାପାଳ ନିଦେ୍ର୍ଧଶ ଦେଇଛନ୍ତି । ପ୍ରତ୍ୟେକ ବ୍ଲକ ଶିକ୍ଷାଧିକାରୀ ସେମାନଙ୍କ ଅଧୀନ ୨୦ଟି ବିଦ୍ୟାଳୟ ଚୟନ କରିବେ । ଶାରୀରିକ, ମାନସିକ, ବୌଦ୍ଧିକ ବିକାଶ ପାଇଁ ଏହି ଚାପମୁକ୍ତ ଶିକ୍ଷା ପଦ୍ଧତି ଲାଭ ଦାୟକ ହେବ । ପ୍ରତ୍ୟେକ ଶନିବାର ପୂର୍ବ ନିର୍ଘଣ୍ଟ ସମୟ ମୁତାବକ ବିଦ୍ୟାଳୟ କାର୍ଯ୍ୟ ପରିଚାଳିତ ହେବ । ଏହାର ସଫଳତାକୁ ଅନୁଧ୍ୟାନ କରି ଅନ୍ୟ ବିଦ୍ୟାଳୟକୁ ସମ୍ପ୍ରସାରିତ କରାଯିବ ବୋଲି ଜିଲ୍ଲାପାଳ କହିଥିବା ଜଣାଯାଇଛି । ସୂଚନାଯୋଗ୍ୟ ଯେ, ଛାତ୍ରଛାତ୍ରୀମାନଙ୍କୁ ପାଣି ପିଇବା ଅଭ୍ୟାସ କରାଇବା ପାଇଁ ସ୍କୁଲମାନଙ୍କରେ ଜିଲ୍ଲାପାଳ ଆରମ୍ଭ କରିଥିଲେ । ‘ୱାଟର ବେଲ’ କାର୍ଯ୍ୟକ୍ରମ । ଶନିବାର ‘ନୋ ବ୍ୟାଗ୍ ଡେ’ କାର୍ଯ୍ୟକ୍ରମ ପୂର୍ବରୁ ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଓ ରାଜସ୍ଥାନ ଆଦି ରାଜ୍ୟରେ ଆରମ୍ଭ ହୋଇଛି ।