ସଚେତନ ହୁଅନ୍ତୁ, ସୁରକ୍ଷିତ ରୁହନ୍ତୁ ।

ସଚେତନ ହୁଅନ୍ତୁ, ସୁରକ୍ଷିତ ରୁହନ୍ତୁ ।

ସଚେତନ ହୁଅନ୍ତୁ, ସୁରକ୍ଷିତ ରୁହନ୍ତୁ ।
ବିଶ୍ୱର ଅନ୍ୟ ଦେଶ ଗୁଡ଼ିକରେ ଉତ୍ପାତ କରୁଥିବା କରୋନା ଏବେ ଭାରତରେ ବ୍ୟାପିବା ଆରମ୍ଭ କରିଥିବାରୁ ଏହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି । କିନ୍ତୁ ଏବେ ଆତଙ୍କିତ ହୋଇ ଏହାକୁ ରୋକାଯାଇପାରିବ ନାହିଁ । ବରଂ ଏହି ଭାଇରସର ସଂକ୍ରମଣରୁ ବର୍ତ୍ତିବା ପାଇଁ ସମସ୍ତେ ସତର୍କ ହେବା ଆବଶ୍ୟକ । ତେଣୁ କରୋନା ସମ୍ପର୍କରେ ସଚେତନ କରିବା ପାଇଁ କେତେକ ତଥ୍ୟ ନିମ୍ନରେ ଉଲ୍ଲେଖ କରାଗଲା । ୧. କେତେବେଳେ ନିଜର ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହେବେ? ଯଦି ଜଣକୁ ଜ୍ୱର ଏବଂ କାଶ ହୁଏ ଏବଂ ସେ ମଧ୍ୟ ନିଃଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରେ, ତାହା ହେଲେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଇ ନେବା ଆବଶ୍ୟକ । କାରଣ ଏସବୁ ଲକ୍ଷଣ କରୋନା ଭାଇରସ ସଂକ୍ରମଣ ପରେ ପ୍ରକାଶ ପାଇ ପାରେ । ଅତ୍ୟଧିକ ସଂକ୍ରମଣ ହୋଇଥିଲେ ସମ୍ପୃକ୍ତ ବ୍ୟକ୍ତି ନିମୋନିଆରେ ଆକ୍ରାନ୍ତ ହୋଇପାରନ୍ତି । ୨. ଯଦି ଲକ୍ଷଣ ପ୍ରକାଶ ପାଏ, କ’ଣ କରିବେ? ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଯଦି ଆପଣ ନିକଟରେ କରୋନା ପ୍ରଭାବିତ ଦେଶରୁ ଫେରିଥାନ୍ତି କିମ୍ବା କରୋନା ଆକ୍ରାନ୍ତ କୌଣସି ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥାନ୍ତି, ତାହା ହେଲେ ଏ ସମ୍ପର୍କରେ ତୁରନ୍ତ ହସ୍ପିଟାଲ କର୍ତ୍ତୃପକ୍ଷ ଓ ସ୍ଥାନୀୟ ପ୍ରଶାସନକୁ ଜଣାନ୍ତୁ । ୩. କରୋନା ଯୋଗୁଁ ମୃତୁ୍ୟ ହାର କେତେ? ୬୦ ବର୍ଷରୁ କମ୍ ବୟସର ଆକ୍ରାନ୍ତଙ୍କ ମଧ୍ୟରେ ମୃତୁ୍ୟହାର ୧% ରହିଛି । ୬୦ ରୁ ୬୯ ବର୍ଷ ବୟସର ଆକ୍ରାନ୍ତ ବ୍ୟକ୍ତି ମଧ୍ୟରେ ଏହି ହାର ୪% ରହିଥିଲା ବେଳେ ୭୦ ରୁ ୭୯ ବର୍ଷ ବୟସର ଲୋକଙ୍କ ମଧ୍ୟରେ ୮% ଏବଂ ୮୦ ରୁ ୯୦ ବର୍ଷ ବୟସର ଆକ୍ରାନ୍ତ ବ୍ୟକ୍ତିଙ୍କ ମଧ୍ୟରେ ଏହି ହାର ୧୫% ରହିଛି । ୪. କେମିତି ଭାଇରସକୁ ଏଡାଇବେ? ପ୍ରତିଦିନ ହାତକୁ ବାରମ୍ବାର ସାବୁନ କିମ୍ବା ଅନ୍ୟ କୌଣସି ପ୍ରକାର ବିଶୋଧକ ସାମଗ୍ରୀରେ ଭଲ ଭାବେ ଧୁଅନ୍ତୁ । ବିଶେଷ କରି ହାତର ପଶ୍ଚାତ ଭାଗ ଏବଂ ନଖର ଅଗ୍ରଭାଗକୁ ଭଲ ଭାବେ ସଫା କରନ୍ତୁ । କାରଣ ଏ ସବୁ ଭାଗରେ ଭାଇରସ ରହିଥାଏ । ଅଧିକ ସଂଖ୍ୟାରେ ଲୋକ ଥିବା ସ୍ଥାନଠାରୁ ଦୂରେଇ ରୁହନ୍ତୁ । କାରଣ କାହାର ଛିଙ୍କ କିମ୍ବା କାଶ ଦ୍ୱାରା କରୋନା ଭାଇରସ ଆପଣଙ୍କ ଦେହରେ ପ୍ରବେଶ କରିପାରେ । କରୋନା ଭାଇରସ ପାଟି, ଆଖି ଓ ନାକ ଦେଇ ଦେହ ଭିତରକୁ ପ୍ରବେଶ କରିଥାଏ । ତେଣୁ ନିଜ ହାତକୁ ଏସବୁ ଅଙ୍ଗପ୍ରତ୍ୟଙ୍ଗରେ ଲଗାନ୍ତୁ ନାହିଁ । ହାତରେ ଆପଣ ବିଭିନ୍ନ ବସ୍ତୁକୁ ଛୁଇଁ ଥିବାରୁ ସେଥିରୁ ଭାଇରସ ଆପଣଙ୍କ ଦେହକୁ ଯାଇପାରେ । ତେଣୁ ହାତକୁ ଭଲ ଭାବେ ଧୋଇବା ପରେ ହିଁ ଉକ୍ତ ଅଙ୍କ ଗୁଡ଼ିକୁ ସ୍ପର୍ଶ କରିପାରିବେ । ଯଦି ଆପଣଙ୍କର କାଶ କିମ୍ବା ଘନଘନ ଛିଙ୍କ ହେଉଥାଏ, ତାହା ହେଲେ ତୁରନ୍ତ ମାସ୍କ ପିନ୍ଧନ୍ତୁ । ଏହା ଦ୍ୱାରା ଅନ୍ୟମାନଙ୍କୁ ଭାଇରସ ସଂକ୍ରମଣରୁ ରକ୍ଷା କରାଯାଇପାରିବ । କିନ୍ତୁ ସମସ୍ତେ ମାସ୍କ ପିନ୍ଧିବାର କିଛି ଆବଶ୍ୟକତା ନାହିଁ ।