ବତ୍ୟା ହେବ କି ନାହିଁ ଆକଳନ ହୋଇନି, କିନ୍ତୁ ସମ୍ଭାବନା ଅଛି 

ବତ୍ୟା ହେବ କି ନାହିଁ ଆକଳନ ହୋଇନି, କିନ୍ତୁ ସମ୍ଭାବନା ଅଛି 

ବାତ୍ୟା ପ୍ରବଣ ମାସ ହେଉଛି ଅକ୍ଟୋବର। ପ୍ରାୟତଃ ପ୍ରତିବର୍ଷ ଏହି ମାସରେ ଓଡ଼ିଶାକୁ ବାତ୍ୟା ଆସିଥାଏ। ତେଣୁ ଏବେ ବାତ୍ୟା ଆସିବା ନେଇ ଚର୍ଚ୍ଚା ହେଉଥିଲା। ହେଲେ ଏହାକୁ ଭାରତୀୟ ପାଣିପାଗ ଖଣ୍ଡନ କରି ନଥିଲେ ମଧ୍ୟ ବାତ୍ୟା ନେଇ ଏ ପର‌୍ୟ୍ୟନ୍ତ କିଛି ଆକଳନ କରାଯାଇନି। ତେବେ ଅବପାତ ନେଇ ପୂର୍ବାନୁମାନ କରାଯାଇଛି ବୋଲି IMD ଡିଜି କହିଛନ୍ତି।

IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଆସନ୍ତା ୨୦ ତାରିଖ ସୁଦ୍ଧା ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି। ୨୨ ତାରିଖ ବେଳକୁ ଏହା କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପରେ ପରିଣତ ହେବ । କ୍ରମେ ଲଘୁଚାପ କ୍ଷେତ୍ର ଉତ୍ତର ପଶ୍ଚିମ ଦିଗକୁ ଗତି କରି ୨୪ ତାରିଖରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୨୩ ତାରିଖରୁ ୨୫ ତାରିଖ ପର‌୍ୟ୍ୟନ୍ତ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ୨୪ ତାରିଖରେ ଅଧିକ ବର୍ଷା ହୋଇପାରେ। ତଥାପି ନିୟମିତ ମନିଟର କରାଯାଉଛି। ପରବର୍ତ୍ତୀ ସମୟରେ ଅପ୍‌ଡେଟ୍ ଦେବୁ। ବାତ୍ୟା ନେଇ କିଛି ଆକଳନ କରାଯାଇନି। ଅବପାତ ନେଇ ପୂର୍ବାନୁମାନ କରିଛୁ ବୋଲି IMD ଡିଜି କହିଛନ୍ତି।


ବାତ୍ୟାପ୍ରବଣ ଓଡ଼ିଶାର ଇତିହାସ ଦେଖିଲେ, ରାଜ୍ୟରେ ଅକ୍ଟୋବର ମାସରେ ଅଧିକାଂଶ ବାତ୍ୟା ମାଡ଼ ହୋଇଛି। ୧୯୯୯ ଅକ୍ଟୋବର ୨୯ ତାରିଖରେ ଉପକୂଳ ଓଡ଼ିଶାକୁ ଧ୍ୱସ୍ତବିଧ୍ୱସ୍ତ କରିଥିଲା ମହାବାତ୍ୟା। ପରେ ପୁଣି ୨୦୧୩ ଅକ୍ଟୋବରରେ ଆସିଥିଲା ଅତିଭୀଷଣ ସାମୁଦ୍ରିକ ଝଡ଼ ଫାଇଲିନ। ସେହିଭଳି ୨୦୧୪ ଅକ୍ଟୋବରରେ ହୁଡହୁଡ୍ ଓ ୨୦୧୮ ଅକ୍ଟୋବରରେ ତିତଲିର ତାଣ୍ଡବକୁ ସାମ୍ନା କରିଥିଲେ ଓଡ଼ିଶାବାସୀ।


ବରିଷ୍ଠ ପାଣିପାଗ ବିଜ୍ଞାନୀଙ୍କ ମତରେ ଏବେ ବାତ୍ୟା ପାଇଁ ଅନୁକୂଳ ପରିବେଶ ରହିଛି। ବାତ୍ୟା ସାଧାରଣତଃ ମୌସୁମୀ ଆଗମନ ଓ ପ୍ରତ୍ୟାବର୍ତ୍ତନ ସମୟରେ ହେଉଥିବା ବେଳେ ବର୍ତ୍ତମାନ ପ୍ରତ୍ୟାବର୍ତ୍ତନ ସମୟ। ସେହିଭଳି ସମୁଦ୍ର ପତ୍ତନର ତାପମାତ୍ର ମଧ୍ୟ ବାତ୍ୟା ଅନୁକୂଳ ରହିଛି। ଅନୂକୂଳ ପରିବେଶ ଓ ପରିସ୍ଥିତି ସାଙ୍ଗକୁ ଅଧିକାଂଶ ମେଡେଲର ଇଣ୍ଡିକେସନ ବାତ୍ୟା ଆଡ଼କୁ ଯାଉଥିଲେ ମଧ୍ୟ ଆସନ୍ତା ୨୨ ଓ ୨୩ ତାରିଖ ବେଳକୁ ଚିତ୍ର ସ୍ପଷ୍ଟ ହେବ ବୋଲି ପାଣିପାଗ ବିଜ୍ଞାନୀ ମତ ରଖିଛନ୍ତି।


ଗ୍ଲୋବାଲ ଫୋରକାଷ୍ଟ ସିଷ୍ଟମ- ଜିଏଫଏସ୍ ମଡେଲ ସମ୍ଭାବ୍ୟ ବାତ୍ୟାକୁ ନେଇ ଏଭଳି ଆକଳନ କରିଛି । କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ସମୁଦ୍ରରୁ ବଳ ଗୋଟାଇବ । ଫଳରେ ଏହା ବାତ୍ୟାରେ ପରିଣତ ହୋଇପାରେ । ତେବେ ଏହାର ତୀବ୍ରତା ଓ ଗତିପଥକୁ ନେଇ ବାରମ୍ୱାର ଆକଳନ ପରିବର୍ତ୍ତନ କରୁଛି ଜିଏଫଏସ୍ ମଡେଲ, ଯାହାକୁ ନେଇ ସନ୍ଦେହ ବଢୁଛି । କେବଳ ଜିଏଫଏସ ମଡେଲ ନୁହେଁ, ଅନ୍ତର୍ଜାତୀୟ ସ୍ତରରେ ପାଣିପାଗକୁ ପୂର୍ବାନୁମାନ କରୁଥିବା ଆଉ ଏକ ସଂସ୍ଥା ସେଣ୍ଟର ଫର ମିଡିୟମ ରେଞ୍ଜ ୱେଦର ଫୋରକାଷ୍ଟର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ମଡେଲ ମଧ୍ୟ ବାତ୍ୟାକୁ ନେଇ ପୂର୍ବାନୁମାନ କରିଛି । ଆଗାମୀ ୨୨ ତାରିଖରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଏହା ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେବ ବୋଲି ଆକଳନ କରିଛି ଏହି ମଡେଲ ।