ଏବେ ଚେତିଲେ, ଆଉ ଥାନାରେ ରହିବନି ବିସ୍ଫୋରକ
ଏବେ ଚେତିଲେ, ଆଉ ଥାନାରେ ରହିବନି ବିସ୍ଫୋରକ
କଟକ: ବଳଙ୍ଗା ଥାନାରେ ବିସ୍ଫୋରଣ ପରେ ଏବେ ଚେତିଛି ପୁଲିସ ବିଭାଗ । ଏଣିକି ପୁଲିସ ଜବତ କରୁଥିବା ବିସ୍ଫୋରକ ସାମଗ୍ରୀ ଆଉ ଥାନା ମାଲଖାନାରେ ରହିପାରିବ ନାହିଁ । ଥାନା ବାହାରେ ଏହାକୁ ସୁରକ୍ଷିତ ସ୍ଥାନରେ ଅକାମି କରିବା ପର୍ଯ୍ୟନ୍ତ ରଖାଯିବ । ଜବତ ପରେ ତୁରନ୍ତ ବୋମା ନିଷ୍କି୍ରୟକାରୀ ଦଳଙ୍କୁ ଡାକି ଜବତ ହୋଇଥିବା ବିସ୍ଫୋରକ ସାମଗ୍ରୀକୁ ଅକାମି କରାଯିବ । ଅକାମି ପରେ ତାକୁ ମାଲଖାନାରେ ରଖାଯାଇପାରିବ । ଏହି ମର୍ମରେ କ୍ରାଇମବ୍ରାଞ୍ଚ ପକ୍ଷରୁ ରାଜ୍ୟରେ ସମସ୍ତ ଜିଲ୍ଲା ଏସପି ଓ କମିସନରେଟ ପୁଲିସ ଡିସିପିଙ୍କୁ ନିଦେ୍ର୍ଧଶନାମା ଜାରି କରାଯାଇଛି । ମାଲଖାନାରେ ଥିବା ବିସ୍ଫୋରକ ସାମଗ୍ରୀକୁ ସୁରକ୍ଷିତ ସ୍ଥାନରେ ନେଇ ରଖିବାକୁ ନିଦେ୍ର୍ଧଶ ଦିଆଯାଇଛି। ବଳଙ୍ଗା ଥାନାରେ ଗଲା ୨୭ ତାରିଖରେ ଘଟିଥିବା ବିସ୍ଫୋରଣ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ଏଭଳି ଦୁର୍ଘଟଣାର କାରଣ ଖୋଜା ଯିବା ସହିତ ଭବିଷ୍ୟତରେ ଏଭଳି ଅଘଟଣ ଏଡାଇବାକୁ ବିଚାର ଆଲୋଚନା କରାଯାଇଥିଲା । କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ସନ୍ଧ୍ୟାରେ ଏହାକୁ ନେଇ ଏକ ଏସଓପି ଜାରି କରିଛନ୍ତି । ଅପରାଧିକ ମାମଲାରେ ପୁଲିସ ଜବତ କରୁଥିବା ବିସ୍ଫୋରକ ସାମଗ୍ରୀ ଯଦି ପୁଲିସ ଥାନା ପରିସରରେ ରଖୁଛି ତେବେ କିଭଳି ସତର୍କତା ପାଳନ କରିବ ସେ ନେଇ ଏସଓପିରେ ଦର୍ଶାଯାଇଛି ।




admin 