ଚିଦାମ୍ବରମ ଓ କାର୍ତ୍ତିଙ୍କୁ ୫୦ ଲକ୍ଷ ଲାଞ୍ଚ ଦେଇଥିଲେ ଇନ୍ଦ୍ରାଣୀ
ଚିଦାମ୍ବରମ ଓ କାର୍ତ୍ତିଙ୍କୁ ୫୦ ଲକ୍ଷ ଲାଞ୍ଚ ଦେଇଥିଲେ ଇନ୍ଦ୍ରାଣୀ
admin
Oct 19, 2019 - 09:12
Updated: Oct 19, 2019 - 09:12
ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ପୁଣି ଏକ ନୂଆ ତଥ୍ୟ ପଦାକୁ ଆସିଛି। ଏହି ମାମଲାରେ ଗିରଫ ହୋଇଥିବା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି. ଚିଦାମ୍ବରମ ଏବଂ ତାଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କୁ ଉଦ୍ୟୋଗବିତ୍ ତଥା ଆଇଏନଏକ୍ସ ମିଡିଆର ପ୍ରତିଷ୍ଠାତା ଇନ୍ଦ୍ରାଣୀ ମୁଖାର୍ଜୀ ୫୦ ଲକ୍ଷ ଟଙ୍କା ଲାଞ୍ଚ ଦେଇଥିଲେ। ସିବିଆଇ ଦାଖଲ କରିଥିବା ଚାର୍ଜଶିଟ୍ରେ ଏହା ଦର୍ଶାଯାଇଛି। ଇନ୍ଦ୍ରାଣୀ ସିଙ୍ଗାପୁର, ମରିସସ, ବରମୁଡା, ବ୍ରିଟେନ ଏବଂ ସ୍ବିଜରଲାଣ୍ଡରେ ଥିବା ଚିଦାମ୍ବରମ ଏବଂ ତାଙ୍କ ପୁଅ କାର୍ତ୍ତିଙ୍କ ଆକାଉଣ୍ଟକୁ ଏହି ଟଙ୍କା ପଠାଇଥିବା କୁହାଯାଇଛି। ଇନ୍ଦ୍ରାଣୀଙ୍କ ଏହି ଅଭିଯୋଗ ପରେ ସିବିଆଇ ଟଙ୍କା କାରବାର ସମ୍ପର୍କିତ ତଥ୍ୟ ହାସଲ ପାଇଁ ସମ୍ପୃକ୍ତ ୫ଟି ଦେଶକୁ ଚିଠି ପଠାଇବା ସହିତ ଉତ୍ତରକୁ ଅପେକ୍ଷା କରିଛି। ଲାଞ୍ଚ କାରବାର ପାଇଁ ଚିଦାମ୍ବରମ ଏବଂ ତାଙ୍କ ମଧ୍ୟରେ ୨୦୦୭ ମାର୍ଚ୍ଚ କିମ୍ବା ଏପ୍ରିଲରେ ବୈଠକ ହୋଇଥିଲା ବୋଲି ମଧ୍ୟ ଇନ୍ଦ୍ରାଣୀ ସିବିଆଇକୁ କହିଛନ୍ତି। ସୂଚନାଯୋଗ୍ୟ, ଇନ୍ଦ୍ରାଣୀ ମୁଖାର୍ଜୀ ବର୍ତ୍ତମାନ ମୁମ୍ବଇର ଏକ ଜେଲରେ ବନ୍ଦୀ ଅଛନ୍ତି। ଝିଅ ଶିନା ବୋରା ହତ୍ୟା ମାମଲାରେ ସେ ଗିରଫ ହୋଇଥିଲେ। ଇନ୍ଦ୍ରାଣୀ ଆଇଏନଏକ୍ସ ମିଡିଆର ପ୍ରତିଷ୍ଠାତା ଥିଲେ।