ବିଜେପି ନେତାଙ୍କୁ ମୋଦିଙ୍କ ଚେତାବନୀ

ବିଜେପି ନେତାଙ୍କୁ ମୋଦିଙ୍କ ଚେତାବନୀ

ବିଜେପି ନେତାଙ୍କୁ ମୋଦିଙ୍କ ଚେତାବନୀ
ନୂଆଦିଲ୍ଲୀ : ବିଜେପି ନେତା କୈଳାସ ବିଜୟବର୍ଗୀୟଙ୍କ ପୁଅ ଆକାଶ ବିଜୟବର୍ଗୀୟ ଜଣେ ଅଧିକାରୀଙ୍କୁ ଗାଳିଗୁଲଜ କରିବା ସହ ବ୍ୟାଟ୍ରେ ପିଟିବା ଘଟଣାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗମ୍ଭୀରତାର ସହ ନେଇଛନ୍ତି । ଆଜିି ବିଜେପି ସଂସଦୀୟ ଦଳ ବୈଠକରେ ପ୍ରଧାନମନ୍ତ୍ରୀ ଚେତାବନୀ ଦେଇ କହିଛନ୍ତ, ଅହଂକାର ଏବଂ ଦୁର୍ବ୍ୟବହାରକୁ ସହ୍ୟ କରାଯିବ ନାହିଁ । କୌଣସି ବିଜେପି ନେତାଙ୍କ ଉଗ୍ର ଏବଂ ଅଶୋଭନୀୟ ଆଚରଣକୁ ବରଦାସ୍ତ କରାଯିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ଚେତାଇ ଦେଇଛନ୍ତି । ମୋଦି କହିଛନ୍ତି ସେ ଯିଏ ମଧ୍ୟ ହେଉ ଏବଂ ଯାହା ପୁଅ ହେଉ ଏଭଳି ଅଶୋଭନୀୟ ଆଚରଣକୁ ଦଳରେ ପ୍ରଶୟ ମିଳିବ ନାହିଁ ଏବଂ ଏହା ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ହେବ । ଏଠି ବେପରୁଆ ଏବଂ ମନମୁଖୀ ନୀତି ଚଳିବ ନାହିଁ ବୋଲି ମୋଦି କହିଛନ୍ତି । ତେବେ ମୋଦି କୌଣସି ବ୍ୟକ୍ତିଙ୍କ ନାମ ନେଇନଥିଲେ ମଧ୍ୟ ସେ ଏହି କଥା ଆକାଶ ବିଜୟବର୍ଗୀୟଙ୍କୁ ଦୃଷ୍ଟିରେ ରଖି କହିଛନ୍ତି ବୋଲି ସ୍ପଷ୍ଟ ହୋଇଯାଉଛି । ଆଜି ମୋଦି ବିଜେପି ସଂସଦୀୟ ଦଳ ବୈଠକରେ ଏହି ମନ୍ତବ୍ୟ ରଖିଥିବା ବେଳେ ସେଠାରେ ଆକାଶଙ୍କ ପିତା କୈଳାସ ବିଜୟବର୍ଗୀୟ ମଧ୍ୟ ଉପସ୍ଥିତ ଥିଲେ । ମୋଦି କହିଛନ୍ତି, ଭିଡିଓରେ ମୁଁ ଦେଖିବାକୁ ପାଇଲି, ଲୋକେ ଅଧିକାରୀଙ୍କୁ ମାରପିଟ କରୁଛନ୍ତି । ଲୋକେ କଣ ଏଥିପାଇଁ ଆମକୁ ଭୋଟ ଦେଇଥିଲେ । ଯେଉଁ ବିଜେପି ନେତାମାନେ ଏଭଳି କାର୍ଯ୍ୟରେ ସାମିଲ ଥିଲେ ସେମାନଙ୍କୁ ବହିଷ୍କାର କରାଯାଉ ବୋଲି ମୋଦି କହିଛନ୍ତି । ଆଜି ବିଜେପି ସଂସଦୀୟ ଦଳ ବୈଠକରେ ବିଜେପି ଅଧ୍ୟକ୍ଷ ଅମିତ ଶାହ ଏବଂ ବିଜେପି କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ସମ୍ମାନିତ କରାଯାଇଥିଲା । ମୋଦି ଆସନ୍ତା ୬ ତାରିଖରୁ ବାରଣାସୀରେ ବିଜେପି ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିବେ ।