ଭାରତର ପ୍ରଥମ ସମ୍ବାଦପତ୍ର
ଭାରତର ପ୍ରଥମ ସମ୍ବାଦପତ୍ର
admin
Jan 29, 2020 - 09:38
Updated: Jan 29, 2020 - 09:38
ଭାରତୀୟ ସାମ୍ବାଦିକତା ଓ ସମ୍ବାଦପତ୍ର ଜଗତ ପାଇଁ ଆଜି ଏକ ସ୍କରଣୀୟ ଦିନ । ୧୭୮୦ ଆଜିର ଦିନ ଅର୍ଥାତ୍ ଜାନୁଆରୀ ୨୯ତାରିଖରେ ଭାରତର ପ୍ରଥମ ଖବରକାଗଜ ଭାବେ ମାନ୍ୟତା ପାଇଥିବା ‘ଦ ବେଙ୍ଗଲ ଗେଜେଟ୍’ କଲିକତାରୁ ଆତ୍ମପ୍ରକାଶ କରିଥିଲା । ଏହାର ପ୍ରକାଶକ ଥିଲେ ଇଷ୍ଟ ଇଣ୍ଡିଆ କଂପାନୀର କର୍ମଚାରୀ ଜେମ୍ସ ଅଗଷ୍ଟସ୍ ହିକି । ଏହି ଖବରକାଗଜ ମଧ୍ୟ ‘ହିକିଜ୍ ବେଙ୍ଗଲ୍ ଗେଜେଟ୍’ ଓ ‘ଦ ଅରିଜିନାଲ କଲିକତା ଜେନେରାଲ ଆଡଭାର୍ଟାଇଜର୍’ ଭାବେ ପରିଚିତ । ଚାରି ପୃଷ୍ଠା ବିଶିଷ୍ଟ ଏହି ଖବରକାଗଜ ପ୍ରକାଶନ ପଛରେ ମୁଖ୍ୟ ଉଦ୍ଦେଶ୍ୟ ଥିଲା ଇଷ୍ଟ୍ ଇଣ୍ଡିଆ କଂପାନୀର ମନମୁଖୀ କାର୍ଯ୍ୟର ପ୍ରତିବାଦ, କଂପାନୀର ଦୁର୍ନୀତି ଓ ଶୋଷଣ ବିଷୟରେ ଜନସାଧାରଣକୁ ଅବଗତ ଓ ସେମାନଙ୍କ ଅଧିକାର ବାବଦରେ ସଚେତନତା ସୃଷ୍ଟି, ଖବରକାଗଜ ଲୋକପ୍ରିୟତା ହାସଲ କରିଥିଲା । ଏହାର ଚାହିଦା ବେଶୀ ବିଜ୍ଞାପନ ପାଇଁ ଥିଲା । ସେଥିରେ ମଧ୍ୟ ବ୍ରିଟିଶ କାର୍ଯ୍ୟକଳାପ ବିରୋଧି ଖବର ନିୟମିତ ପ୍ରକାଶ ପାଉଥିଲା । ତତ୍କାଳୀନ ଗଭର୍ଣ୍ଣର ଜେନେରାଲ ୱାରେନ୍ ହେଷ୍ଟିଙ୍ଗସ୍ ଓ ଚିଫ୍ ଜଷ୍ଟିସ୍ ଏଲିଜା ଇମ୍ଫେ ଏହି ଖବରକାଗଜକୁ ନିଷିଦ୍ଧ ଲାଗି ପଦକ୍ଷେପ ନେଇଥିଲେ । ଏପରିକି ହିକି ଗୋଟିଏ ବର୍ଷ ପାଇଁ ଦେଶାନ୍ତର ସହ ଦୁଇ ହଜାର ଟଙ୍କାର ଅର୍ଥଦଣ୍ଡ ଭୋଗିଥିଲେ । ଏହା ଦ୍ୱାରା ଖବରକାଗଜ ଅଧିକ ଦିନ ତିଷ୍ଠିପାରି ନଥିଲା । ଶେଷରେ ୧୭୮୨ ମାର୍ଚ୍ଚ ୨୩ ତାରିଖ ଠାରୁ ସବୁଦିନ ପାଇଁ ଏହାର ପ୍ରକାଶନ ବନ୍ଦ ହୋଇଯାଇଥିଲା ।