ମହାନଦୀ ଜଳବିବାଦ: ପ୍ରକଳ୍ପ ସମୀକ୍ଷା କରିବେ ୨ ରାଜ୍ୟର ବୈଷୟିକ ଟିମ୍
ମହାନଦୀ ଜଳବିବାଦ: ପ୍ରକଳ୍ପ ସମୀକ୍ଷା କରିବେ ୨ ରାଜ୍ୟର ବୈଷୟିକ ଟିମ୍
admin
Sep 29, 2019 - 10:17
Updated: Sep 29, 2019 - 10:17
ନୂଆଦିଲ୍ଲୀ : ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଲାଗି ରହିଥିବା ମହାନଦୀ ଜଳବିବାଦର ସମାଧାନ ପାଇଁ ଦୁଇ ରାଜ୍ୟ ପାଦେ ଆଗେଇଛନ୍ତି । ଆଜି ମହାନଦୀ ଜଳବିବାଦ ଟ୍ରିବୁ୍ୟନାଲରେ ହୋଇଥିବା ଶୁଣାଣିରେ ଉଭୟ ରାଜ୍ୟ ପରସ୍ପରର ପ୍ରକଳ୍ପ ସମୀକ୍ଷା କରିବାପାଇଁ କ୍ଷେତ୍ର ପରିଦର୍ଶନ କରିବେ ବୋଲି ଟ୍ରିବୁ୍ୟନାଲ୍ଙ୍କୁ ଅବଗତ କରାଇଥିଲେ । ମହାନଦୀ ଜଳବିବାଦ ଟ୍ରିବୁ୍ୟନାଲର ଅଧ୍ୟକ୍ଷ ବିଚାରପତି ଏ ଏମ୍ ଖାନ୍ୱିଲକରଙ୍କୁ ନେଇ ଗଠିତ ୩ ଜଣିଆ ଖଣ୍ଡପୀଠରେ ଓଡ଼ିଶାର ଆଡଭୋକେଟ୍ ଜେନେରାଲ୍ ଅଶୋକ ପରିଜା ଓ ଛତିଶଗଡ଼ର ଓକିଲ ଏକେ ଗାଙ୍ଗୁଲି ଦୁଇ ରାଜ୍ୟ ମିଳିତ ଭାବେ ମହାନଦୀ ସମ୍ପର୍କିତ ପ୍ରକଳ୍ପ ଗୁଡ଼ିକର ସମୀକ୍ଷା ଓ ଅନୁଧ୍ୟାନ କରିବାପାଇଁ କ୍ଷେତ୍ର ପରିଦର୍ଶନ କରିବା ନିମନ୍ତେ ସହମତି ପ୍ରକାଶ କରିଥିବା ଜଣାଇଥିଲେ । ଓଡ଼ିଶା ପ୍ରଥମେ ଛତିଶଗଡ଼ ଗସ୍ତ କରି ପ୍ରକଳ୍ପ ଅନୁଧ୍ୟାନ କରିବ ବୋଲି କୁହାଯାଇଥିଲା । ଅକ୍ଟୋବର ୩୦ରୁ ନଭେମ୍ବର ୨ ପର୍ଯ୍ୟନ୍ତ ଓଡ଼ିଶା ପ୍ରଥମେ ଛତିଶଗଡ଼ ଗସ୍ତ କରି ଛତିଶଗଡ଼ରେ ମହାନଦୀ ଅବବାହିକାର ପ୍ରକଳ୍ପ ଗୁଡ଼ିକର ଅନୁଧ୍ୟାନ କରିବ ଏବଂ ଏହାପରେ ଛତିଶଗଡ଼ ଟିମ୍ ନଭେମ୍ବର ୧୭ରୁ ୧୯ ପର୍ଯ୍ୟନ୍ତ ଓଡ଼ିଶା ଆସି ପକଳ୍ପ ସମୀକ୍ଷା ଓ ଅନୁଧ୍ୟାନ କରିବେ । ଉଭୟ ରାଜ୍ୟ ଦ୍ୱାରା କ୍ଷେତ୍ର ପରିଦର୍ଶନ ସମ୍ପର୍କିତ ରିପୋର୍ଟ ନଭେମ୍ବର ୩୦ରେ ଟ୍ରିବୁ୍ୟନାଲରେ ଦାଖଲ କରାଯିବ । ପରବର୍ତ୍ତୀ ଶୁଣାଣି ପାଇଁ ଟ୍ରିବୁ୍ୟନାଲ୍ ନଭେମ୍ବର ୩୦ ତାରିଖକୁ ଧାର୍ଯ୍ୟ କରିଛନ୍ତି ।
ଆଜି ଶୁଣାଣି ସମୟରେ ଆଡଭୋକେଟ୍ ଜେନେରାଲ ଅଶୋକ ପରିଜା ଖୁବ୍ଶୀଘ୍ର ଆସେସର୍ ନିଯୁକ୍ତି କରିବାପାଇଁ ଟ୍ରିବୁ୍ୟନାଲ୍ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଛତିଶଗଡ଼ ପକ୍ଷରୁ ମଧ୍ୟ ଅନୁରୂପ ମତ ରହିଥିଲା । ଟ୍ରିବୁ୍ୟନାଲ୍ ସେପ୍ଟେମ୍ବର ୨ ରେ ଆସେସର ନିଯୁକ୍ତି ହେବ ବୋଲି ସ୍ପଷ୍ଟ କରିଥିଲେ । କିନ୍ତୁ ଆଜିର ଶୁଣାଣି ସମୟରେ ପ୍ରକଳ୍ପ ଅଞ୍ଚଳ ସମୀକ୍ଷା ପାଇଁ ତାରିଖ ନିଧାର୍ଯ୍ୟ ହୋଇଥିଲେ ସୁଦ୍ଧା ଟିମର ରୂପରେଖ ସମ୍ପର୍କରେ କୌଣସି ଆଲୋଚନା ହୋଇନାହିଁ । ତେବେ ଖୁବ୍ଶୀଘ୍ର ଟିମ୍ର ରୂପରେଖ ସଂକ୍ରାନ୍ତରେ ଆଲୋଚନା ହୋଇ ଟିମ୍ ଗଠନ କରାଯିବ ବୋଲି ଅଶୋକ ପରିଜା କହିଛନ୍ତି । ଟିମର ବୈଷୟିକ ସଦସ୍ୟ ଅଧିକ ରହିବେ ବୋଲି ସେ ସଙ୍କେତ ଦେଇଛନ୍ତି ।