ଲୋକଙ୍କ ସହ ମିଶି ମାଦଳ ବଜାଇଲେ, ମାକାଳୀଙ୍କୁ ଦର୍ଶନ କରି ବାଣ ଫୁଟାଇଲେ

ଲୋକଙ୍କ ସହ ମିଶି ମାଦଳ ବଜାଇଲେ, ମାକାଳୀଙ୍କୁ ଦର୍ଶନ କରି ବାଣ ଫୁଟାଇଲେ

ନିଜ ଗାଁ ରାଇକଳାରେ ଦୀପାବଳି ପାଳନ କରିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପରିବାର, ବନ୍ଧୁ, ପରିଜନ, ଗାଁସାଥୀ, କର୍ମୀଙ୍କ ମହଲରେ ବାଣ ଫୁଟାଇଛନ୍ତି ଗାଁର ପୁଅ, ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସଂଧ୍ୟାରେ ନିଜ ଘରେ ଉପସ୍ଥିତ ରହି ସେ ସମୁହ ବାଣ ଫୁଟାଇଥିଲେ । ବିଶେଷତଃ ସେ ଝୁରଝୁରି ବାଣ ଫୁଟାଇବା ସହ ଦୀପ ଜାଳିଥିଲେ । ଗୁରୁବାର ଅପରାହ୍ନରେ ପ୍ରଥମେ ରାଇସୁଁଆ ଏୟାରଷ୍ଟ୍ରିପରେ ପହିଚିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ଵାଗତ ସମ୍ବର୍ଧନା ପ୍ରଦାନ କରାଯାଇଥିଲା । ପ୍ରଥମେ ନିଜ ଗାଁ ମୁଣ୍ଡ ପଡ଼ିଆରେ ଗୋଠାଣି ପୂଜାରେ ଯୋଗ ଦେବାପରେ ନିଜ ପରିବାର ଓ ଆତ୍ମୀୟସ୍ୱଜନଙ୍କ ସହିତ ଦୀପାବଳି ପାଳନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସ୍ଵାଗତ ପାଇଁ ସଜାଇ ହେଇଥିଲା ରାଇକଳା ଗାଁ । ଗାଁ ଦାଣ୍ଡରେ ଝିଅ, ବୋହୁମାନେ ମୁରୁଜ ପକାଇଥିଲେ । ଏଥି ସହିତ କଳସ ସଜାଯାଇଥିଲା । ମୁଖ୍ୟମନ୍ତ୍ରୀ ଗାଁକୁ ଆସିଲା‌ ପରେ ଆରମ୍ଭ ହୋଇଥିଲା ସ୍ଵାଗତ ସମ୍ବର୍ଧନାର ପର୍ବ । ପୂର୍ବରୁ ବିଧାୟକ ଭାବେ ଆସୁଥିଲେ, ଏବେ ମୁଖ୍ୟମନ୍ତ୍ରୀ ଭାବେ ନିଜ ଗାଁକୁ ଆସିଲେ ମୋହନ ଚରଣ ମାଝୀ । କାଳୀପୂଜାରେ ଘରେ ପୂଜା କରିବା ସହ , ଗାଁରେ ନିଜକୁ ଦୀପାବଳିରେ ସାମିଲ୍ କରିଥିଲେ ମୁଖ୍ୟମନ୍ତ୍ରୀ । ଏଥିପାଇଁ ରାଇକଳା ଗାଁରେ ସମସ୍ତେ ଉତ୍ସାହିତ ହୋଇ ପଡ଼ିଥିଲେ।

କାଳୀପୂଜା ଅବସରରେ ଆଦିବାସୀ ପରମ୍ପରାରେ  ଗୋଠାଣି ପୂଜା ପାଳିତ ହୋଇଥାଏ । ଗାଁ ପାଖ ଏକ ପଡ଼ିଆରେ ଅଣ୍ଡାକୁ ପୂଜାର୍ଚ୍ଚନା କରିବା ପରେ ଗୋରୁଙ୍କୁ ସେଠାରେ ଛଡ଼ାଯାଇଥାଏ । ମୋହନ ଘରେ ପହଞ୍ଚି ପଇଡ ପାଣି ପିଇବା ସହ ମିଠା ଖାଇଥିଲେ । ତାପରେ ଗାଁ ଲୋକଙ୍କ ସୁଖ ଦୁଃଖ ବୁଝିଥିଲେ । ପରେ ମାଦଳ ବଜାଇ ଗ୍ରାମବାସୀଙ୍କ ସହ ଦୀପାବଳୀ ମନାଇଥିଲେ । ଶେଷରେ ଝିରିଝିରି ବାଣ ଫୂଟାଇବା ସହିତ ରାଜ୍ୟବାସୀଙ୍କୁ ଶୁଭେଛା ସହ ଶୁଭକାମନା ଜଣାଇଥିଲେ ।