୩ ଶିକ୍ଷକଙ୍କୁ ନିଲମ୍ବିତ କଲେ ସରାକର, ଜାଣନ୍ତୁ କାରଣ କଣ
୩ ଶିକ୍ଷକଙ୍କୁ ନିଲମ୍ବିତ କଲେ ସରାକର, ଜାଣନ୍ତୁ କାରଣ କଣ
admin
Apr 12, 2021 - 13:33
Updated: Apr 12, 2021 - 13:33
ଓଟିଇଟି ପରୀକ୍ଷାରେ ମୋବାଇଲ ଜବତ ଘଟଣା, ୩ ଶିକ୍ଷକ ନିଲମ୍ବିତ
ଦେବଗଡ଼: ଦେବଗଡ଼ ଜିଲ୍ଲା ଅନ୍ତର୍ଗତ ପୌରାଞ୍ଚଳ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କେନ୍ଦ୍ରରେ ଓଟିଇଟି ପ୍ରଶ୍ନପତ୍ର ଭାଇରାଲ ଘଟଣାରେ ୩ ଜଣ ଶିକ୍ଷକଙ୍କୁ ନିଲମ୍ବନ କରାଯାଇଛି । ଗତ ୯ ତାରିଖରେ ଅନୁଷ୍ଠିତ ଏହି ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲ ସହ ଜଣେ ମହିଳା ପରୀକ୍ଷାର୍ଥୀଙ୍କ ଠାରୁ ମୋବାଇଲ ଫୋନ ଜବତ କରାଯାଇଥିଲା । ଯାହାକୁ ନେଇ ସାରା ରାଜ୍ୟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଘଟଣାର ଦୁଇଦିନ ପରେ ଦେବଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ସଚ୍ଚିଦାନନ୍ଦ ବେହେରା ପରୀକ୍ଷା ପରିଚାଳନାରେ ଅବହେଳା ଯୋଗୁଁ ୩ ଶିକ୍ଷକଙ୍କୁ ନିଲମ୍ବନ କରିଛନ୍ତି । ପରୀକ୍ଷା ଦିନ ପ୍ରଥମ ସିଟିଂ ପେପର-୧ ପରୀକ୍ଷା ଆରମ୍ଭ ହେବାର ଘଣ୍ଟାଏ ନପୂରୁଣୁ ପ୍ରଶ୍ନପତ୍ର ଏବଂ ଉତ୍ତର ମୋବାଇଲରୁ ମୋବାଇଲକୁ ଭାଇରାଲ ହୋଇଥିବା ଜଣାପଡ଼ିଥିଲା । ସାଢେ଼ ୮ଟା ସମୟରେ ଉକ୍ତ ପରୀକ୍ଷା କେନ୍ଦ୍ରରେ ପର୍ଯ୍ୟବେକ୍ଷକ ଏବଂ ପରୀକ୍ଷା କେନ୍ଦ୍ରର ସୁପରିଟେଣ୍ଡେଣ୍ଟ ରାଉଣ୍ଡ ଚେକିଂ କରିବା ସମୟରେ ଜଣେ ପରୀକ୍ଷାର୍ଥୀଙ୍କ ନିକଟରୁ ପ୍ରଶ୍ନପତ୍ରର ଚିତ୍ର ଉତ୍ତୋଳନ ହୋଇଥିବା ଏକ ମୋବାଇଲ ଫୋନ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଜବତ କରାଯାଇଥିଲା । ଘଟଣା ପରେ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ପରୀକ୍ଷା କେନ୍ଦ୍ର ସୁପରିଟେଣ୍ଡେଣ୍ଟ ଦାୟିତ୍ୱରେ ଥିବା ବିଦ୍ୟାଳୟର ପ୍ରଧାନଶିକ୍ଷକ କୁମୁଦବନ୍ଧୁ ପୃଷ୍ଟିଙ୍କୁ ପରିବର୍ତ୍ତନ କରାଯାଇ ସୁଗୁଡ଼ା ହାଇସ୍କୁଲର ପ୍ରଧାନଶିକ୍ଷକ ରାମେଶ୍ୱର ନାୟକଙ୍କୁ ସୁପରିଟେଣ୍ଡେଣ୍ଟ ଦାୟିତ୍ୱ ଦିଆଯାଇଥିଲା । ଏ ନେଇ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ ମଧ୍ୟ ହୋଇଥିଲା । ପୁଲିସ ଅଭିଯୋଗ ପାଇବା ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା । ଅନ୍ୟ ପକ୍ଷରେ ତଦନ୍ତ ସମୟରେ ପରୀକ୍ଷା ପରିଚାଳନାରେ ଅବହେଳା ହୋଇଥିବା ଜଣାପଡ଼ିବା ପରେ ଶିକ୍ଷକ ସୁଶାନ୍ତ ରାୟ, ବିଶ୍ୱନାଥ କିଷାନ ଓ ରଞ୍ଜିତା ମିଶ୍ରଙ୍କୁ ନିଲମ୍ବନ କରାଯାଇଛି ।