ବିଜେଡିକୁ କଡ଼ା ସମାଲୋଚନା କଲେ : ଅମିତ ଶାହ

ବିଜେଡିକୁ କଡ଼ା ସମାଲୋଚନା କଲେ : ଅମିତ ଶାହ

  ବିଜେଡିକୁ କଡ଼ା ସମାଲୋଚନା କଲେ : ଅମିତ ଶାହ
ଭୁବନେଶ୍ଵର: ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି ଗଜପତି ଜିଲାରେ ନିର୍ବାଚନୀ ପ୍ରଚାର କରିଛନ୍ତି। ସଭା ମଞ୍ଚରେ ଉତ୍କଳ ଦିବସକୁ ନେଇ ଭାଷଣ ଆରମ୍ଭ କରିଥିଲେ। ଉତ୍କଳ ଦିବସରେ ସେ ଓଡ଼ିଶା ଆସିଥିବାରୁ ଏହା ତାଙ୍କର ସୌଭାଗ୍ୟ ବୋଲି କହିଥିଲେ। କିନ୍ତୁ ଏହି ସମୟରେ ଓଡ଼ିଶାର ବରପୁତ୍ରମାନଙ୍କ ନାମ ତ୍ରୁଟିପୂର୍ଣ୍ଣ ଭାବେ ଉଚାରଣ କରି ଅସମ୍ମାନ କରିଥିଲେ। ସେ କହିଥିଲେ, ପୂରା ଦେଶରେ ଭାଷା ଭିତ୍ତିରେ ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ। ଏହା ପରେ ସେ ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ ଏବଂ ଗଙ୍ଗାଧର ମେହେରଙ୍କ ନାମ ନେଇଥିଲେ। କିନ୍ତୁ ସେ ଉତ୍କଳମଣି ଗୋପବନ୍ଧୁଙ୍କ ବଦଳରେ ଗୋପାଳ ବନ୍ଧୁ ବୋଲି ସମ୍ବୋଧନ କରିଥିଲେ। ସେହିପରି ଗଙ୍ଗାଧର ମେହେରଙ୍କ ବଦଳରେ ଗଙ୍ଗାଧର ମୋହର ବୋଲି କହିଥିଲେ।ଭାଷଣ ଆରମ୍ଭରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଡ଼ା ସମାଲୋଚନା କରି ଅମିତ ଶାହ କହିଥିଲେ,“ନବୀନ ପଟ୍ଟନାୟକ ୧୯ ବର୍ଷ ହେଲାଣି ଓଡ଼ିଶାରେ ଶାସନ କରୁଛନ୍ତି। କିନ୍ତୁ ଦୁର୍ଭାଗ୍ୟର କଥା ସେ ଆଜି ପର‌୍ୟ୍ୟନ୍ତ ଓଡ଼ିଆ କହିପାରିଲେନି। ତେଣୁ ଆପଣମାନେ ଏମିତି ଜଣେ ମୁଖ୍ୟମନ୍ତ୍ରୀ ବାଛନ୍ତୁ ଯିଏ ଓଡ଼ିଆରେ କଥା ହୋଇପାରିବେ। ଇଂରାଜୀ କହୁଥିବା ଲୋକେ ଚଳିବେନି।” ସେ କହିଥିଲେ,“ନିକଟରେ ସୁରଟରେ ଏକ ସଭା କରିଥିଲି। ସେଠାରେ ୩୦ ହଜାର ଓଡ଼ିଆ ଲୋକ ସାମିଲ ହୋଇଥିଲେ। ତେବେ ଓଡ଼ିଶାର ହଜାର ହଜାର ଲୋକ କାହିଁକି ନିଜ ଘରଦ୍ୱାର, ବାପାମା’ ଓ ପିଲାଛୁଆ ଛାଡ଼ି ସୁରଟ ଯାଉଛନ୍ତି? ୧୯ ବର୍ଷ ହେଲାଣି ନବୀନ ବାବୁଙ୍କ ସରକାର କ’ଣ କରୁଛି? ବିଜେପି ସରକାରକୁ ଆସିଲେ ଓଡ଼ିଶା ଲୋକଙ୍କୁ ଆଉ ସୁରଟ ଯିବାକୁ ପଡ଼ିବନି। ସେମାନେ ନିଜ ଗାଁରେ କାମ ପାଇବେ ଓ ନିଜ ଘର ଲୋକଙ୍କ ସହିତ ରହିବେ।”