ବିଏମସି ଗର୍ଭବତୀଙ୍କ ପାଇଁ ଘରୁ ନମୁନା ସଂଗ୍ରହ କରିବ
ବିଏମସି ଗର୍ଭବତୀଙ୍କ ପାଇଁ ଘରୁ ନମୁନା ସଂଗ୍ରହ କରିବ
admin
May 18, 2021 - 05:41
Updated: May 18, 2021 - 05:41
ଭୁବନେଶ୍ୱର: ବରିଷ୍ଠ ନାଗରିକଙ୍କ ପାଇଁ ଘରୁ ସ୍ୱାବ ସଂଗ୍ରହ ବ୍ୟବସ୍ଥା ଆରମ୍ଭ ହୋଇଥିବା ବେଳେ ବିଏମସି ଗର୍ଭବତୀଙ୍କ ପାଇଁ ବି ଘରୁ ସ୍ୱାବ ସଂଗ୍ରହ କରିବାକୁ ନିଷ୍ପତ୍ତି ନେଇଛି । ଫଳରେ ଗର୍ଭବତୀମାନେ ଏଣିକି ଧାଡ଼ିରେ ଛିଡ଼ା ହୋଇ କୋଭିଡ ପରୀକ୍ଷା କରିବାକୁ ପଡ଼ିବନି । ସମସ୍ତ ହସ୍ପିଟାଲରେ ଏବେ ପ୍ରସୂତିଙ୍କ ଆଡମିସନ ପୂର୍ବରୁ କୋଭିଡ ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି । ତେଣୁ ଗର୍ଭବତୀମାନେ ବିଭିନ୍ନ ହସ୍ପିଟାଲ, ଘରୋଇ ଲାବୋରଟୋରିରେ ଲମ୍ବା ଧାଡ଼ିରେ ଛିଡା ହୋଇ ନମୂନା ଦେଉଛନ୍ତି । ଏହା ଦ୍ୱାରା ସେମାନେ ଅହେତୁକ କଷ୍ଟ ପାଉଥିବା ବେଳେ ସେଠାରେ କୋଭିଡ ସଂକ୍ରମିତ ହେବାର ଭୟ ରହୁଛି । ତେଣୁ ବିଏମସି ପକ୍ଷରୁ ଗର୍ଭବତୀଙ୍କ ଘରକୁ ଯାଇ ନମୁନା ସଂଗ୍ରହ କରିବାକୁ ନିଷ୍ପତ୍ତି ହୋଇଛି । ବିଏମସି ପକ୍ଷରୁ କୁହାଯାଇଛି ଯେ ଗର୍ଭବତୀମାନେ ସକାଳ ୮ଟାରୁ ପୂର୍ବାହ୍ନ ୧୧ଟା ମଧ୍ୟରେ ୧୯୨୯ ନମ୍ବରରେ ଫୋନ କରି ବୁକିଂ କରିପାରିବେ । ବୁକିଂ କରିପାରିବା ସମୟରେ ଠିକ୍ ମୋବାଇଲ ନମ୍ବର, ଠିକ୍ ଠିକଣା, ନାମ ଆଦି ଦେବାକୁ ହେବ । ଯେଉଁଦିନ ବୁକିଂ କରିବେ, ତା ପରଦିନ ବିଏମସିର ଟେଷ୍ଟିଂ ଭ୍ୟାନ ତାଙ୍କ ଘରେ ପହଞ୍ଚି ନମୁନା ସଂଗ୍ରହ କରିବ । ତା ପରଦିନ ସେମାନଙ୍କୁ ରିପୋର୍ଟ ମିଳିଯିବ ।