ଭାରତରେ ୧୯୭୦ରୁ ୨୦୧୯ ପର୍ଯ୍ୟନ୍ତ ୫୦ ବର୍ଷ ଭିତରେ ୧୧୭ଟି ବାତ୍ୟା ଆସିଛି
ଭାରତରେ ୧୯୭୦ରୁ ୨୦୧୯ ପର୍ଯ୍ୟନ୍ତ ୫୦ ବର୍ଷ ଭିତରେ ୧୧୭ଟି ବାତ୍ୟା ଆସିଛି
admin
May 28, 2021 - 05:57
Updated: May 28, 2021 - 05:57
ନୂଆଦିଲ୍ଲୀ: ଭାରତରେ ୧୯୭୦ରୁ ୨୦୧୯ ପର୍ଯ୍ୟନ୍ତ ୫୦ ବର୍ଷ ଭିତରେ ୧୧୭ଟି ବାତ୍ୟା ଆସିଛି ଏବଂ ଏଥିରେ ୪୦ ହଜାରରୁ ଅଧିକ ଲୋକଙ୍କ ମୃତୁ୍ୟ ଘଟିଛି । ଭୀଷଣ ପ୍ରତିକୂଳ ପାଣିପାଗ ସମ୍ବନ୍ଧୀୟ ଘଟଣା ସଂକ୍ରାନ୍ତ ଏକ ଅଧ୍ୟୟନରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ସାମୁଦ୍ରିକ ଝଡ଼ ଯୋଗୁଁ ହେଉଥିବା ମୃତୁ୍ୟହାର ବିଗତ ୧୦ ବର୍ଷ ମଧ୍ୟରେ ଯଥେଷ୍ଟ କମିଛି । ଅଧ୍ୟୟନ ମୁତାବକ, ଏହି ୫୦ ବର୍ଷ ମଧ୍ୟରେ ଦେଶରେ ଚରମ ପ୍ରତିକୂଳ ପାଣିପାଗ ସଂପର୍କିତ ୭୦୬୩ ଘଟଣା ଘଟିଛି ଏବଂ ଏଥିରେ ୧,୪୧,୩୦୮ ଜଣଙ୍କ ଜୀବନ ଯାଇଛି । ସେମାନଙ୍କ ମଧ୍ୟରୁ ବାତ୍ୟାରେ ୪୦ ହଜାର ୩୫୮ ଜଣ ପ୍ରାଣ ହରାଇଛନ୍ତି । ଅନ୍ୟପକ୍ଷରେ ୬୫ ହଜାର ୧୩୦ ଜଣ ବନ୍ୟା ଯୋଗୁଁ ପ୍ରାଣ ହରାଇଛନ୍ତି । ଏ ସଂକ୍ରାନ୍ତ ଅଧ୍ୟୟନ ରିପୋର୍ଟକୁ ଭୂ ବିଜ୍ଞାନ ମନ୍ତ୍ରାଳୟର ସଚିବ ଏମ ରାଜୀବନ, ଗବେଷକ ତଥା ବୈଜ୍ଞାନିକ କମଳଜିତ ରାୟ, ଏସଏସ ରାୟ, ଆର କେ ଗିରି ଏବଂ ଏ ପି ଦିମରି ମିଳିତ ଭାବେ ପ୍ରସ୍ତୁତ କରିଛନ୍ତି । ଚଳିତ ମାସରେ ପଶ୍ଚିମ ତଟରେ ସାମୁଦ୍ରିକ ଝଡ଼ ତୌକତେର ପ୍ରକୋପ ଦେଖିବାକୁ ମିଳିଥିଲା ଏବଂ ଏହା ଗୁଜରାଟ ତଟରେ ଧ୍ୱଂସଲୀଳା ରଚାଇଥିଲା । ଏଥିରେ ୫୦ ଜଣଙ୍କ ଜୀବନ ଯାଇଥିଲା । ଗତକାଲି ପୂର୍ବ ତଟରେ ଭୀଷଣ ବାତ୍ୟା ୟାସ ତାଣ୍ଡବ ସୃଷ୍ଟି କରିଥିଲା ଏବଂ ଏହା ଓଡ଼ିଶା ଓ ପଶ୍ଚିମବଂଗର ତଟବର୍ତ୍ତୀ ଅଂଚଳରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି । ଏବେ ବାତ୍ୟା ସଂକ୍ରାନ୍ତ ଯଥେଷ୍ଟ ଆଗୁଆ ସୂଚନା ଏବଂ ବ୍ୟାପକ ସତର୍କତା ପଦକ୍ଷେପ ଗ୍ରହଣ ପାଇଁ ମୃତୁ୍ୟ ସଂଖ୍ୟା କମୁଛି ।