ବଡ଼ ସଫଳତା: ଚନ୍ଦ୍ର କକ୍ଷରେ ଚନ୍ଦ୍ରଯାନ-୩

ବଡ଼ ସଫଳତା: ଚନ୍ଦ୍ର କକ୍ଷରେ ଚନ୍ଦ୍ରଯାନ-୩

ନୂଆଦିଲ୍ଲୀ:  ଜୁଲାଇ ୧୪ରେ ଉତକ୍ଷେପଣ ହୋଇଥିବା ଚନ୍ଦ୍ରଯାନ-୩ ପୃଥିବୀଠାରୁ ଚନ୍ଦ୍ର ପର୍ୟ୍ୟନ୍ତ ଦୂରତାର ଦୁଇ-ତୃତୀୟାଂଶ ଅତିକ୍ରମ କରିସାରିଥିବା ବେଳେ ଶନିବାର ପ୍ରାୟ ସନ୍ଧ୍ୟା ୭ଟାରେ ଏହା ଚନ୍ଦ୍ରକକ୍ଷରେ ପହଞ୍ଚିସାରିଛି। ଏହାର ଲୁନାର ଅର୍ବିଟ ଇଞ୍ଜେକ୍ସନ ବା ଚନ୍ଦ୍ରକକ୍ଷରେ ସ୍ଥାପନ ପ୍ରକ୍ରିୟା ସମାପ୍ତ ହୋଇଛି, ଯାହା ଅଭିଯାନ ପାଇଁ ଏକ ବଡ଼ ସଫଳତା।
ଚନ୍ଦ୍ରକକ୍ଷରେ ପ୍ରବେଶ କରିସାରିଥିବା ଚନ୍ଦ୍ରଯାନ-୩କୁ କେତୋଟି ଲୁନାର ଅର୍ବିଟ ମାନିଉଭର (ଚନ୍ଦ୍ରକକ୍ଷ ପରିବର୍ତ୍ତନ) କରିବାକୁ ପଡ଼ିବ। ପରବର୍ତ୍ତୀ ମାନିଉଭର ଆଜି ରାତି ୧୧ଟା ବେଳେ ହେବ। ଅଗଷ୍ଟ ପ୍ରଥମ ସପ୍ତାହ ସାରା ଚନ୍ଦ୍ରଯାନ-୩ ଚନ୍ଦ୍ର ଚାରିପଟେ ୫-୬ ଥର ପରିକ୍ରମଣ କରିବ। ଧୀରେ ଧୀରେ ଏହା ୧୦୦ କିମି ବୃତ୍ତାକାର କକ୍ଷପଥରେ ଭ୍ରମଣ କରି ଚନ୍ଦ୍ରର ନିକଟତର ହେବ। ପରବର୍ତ୍ତୀ ୧୦ ଦିନ ଭିତରେ ଏହା ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳରେ ଅବତରଣ କରିବାର ଉପଯୁକ୍ତ ସ୍ଥାନ ନିରୂପଣ କରାଯିବ। ତା’ପରେ ଅଗଷ୍ଟ ୨୩ ଅପରାହ୍ଣ ୫ଟା ୪୭ରେ ଏଥିରୁ ଲ୍ୟାଣ୍ଡର ବିକ୍ରମ ଅଲଗା ହୋଇ ନରମ ଅବତରଣ ପାଇଁ ଉଦ୍ୟମ କରିବ। ଚନ୍ଦ୍ରରେ ସୂର୍ୟ୍ୟୋଦୟ ପରି ବିଭିନ୍ନ କାରକ ଉପରେ ଧ୍ୟାନ ଦେଇ ଇସ୍ରୋ ଅବତରଣ କାର୍ୟ୍ୟସୂଚୀ ସ୍ଥିର କରୁଛି। ଯଦି ଆବଶ୍ୟକ ପଡ଼େ ସେପ୍ଟେମ୍ବର ମାସରେ ଅବତରଣ ପାଇଁ କାର୍ୟ୍ୟସୂଚୀରେ ପରିବର୍ତ୍ତନ କରାଯିବ। ଗୋଟିଏ ପରେ ଗୋଟିଏ ମାଇଲଷ୍ଟୋନ ଅତିକ୍ରମ କରି ଚନ୍ଦ୍ରଯାନ-୩ ଏହାର ଅଭୂତପୂର୍ବ ଅବତରଣ ସଫଳତା ଆଡ଼କୁ ଯାତ୍ରା ଜାରି ରଖିଛି।