J-PAL ସହ ରାଜ୍ୟ ସରକାରଙ୍କ ବୁଝାମଣା

J-PAL ସହ ରାଜ୍ୟ ସରକାରଙ୍କ ବୁଝାମଣା

J-PAL ସହ ରାଜ୍ୟ ସରକାରଙ୍କ ବୁଝାମଣା
ମହିଳା ସଶକ୍ତିକରଣ, କୃଷି ଉତ୍ପାଦନ ବୃଦ୍ଧି, ଦାଦନ ଶ୍ରମିକ ସମସ୍ୟା, ସ୍ବାସ୍ଥ୍ୟ ଆଦି କ୍ଷେତ୍ରରେ ଗବେଷଣା ଭିତ୍ତିକ ସହଯୋଗ ଉପରେ ଗୁରୁତ୍ବ ଓଡିଶା ସରକାର ଏବଂ Abdul Latif Jameel Poverty Action Lab ବା ଜେ-ପଲ୍‌ ଦକ୍ଷିଣ ଏସିଆ ମଧ୍ୟରେ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ଗବେଷଣା ଲବ୍‌ଧ ତଥ୍ୟର ଉପଯୋଗ ପାଇଁ ଏକ ବୁଝାମଣା ପତ୍ର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଖାରବେଳ ଭବନଠାରେ ସ୍ବାକ୍ଷରିତ ହୋଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଉନ୍ନୟନ କମିଶନର ଶ୍ରୀ ସୁରେଶ ମହାପାତ୍ର ଏବଂ ଜେ-ପଲ୍‌ ଦକ୍ଷିଣ ଏସିଆ ପକ୍ଷରୁ ଏହାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶୋଭିନୀ ମୁଖାର୍ଜୀ ଏହି ବୁଝାମଣାପତ୍ରରେ ସ୍ବାକ୍ଷର କରିଥିଲେ। ରାଜ୍ୟ ସରକାରଙ୍କର ୫-ଟି କାର୍ଯ୍ୟକ୍ରମ ଅନୁରୂପ ଏହି ବୁଝାମଣାପତ୍ର ଆମର ନୀତି ନିର୍ଦ୍ଧାରଣରେ ଗବେଷଣାଭିତ୍ତିକ ସହଯୋଗ ଯୋଗାଇ ସାଧାରଣ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବାରେ ସହାୟକ ହେବ। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆମର ୫-ଟି କାର୍ଯ୍ୟକ୍ରମ ଜରିଆରେ ସ୍ବଚ୍ଛତା, ସାମୂହିକ ଉଦ୍ୟମ ଓ ବୈଷୟିକ ବିଦ୍ୟାର ପ୍ରୟୋଗ କରି ବ୍ୟବସ୍ଥାରେ ଉନ୍ନତି ଆଣିବା ଉପରେ ଗୁରୁତ୍ବ ଦେଇଆସୁଛନ୍ତି। ଦାରିଦ୍ର୍ୟ ଦୂରୀକରଣ ପାଇଁ ବିଭିନ୍ନ କ୍ଷେତ୍ରରେ ରାଜ୍ୟ ସରକାର ଗ୍ରହଣ କରିଥିବା କାର୍ଯ୍ୟକ୍ରମର ସୁଫଳ ଯେପରି ସର୍ବାଧିକ ହିତାଧିକାରୀ ପାଇପାରିବେ, ସେ ଦିଗରେ ଉଭୟ କାର୍ଯ୍ୟ କରିବେ। ଜେ-ପଲ୍‌ ଏ ଦିଗରେ ଗବେଷଣା ଲବ୍‌ଧ ତଥ୍ୟଭିତ୍ତିକ, ବୈଷୟିକ ସହଯୋଗ ଯୋଗାଇ ଦେବ। ଏହି ସହଯୋଗ କାର୍ଯ୍ୟକ୍ରମରେ ଜେ-ପଲ୍‌ ରାଜ୍ୟର ବିଭିନ୍ନ ବିଭାଗ ବିଶେଷତଃ ଶ୍ରମ, ଶିକ୍ଷା, ସ୍ବାସ୍ଥ୍ୟ ଏବଂ ମହିଳା ଓ ଶିଶୁକଲ୍ୟାଣ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ଯୋଜନାର କାର୍ଯ୍ୟକାରୀତା ସଂପର୍କରେ ବିକ୍ଷିପ୍ତ ତଥ୍ୟ ସଂଗ୍ରହ କରି ତାର ମୂଲ୍ୟାଙ୍କନ କରିବ। ତାସହିତ ଏହିସବୁ କାର୍ଯ୍ୟର ମୂଲ୍ୟାୟନ ଏବଂ ସୁପରିଚାଳନା ପାଇଁ ଦକ୍ଷତାବୃଦ୍ଧି ତାଲିମ କାର୍ଯ୍ୟକ୍ରମ ମଧ୍ୟ ଗ୍ରହଣ କରାଯିବ। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ଏହି ଏହି ସହଯୋଗ କାର୍ଯ୍ୟକ୍ରମ ଦ୍ବାରା ଓଡିଶାବାସୀଙ୍କ କ୍ରମବର୍ଦ୍ଧିଷ୍ଣୁ ଆଶା ଆକାଂକ୍ଷା ପୂରଣ ସହିତ ଓଡିଶାରେ ଆଣିବାକୁ ଥିବା ପରିବର୍ତ୍ତନର ଲକ୍ଷ୍ୟ ପୂରଣ ଦିଗରେ ଟିମ୍‌ ଓଡିଶାର ଉଦ୍ୟମ ସଫଳ ହୋଇପାରିବ। ଜେ-ପଲ୍‌ ଦକ୍ଷିଣ ଏସିଆ ରାଜ୍ୟ ସରକାରଙ୍କ ସହିତ ଏହି ବୁଝାମଣା କରି ଅତ୍ୟନ୍ତ ଆନନ୍ଦିତ ବୋଲି ଏହାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶୋଭିନୀ ମୁଖାର୍ଜୀ ପ୍ରକାଶ କରିଥିଲେ । ସେ କହିଲେ ଯେ ଏହି କାର୍ଯ୍ୟକ୍ରମରେ ମୁଖ୍ୟତଃ ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମର ସୁପରିଚାଳନା, ଦକ୍ଷତାବୃଦ୍ଧି ସହିତ ଜନସାଧାରଣଙ୍କ ଜୀବନରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିବା ଉପରେ ଗୁରୁତ୍ବ ଦିଆଯିବ। ବାସ୍ତବ ତଥ୍ୟଭିତ୍ତିକ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ଏହା ବିଶେଷ ସହାୟକ ହେବ ବୋଲି ସେ ଆଶାପ୍ରକାଶ କରିଥିଲେ। ରାଜ୍ୟ ସରକାର ଓ ଜେ-ପଲ୍‌ ଦକ୍ଷିଣ ଏସିଆ ନିୟମିତ ଭାବରେ ବିଭିନ୍ନ ନୀତି ଉପରେ ବାର୍ଷିକ ଆଲୋଚନା କରି ସରକାରଙ୍କ ପ୍ରାଥମିକତା କ୍ଷେତ୍ର ଚୟନ କରିବା ସହିତ ଆଲୋଚନା ଜରିଆରେ ତଥ୍ୟ ଆଦାନପ୍ରଦାନ କରିବା ଏବଂ ମିଳିତ ଭାବେ ଅଭିନବ ଉପାୟ ଅବଲମ୍ବନ କରିବା ସହିତ ବାସ୍ତବ କ୍ଷେତ୍ରରେ ଏହାର ପ୍ରୟୋଗ କରି କାର୍ଯ୍ୟକ୍ରମ ଗୁଡିକର ମୂଲ୍ୟାଙ୍କନ କରିବେ। ପୁଷ୍ଟିହୀନତା, ମହିଳା ସଶକ୍ତିକରଣ, ଦାଦନ ଶ୍ରମିକ ସମସ୍ୟା, ସ୍ବାସ୍ଥ୍ୟକର୍ମୀଙ୍କ କାର୍ଯ୍ୟଦକ୍ଷତା ଏବଂ କୃଷି ଉତ୍ପାଦକତା ଆଦି କ୍ଷେତ୍ରରେ କାର୍ଯ୍ୟକାରୀ ହେଉଥିବା ନୀତି ସଂପର୍କରେ ନିୟମିତ ଆଲୋଚନା କରାଯାଇ ସାଧାରଣଲୋକଙ୍କ ଜୀବନରେ ବ୍ୟାପକ ପରିବର୍ତ୍ତନ ପାଇଁ ପଦକ୍ଷେପ ନିଆଯିବ। ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀମଣ୍ଡଳର ସଦସ୍ୟଗଣ, ଦକ୍ଷତାବୃଦ୍ଧି କର୍ତ୍ତୃପକ୍ଷଙ୍କ ଅଧ୍ୟକ୍ଷ, ମୋ ସ୍କୁଲ ଅଧ୍ୟକ୍ଷ, ମୁଖ୍ୟ ଶାସନ ସଚିବ, କୃଷି ଉତ୍ପାଦନ କମିଶନର ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏଠାରେ ସୂଚନାଯୋଗ୍ୟ ଯେ, ଜେ-ପଲ୍ ର ସହପ୍ରତିଷ୍ଠାତା ଶ୍ରୀ ଅଭିଜିତ୍ ବାନାର୍ଜୀ ଓ ଏଷଥର୍ ଡଫଲୋ ଚଳିତ ବର୍ଷ ଅର୍ଥନୀତିରେ ନୋବେଲ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି।