ଆଜି ୪୧୬୬ ଶିକ୍ଷକଙ୍କୁ ନିଯୁକ୍ତିପତ୍ର ବଣ୍ଟନ

ଆଜି ୪୧୬୬ ଶିକ୍ଷକଙ୍କୁ ନିଯୁକ୍ତିପତ୍ର ବଣ୍ଟନ

ଭୁବନେଶ୍ୱର :  ନୂତନ ଭାବେ ନିଯୁକ୍ତି ପାଇଥିବା ୩୭୧୪ ଟିଜିଟି (ତାଲିମପ୍ରାପ୍ତ ସ୍ନାତକ ଶିକ୍ଷକ) ଏବଂ ୪୫୨ ପିଇଟି (ଶାରୀରିକ ଶିକ୍ଷା ଶିକ୍ଷକ)ଙ୍କୁ ବୁଧବାର କଳିଙ୍ଗ ଷ୍ଟାଡିଅମରେ ଆୟୋଜିତ କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିକ୍ଷକମାନଙ୍କୁ ମାର୍ଗଦର୍ଶନ ଦେବା ସହ ନିଯୁକ୍ତିପତ୍ର ପ୍ରଦାନ କରିବେ।
ପ୍ରାଥମିକ ବିଦ୍ୟାଳୟ ସ୍ତରରେ ଶୈକ୍ଷିକ ବ୍ୟବସ୍ଥାକୁ ସଶକ୍ତ କରିବା ଲକ୍ଷରେ ଚଳିତ ବର୍ଷ ଶିକ୍ଷକ ପଦ ପୂରଣ ପାଇଁ ୨୦ ହଜାର କନିଷ୍ଠ ଶିକ୍ଷକ (ଯୋଜନାଭିତ୍ତିକ)ଙ୍କ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥି ନିମନ୍ତେ ଲିଖିତ ପରୀକ୍ଷା ନିକଟରେ ଶେଷ ହୋଇଛି। ଆବଶ୍ୟକୀୟ ସମସ୍ତ ପ୍ରକ୍ରିୟା ଶେଷକରି ସରକାର ଖୁବଶୀଘ୍ର ସେମାନଙ୍କୁ ନିଯୁକ୍ତି ପ୍ରଦାନ କରିବେ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ଏକସଙ୍ଗରେ ଏତେସଂଖ୍ୟକ ଶିକ୍ଷକ ନିଯୁକ୍ତି ରାଜ୍ୟର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ନୂଆ ଦିଗ ଦେବ ବୋଲି ଶିକ୍ଷାବିତମାନେ ମତପ୍ରକାଶ କରିଛନ୍ତି। କେବଳ ପ୍ରାଥମିକ ଶିକ୍ଷା ନୁହେଁ ମାଧ୍ୟମିକ ବିଦ୍ୟାଳୟରେ ଶିକ୍ଷାର ମାନବୃଦ୍ଧି ପାଇଁ ଆଉ ୩୩୭୪ ଶିକ୍ଷକ ନିଯୁକ୍ତି ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ସେହିପରି ଓପିଏସ୍‌ସି ମାଧ୍ୟମରେ ୩୬୭ ଓ ଏସ୍‌ଏସ୍‌ବି ଜରିଆରେ ୫୫୫ଟି ପିଜିଟି ଶିକ୍ଷକଙ୍କୁ ନିଯୁକ୍ତି ପ୍ରଦାନ କରାଯିବ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ଶିକ୍ଷକ ଅଭାବ ସମସ୍ୟାର ସବୁଦିନିଆ ସମାଧାନ ପାଇଁ ରାଜ୍ୟ ସରକାର ପର୍ୟ୍ୟାପ୍ତ ନିଯୁକ୍ତି ପାଇଁ ଖସଡ଼ା ପ୍ରସ୍ତୁତ କରିଛନ୍ତି। ୨୦୨୦ ମସିହା ପରଠାରୁ ଉଚ୍ଚ ବିଦ୍ୟାଳୟସ୍ତରରେ ୧୩ ହଜାରରୁ ଅଧିକ ଶିକ୍ଷକଙ୍କୁ ନିଯୁକ୍ତି ମିଳିସାରିଥିବା ବେଳେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ତରରେ ୧୨୦୦ରୁ ଅଧିକ ଶିକ୍ଷକ ନିଯୁକ୍ତି ପାଇ ସାରିଛନ୍ତି। ସେହିପରି ଧନ୍ଦାମୂଳକ ଶିକ୍ଷାରେ ମଧ୍ୟ ରାଜ୍ୟ ସରକାର ୧୦୦୦ରୁ ଅଧିକ ଶିକ୍ଷକ ନିଯୁକ୍ତି ପ୍ରଦାନ କରିଛନ୍ତି। ଯାହାଫଳରେ ସରକାରୀ ବିଦ୍ୟାଳୟ ପ୍ରତି ଅଭିଭାବକଙ୍କର ବିଶ୍ୱାସ ଏବଂ ଭରଷା ଆଶାତୀତ ବୃଦ୍ଧି ପାଇଛି। ବିଦ୍ୟାଳୟରେ ନାମଲେଖା ପରିସଂଖ୍ୟାନରେ ସ୍ପଷ୍ଟ ଭାବେ ଏହା ପ୍ରତିଫଳିତ ହେଉଛି। ବିଗତ ୨ ବର୍ଷରେ ସରକାରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ନାମଲେଖା ପୂର୍ବ ବର୍ଷମାନଙ୍କ ତୁଳନାରେ ବହୁସଂଖ୍ୟାରେ ବୃଦ୍ଧିପାଇଛି।