ମହାପ୍ରଭୁଙ୍କ ନବଯୌବନ ଦର୍ଶନ
ପୁରୀ: ସୋମବାର ମିଳିବ ମହାପ୍ରଭୁଙ୍କ ନବଯୌବନ ଦର୍ଶନ । ଶ୍ରୀମନ୍ଦିରରେ ଭଗବାନଙ୍କ ସହିତ ଭକ୍ତଙ୍କ ମିଳନ ହେବ । ଠାକୁରେ ଯେଭଳି ଭକ୍ତଙ୍କୁ କୋଳେଇ ନେବାକୁ ବାହୁ ପ୍ରସାରି ଡାକିଛନ୍ତି । ଏହି ଦିବ୍ୟ ମୁହୂର୍ତ୍ତର ସାନ୍ନିଧ୍ୟ ଲଭିବାକୁ ଅପେକ୍ଷାରତ ଜଗନ୍ନାଥ ପ୍ରେମୀ । ରବିବାର ଶ୍ରୀବିଗ୍ରହଙ୍କ ବନକଲାଗି ଶେଷ କରିଥିଲେ ଦତ୍ତମହାପାତ୍ର । ହେଲେ ଶ୍ରୀବିଗ୍ରହଙ୍କ ଶ୍ରୀନେତ୍ରର ମଧ୍ୟ ଭାଗକୁ କଳା ଲଗାଯାଏନି । ନେତ୍ର ଉତ୍ସବରେ ପାଳିଆ ପୂଜାପଣ୍ଡାସାମନ୍ତ ସଂସ୍କାର କରି ଶ୍ରୀନେତ୍ରରେ କଳା ସ୍ପର୍ଶ କରିବା ପରେ ଦତ୍ତ ମହାପାତ୍ର ଏହାକୁ ପୂର୍ଣ୍ଣାଙ୍ଗ ରୂପ ଦେବେ ।
ଶ୍ରୀମନ୍ଦିରର ଭିତରକାଠ ଦର୍ଶନ ସକାଳ ୮ରୁ ଆରମ୍ଭ ହୋଇ ଦିନ ୧୧ଟା ସମୟରେ ବନ୍ଦ ହେବ । ମଙ୍ଗଳବାର ରଥଯାତ୍ରା ଥିବାରୁ ମହାପ୍ରଭୁଙ୍କର ଅନେକ ନୀତିକାନ୍ତି ରହିଛି । ନବଯୌବନ ଦର୍ଶନ ବିଳମ୍ବ ହେଲେ ପରଦିନ ମହାପ୍ରଭୁଙ୍କର ନୀତିକାନ୍ତି ମଧ୍ୟ ବିଳମ୍ବ ହେବ । ତେଣୁ ନବ ଯୌବନ ଦର୍ଶନକୁ ସୀମିତ ସମୟ ମଧ୍ୟରେ ଶେଷ କରାଯିବାକୁ ସ୍ଥିର ହୋଇଛି । ଏହି ସମୟ ପରେ ଯେଉଁ ଭକ୍ତ ଓ ଶ୍ରଦ୍ଧାଳୁ ଶ୍ରୀମନ୍ଦିର ଭିତରକୁ ଆସିବେ ସେମାନେ ବେଢ଼ା ପରିକ୍ରମା କରିବା ସହିତ ମହାପ୍ରସାଦ ସେବନ କରିପାରିବେ ।
ପରମାଣିକ ଟିକଟ ବିକ୍ରି ରବିବାର ସକାଳ ୮ଟାରେ ନୀଳାଦ୍ରି ଭକ୍ତନିବାସରେ ଆରମ୍ଭ ହୋଇଥିଲା । ତେବେ ସୂଚନା ରହିଛି କି ପୁଲିସ ପ୍ରଶାସନର ଅନୁରୋଧରେ ଆଜି ପାରମାଣିକ ଟିକେଟ କମ୍ ବିକ୍ରି ହୋଇଥିବା କୁହାଯାଇଛି । ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ନିରାପତ୍ତା ଦୃଷ୍ଟିରୁ ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଉଛି । ଧାର୍ୟ୍ୟ ୭ହଜାର ଟିକେଟ ମଧ୍ୟରୁ କମ୍ ବିକ୍ରି ହୋଇଥିବା ଜଣେ ଶ୍ରୀମନ୍ଦିର ବରିଷ୍ଠ ଅଧିକାରୀ କହିଛନ୍ତି । ତେବେ ପ୍ରକୃତରେ କେତେ ଟିକେଟ୍ ବିକ୍ରି ହୋଇଛି ତାହା ସେ ସ୍ପଷ୍ଟ କରିନାହାନ୍ତି ।