ଇଣ୍ଟରକଣ୍ଟିନେଣ୍ଟାଲ କପ୍‌: ଭାରତୀୟ ଦଳକୁ ୧ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା

ଇଣ୍ଟରକଣ୍ଟିନେଣ୍ଟାଲ କପ୍‌: ଭାରତୀୟ ଦଳକୁ ୧ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା

ଭୁବନେଶ୍ୱର: ‘ସୁପର ସନ୍‌ଡେ’ରେ ଭେଟେରାନ ସୁନୀଲ ଛେତ୍ରୀ ଓ ଲାଲିଆନଜୁଆଲା ଚଙ୍ଗତେଙ୍କ ସୁପର ଗୋଲ୍‌ ସହାୟତାରେ ଭାରତ ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ର ତୃତୀୟ ସଂସ୍କରଣରେ ଚାମ୍ପିଅନ୍‌ ହୋଇଛି । କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଫାଇନାଲରେ ଘରୋଇ ଦଳ ୨-୦ ଗୋଲ୍‌ରେ ଲେବାନନକୁ ହରାଇ ଦ୍ୱିତୀୟ ଥର ପାଇଁ ଟ୍ରଫି ହାସଲ କରିଥିଲା । ୨୦୧୮ରେ ଭାରତ ପ୍ରଥମ ଥର ଟ୍ରଫି ଜିତିଥିଲା ।
ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚାମ୍ପିଅନ ଭାରତୀୟ ଦଳକୁ ଟ୍ରଫି ପ୍ରଦାନ କରିଥିଲେ ।

ଭାରତୀୟ ଦଳର ପ୍ରଦର୍ଶନରେ ଖୁସି ହୋଇ ୧ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରି ମୁଖ୍ୟମନ୍ତ୍ରୀ କହିଥିଲେ, ‘ସମ୍ମାନଜନକ ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ଆୟୋଜନ କରିବା ଆମ ରାଜ୍ୟ ପାଇଁ ଗର୍ବର ବିଷୟ । ଚାମ୍ପିଅନ ଭାରତୀୟ ଦଳକୁ ମୋର ଅଭିନନ୍ଦନ । ଆମର ଉଦ୍ଦେଶ୍ୟ ହେଉଛି ଅଧିକରୁ ଅଧିକ ଫୁଟବଲ ପ୍ରତିଯୋଗିତା ଆୟୋଜନ କରିବା ଏବଂ ରାଜ୍ୟ ଓ ଦେଶରେ କ୍ରୀଡ଼ାର ବିକାଶରେ ସହାୟକ ହେବା ।’ ମୁଖ୍ୟମନ୍ତ୍ରୀଙ୍କ ସହ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ୫-ଟି ସଚିବ ଭି.କେ ପାଣ୍ଡିଆନ, ଏଆଇଏଫ୍‌ଏଫ୍‌ ସଭାପତି କଲ୍ୟାଣ ଚୌବେଙ୍କ ସହ ଅନ୍ୟମାନେ ଉପସ୍ଥିତ ରହିଥିଲେ । ଶ୍ରୀ ଚୌବେ କ୍ରୀଡ଼ାପ୍ରତି ରାଜ୍ୟ ସରକାରଙ୍କର ପୂର୍ଣ୍ଣ ସମର୍ଥନ ରହିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ ।