ଜାଳି ପୋଡ଼ି ଦେଉଛି ତାତି
ଭୁବନେଶ୍ୱର: ସକାଳୁ ଉଠି ରାତି ପର୍ଯ୍ୟନ୍ତ ଘଡ଼ିଏ ରହି ହେଉନି । ଉଦୁଉଦିଆ ଖରାବେଳର ସମୟ ବି ଆଉ ନାହିଁ, ସକାଳୁ ସକାଳୁ ଡହ ଡହ ଖରାରେ ଅସ୍ତବ୍ୟସ୍ତ ହୋଇପଡ଼ୁଛି ଜନଜୀବନ । ଆଗରୁ ଦେବସ୍ନାନ ପୂର୍ଣ୍ଣିମାରେ ବର୍ଷା ହେବା ଥୟ ହେଉଥିଲା, କିନ୍ତୁ ଏ ବର୍ଷ ବର୍ଷାର ଗନ୍ଧ ବି ନାହିଁ । ନିରୁଦ୍ଦିଷ୍ଟ ହୋଇ ରହିଯାଇଛି ମୌସୁମୀ । ଅନ୍ୟପକ୍ଷରେ, ରାଜ୍ୟରେ ଗରମ ଓ ଗୁଳୁଗୁଳି ଜନଜୀବନକୁ ହନ୍ତସନ୍ତ କରିଦେଲାଣି । ଏସବୁ ମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ ଜରୁରୀ କାର୍ଯ୍ୟ ନଥିଲେ ଘରୁ ବାହାରକୁ ବାହାରିବା ପାଇଁ ବାରଣ କରିଛି । ଖରା ଓ ଗରମକୁ ନେଇ ଅଧିକାଂଶ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣଂ ମଧ୍ୟ ଦିଆଯାଉଛି । ଛକ ଛକରେ ମାଠିଆରେ ପାଣି ରଖିବାର ବ୍ୟବସ୍ଥା କରିଛି ପ୍ରଶାସନ । ଏଥିପାଇଁ ସ୍ୱତନ୍ତ୍ର ଗାଇଡ଼ ଲାଇନ ମଧ୍ୟ ତିଆରି କରାଯାଇଛି ।
ଜୀବନଶୈଳୀ ପରିବର୍ତ୍ତନ ହେଉଛି । ଲୋକଙ୍କ ଖାଇବା-ପିଇବାର ଠିକ୍ ସମୟ ରହୁନି । କିନ୍ତୁ ଜରୁରୀ କାମ ସହ କାର୍ଯ୍ୟାଳୟରେ କାର୍ଯ୍ୟକରୁଥିବା ଲୋକେ ନିଜ କାମକୁ ଯିବାକୁ ବାଧ୍ୟ ହେଉଛନ୍ତି । ଖରା ଓ ଗୁଳୁଗୁଳି ପାଇଁ ଓ କାର୍ଯ୍ୟର ଚାପ ଯୋଗୁଁ ସର୍ବର୍ଦ ଥକ୍କା ଲାଗେ । ଏହାକୁ କିଛି ଲୋକ ସାମାନ୍ୟ ଥକ୍କା କହି ଏତେ ଗୁରୁତ୍ୱ ଦେଇନଥାନ୍ତି । ଯାହା ଫଳରେ କି ଏହା ସେମାନଙ୍କ ଜୀବନ ମଧ୍ୟ ନେଇଯାଇଥାଏ । ତେବେ ଥକ୍କା ଲାଗିଲେ, କେତୋଟି କଥା ପ୍ରତି ଦୃଷ୍ଟି ଦେବା ଏକାନ୍ତ ଆବଶ୍ୟକ ହୋଇଥାଏ । ଆସନ୍ତୁ ଜାଣିବା ସେ ବିଷୟରେ....
- ସପ୍ତାହରେ ଦୁଇରୁ ତିନି ଥର ମ୍ୟାଗ୍ନେସିୟମ୍ ପୋଷକତତ୍ତ୍ୱ ଥିବା ଖାଦ୍ୟ ଖାଇବା ଅଭ୍ୟାସ କରନ୍ତୁ । ବିଭିନ୍ନ ପ୍ରକାର ପନିପରିବା, ଡ୍ରାଏଫ୍ରୁଟସ୍, ଗଜା ମୁଗ ଆଦିରେ ମ୍ୟାଗ୍ନେସିୟମ୍ ଭରପୂର ଅଛି ।
- ଭିଟାମିନ୍ ସି’ଯୁକ୍ତ ଖାଦ୍ୟପାନୀୟ ମଧ୍ୟ ଶରୀରର ଥକ୍କାପଣ ଦୂର କରିବାରେ ଅନେକ ପରିମାଣରେ ସହାୟକ ହୁଏ ବୋଲି ବିଶେଷଜ୍ଞ କହିଛନ୍ତି ।
- ମଇଦା, ଚିନି, ଭାତ ଇତ୍ୟାଦିକୁ ସେମାନଙ୍କ ଦ୍ୱିପହର ଭୋଜନରୁ ସମ୍ପୂର୍ଣ୍ଣ ଭାବେ ବାଦ୍ ଦିଅନ୍ତୁ । ବ୍ରାଉନ୍ ରାଇସ୍, ଓଟସକୁ ସେମାନଙ୍କ ଖାଦ୍ୟ ତାଲିକାରେ ସାମିଲ କରିବା ସ୍ୱାସ୍ଥ୍ୟ ପାଇଁ ଭଲ ।
- ଏସବୁ ସହ ନିୟମିତ ବ୍ୟବଧାନରେ ନିଜର ଥାଇରଏଡ୍ ପରୀକ୍ଷା କରାଇନେବା ଜରୁରୀ ।
ଆପଣଙ୍କ ସ୍ୱାସ୍ଥ୍ୟ ହେଉଛି ଆମ ସଂପଦ ।