ନବୀନଙ୍କ ଘର ସଜଡ଼ା ମରାମତି କରିବେ ନା ରଙ୍ଗ ମାରିବେ ?

ନବୀନଙ୍କ ଘର ସଜଡ଼ା ମରାମତି କରିବେ ନା ରଙ୍ଗ ମାରିବେ ?

ଭୁବନେଶ୍ୱର : ଘର ସଜାଡ଼ିବା ଆରମ୍ଭ କରିଛି ବିଜୁ ଜନତା ଦଳ  । ଶ୍ରୀଗୁଣ୍ଡିଚାରୁ ଏହାର ଶ୍ରୀଗଣେଶ ହୋଇଛି  । ତେବେ ନବୀନ ଘର ମରାମତି କରିବେ ନା ଖାଲି ରଙ୍ଗ ମାରିବେ ତାହା ଉପରେ ଏବେ ନଜର ରହିଛି  ।
ନିକଟରେ ବିଜୁ ଜନତା ଦଳ ଏହାର ମିଡ଼ିଆ ଟିମ୍‌ ଓ ମୁଖପାତ୍ର ଟିମ୍‌ ଗଢ଼ିଛି  । କନିଷ୍ଠ ନେତାଙ୍କୁ ଆଉଟ୍‌ କରି ବରିଷ୍ଠ ନେତାମାନଙ୍କୁ ଅଗ୍ରାଧିକାର ଦିଆଯାଇଛି  । ତେବେ ଦଳରେ ଥିବା ଭଙ୍ଗାଭଙ୍ଗୀ ନେତାଙ୍କୁ ବାହାର କରି ନୂଆ ନେତାଙ୍କୁ ଦାୟିତ୍ୱ ଦେବେ ନା ସେଇ ପୁରୁଣା ମାମଲତକାରଙ୍କୁ ଧରି ଆଗକୁ ବଢ଼ିବେ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି  । ଭଲ ଘର ପାଇଁ ନିୟମିତ ମରାମତି ଦରକାର  । ଖାଲି ରଙ୍ଗ ଦେଇଦେଲେ ଉପର ସିନା ଚିକ୍କଣ ହେବ ହେଲେ ଭିତର ଫମ୍ପା ହୋଇଯିବ ବୋଲି ଚର୍ଚ୍ଚା ହେଉଛି  । 
ରଥଯାତ୍ରାରୁ ବିଜେଡ଼ିର ନବକଳେବର ଆରମ୍ଭ ହୋଇଛି  । ପ୍ରଚ୍ଛଦପଟରେ ରହି ଭିକେ ପାଣ୍ଡିଆନ ନୂଆ କମିଟିରେ ସ୍ପର୍ଶ ଦେଉଛନ୍ତି  । ବିଜେଡ଼ିର ସମସ୍ତ ରାଜ୍ୟସ୍ତରୀୟ କମିଟିକୁ ଭାଙ୍ଗି ଦିଆଯାଇଛି  । ନୂତନ ଭାବେ ମିଡ଼ିଆ ଓ ମୁଖପାତ୍ରଙ୍କର ଟିମ୍‌ ଗଢ଼ାଯାଇଛି  । ସେପଟେ ଡକ୍ଟର ସଂତୃପ୍ତ ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଭାବେ ନିଯୁକ୍ତି ଦିଆଯାଇଛି  ।
ବରିଷ୍ଠ ବିଜେଡ଼ି ନେତା ପ୍ରତାପ ଜେନାଙ୍କୁ ବରିଷ୍ଠ ମିଡ଼ିଆ ସଂଯୋଜକ ଭାବେ ନିଯୁକ୍ତ କରାଯାଇଛି  । ସେହିପରି ସ୍ୱୟଂ ପ୍ରକାଶଙ୍କୁ ପୂର୍ବଭଳି ସାମାଜିକ ଗଣମାଧ୍ୟମର ସଂଯୋଜକ କରାଯାଇଛି  । ମିଡ଼ିଆ ସଂଯୋଜକ ଭାବେ ଡକ୍ଟର ଲେନିନ ମହାନ୍ତି ଓ ଡକ୍ଟର ପ୍ରିୟବ୍ରତ ମାଝୀଙ୍କୁ ଦାୟିତ୍ୱ ମିଳିଛି  । ସୁକାନ୍ତ କୁମାର ପଣ୍ଡାଙ୍କୁ ବିରୋଧୀ ଦଳ ନେତା ତଥା ବିଜେଡ଼ି ସଭାପତି ନବୀନ ପଟ୍ଟନାୟକଙ୍କର ଜନ ସମ୍ପର୍କ ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଛି  ।
ଜାତୀୟ ମୁଖପାତ୍ର ଟିମ୍‌ରେ ଡକ୍ଟର ସଂତୃପ୍ତ ମିଶ୍ର, କଳିକେଶ ନାରାୟଣ ସିଂହଦେଓ, ଅମର ପଟ୍ଟନାୟକ, ଡକ୍ଟର ସସ୍ମିତ ପାତ୍ର ଓ ପ୍ରଦୀପ କୁମାର ମାଝୀଙ୍କୁ ରଖାଯାଇଛି  । ସେହିପରି ରାଜ୍ୟ ମୁଖପାତ୍ର ଟିମ୍‌ରେ କନିଷ୍ଠ ନେତାମାନଙ୍କୁ ସମ୍ପୂର୍ଣ୍ଣ ବାଦ୍‌ ଦିଆଯାଇ ବରିଷ୍ଠ ନେତାମାନଙ୍କୁ ସୁଯୋଗ ଦିଆଯାଇଛି  । ଏହି ଟିମ୍‌ରେ ଅଛନ୍ତି ପ୍ରସନ୍ନ ଆଚାର୍ଯ୍ୟ, ପ୍ରମିଳା ମଲ୍ଲିକ, ଦେବୀ ପ୍ରସାଦ ମିଶ୍ର, ପ୍ରତାପ କେଶରୀ ଦେବ, ଡକ୍ଟର ଅରୁଣ କୁମାର ସାହୁ, କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ଦେବୀ ରଞ୍ଜନ ତ୍ରିପାଠୀ, ଶ୍ରୀମୟୀ ଶ୍ୱେତାସ୍ନିଗ୍ଧା ମିଶ୍ର, ଲେଖାଶ୍ରୀ ସାମନ୍ତସିଂହରାୟ, ସୁଦାମ ମାରାଣ୍ଡି, ରମେଶ ଚନ୍ଦ୍ର ମାଝୀ, ଭ୍ରୁଗୁ ବକ୍ସିପାତ୍ର ଓ ଡକ୍ଟର ଲେନିନ୍‌ ମହାନ୍ତି  ।
ଚଳିତ ସପ୍ତାହରେ ବିଜେଡ଼ି ନୂଆ ପଦାଧିକାରୀଙ୍କ ନାମ ଘୋଷଣା କରିବ  । ଛାମୁଆ ସଂଗଠନର ନେତାବି ବଦଳିବାର ସମ୍ଭାବନା ରହିଛି  । ତେବେ ଜିଲ୍ଲାସ୍ତରୀୟ କମିଟିଗୁଡ଼ିକ ପୂର୍ବଭଳି କାର୍ଯ୍ୟ ଜାରିରଖିବେ ବୋଲି କୁହାଯାଉଛି  । ଅପରପକ୍ଷରେ ବିଜେଡ଼ିର ନବକଳେବର ହେଉଥିଲେବି ପାଣ୍ଡିଆନଙ୍କ ଛିଟା ଲାଗିଛି  । ପ୍ରଚ୍ଛଦ ପଟରେ ରହି ଏବେବି ସେ ଦଳ ଚଳାଉଛନ୍ତି  । ପାଣ୍ଡିଆନଙ୍କ ଖାସ୍‌ ଅନୁଗତମାନେ ହିଁ  ମିଡ଼ିଆ, ସୋସିଆଲ ମିଡ଼ିଆ ଓ ମିଡ଼ିଆ ପ୍ୟାନେଲିଷ୍ଟ ତାଲିକାରେ ରହିଛନ୍ତି  । ଆଗାମୀ ଦିନରେ ଦଳର ନୂଆ କମିଟି ଓ ପଦାଧିକାରୀମାନେ ମଧ୍ୟ ପାଣ୍ଡିଆନଙ୍କ ଇସାରାରେ ନିଯୁକ୍ତ କରାଯିବ  । ନବୀନ ବାବୁ ଦଳ କିଭଳି ସଜାଡ଼ି ଆଗକୁ ବଢୁଛନ୍ତି ତାହା ଦେଖିବାକୁ ବାକି ରହିଲା  ।