ବିଜେଡ଼ିରେ ଫିଟୁଛି ଅସନ୍ତୋଷର ତୁଣ୍ଡ ପରୋକ୍ଷରେ ପାଣ୍ଡିଆନଙ୍କୁ ଟାର୍ଗେଟ୍‌ ଢୋଲ ଭିତରେ ମୂଷା ଥିଲେ : ସମ୍ବିତ

ବିଜେଡ଼ିରେ ଫିଟୁଛି ଅସନ୍ତୋଷର ତୁଣ୍ଡ ପରୋକ୍ଷରେ ପାଣ୍ଡିଆନଙ୍କୁ ଟାର୍ଗେଟ୍‌ ଢୋଲ ଭିତରେ ମୂଷା ଥିଲେ : ସମ୍ବିତ

ଭୁବନେଶ୍ୱର : ପରାଜୟରେ ଆହତ ବିଜେଡ଼ିର ଘା’କୁ ଉଖାରିଛନ୍ତି ସମ୍ବିତ ରାଉତରାୟ  । ସିଧା ସିଧା କହିଛନ୍ତି, ନବୀନ ପଟ୍ଟନାୟକ ହାରିନାହାନ୍ତି  । ତାଙ୍କୁ ହରାଇ ଦିଆଯାଇଛି  । ଢୋଲ ଭିତରେ ମୂଷା ଥିଲେ  । ସେ ମୂଷା କିଏ ଆପଣ ଜାଣିଛନ୍ତି  । ଆଜି ନହେଲେ କାଲି ସେ ମୂଷା କଢା ହେବେ  । ସରକାର ବହୁତ କାମ କରିଥିଲେବି ଲୋକେ ଆମକୁ ହରାଇଦେଲେ  । ଏମିତିକି ପରୋକ୍ଷରେ ପାଣ୍ଡିଆନ ଫ୍ୟାକ୍ଟର ବି ଏକ କାରଣ ବୋଲି ସୂଚନା ଦେଇଛନ୍ତି  ।
ସମ୍ବିତଙ୍କ ଏଭଳି କଥା ଏବେ ରାଜନୀତିକ ମହଲରେ ଆଲୋଡ଼ନ ସୃଷ୍ଟିକରିଛି  । ନବୀନଙ୍କୁ ହରାଇବା ପାଇଁ ଷଡ଼ଯନ୍ତ୍ର ହୋଇଥିଲା ବୋଲି ଏବେ ସରଗରମ ଚର୍ଚ୍ଚା ଆରମ୍ଭ ହୋଇଯାଇଛି  । ପୂର୍ବରୁ ଟାଣୁଆ ବିଜେଡ଼ି ନେତା ପ୍ରଭାତ ବିଶ୍ୱାଳ ମଧ୍ୟ ପରାଜୟ ପାଇଁ ସିଧାସଳଖ ବବି ଦାସ ଓ ଭିକେ ପାଣ୍ଡିଆନଙ୍କ ଆଡ଼କୁ ଅଙ୍ଗୁଳି ଉଠାଇଥିଲେ  । କିନ୍ତୁ ପରେ ଦଳୀୟ ଚାପରେ କଥାକୁ ଗୋଳେଇବାକୁ ଚେଷ୍ଟା କରିଥିଲେ  । ଭୁବନେଶ୍ୱର ବିଜେଡ଼ିର ଆଗଧାଡ଼ିର ନେତା ଅମରେଶ ଜେନା ମଧ୍ୟ ଦଳରେ ବିଭୀଷଣ ଅଛନ୍ତି ବୋଲି କହିବାକୁ ପଛାଇନଥିଲେ  । ଖାଲି ସେମାନେ ନୁହଁନ୍ତି ବରିଷ୍ଠ ବିଜେଡ଼ି ନେତା ବଦ୍ରି ନାରାୟଣ ପାତ୍ର ଓ ଅରୁଣ ସାହୁ ମଧ୍ୟ କିଛି ଦିଗକୁ ଇଙ୍ଗିତ କରିଥିଲେ  ।
ଚଳିତ ନିର୍ବାଚନରେ ବିଜେଡ଼ିର ପରାଜୟକୁ ଦଳର ନେତାମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି  । ଏକପାଖିଆ ବିଜୟ ସ୍ଥିତି ନିର୍ବାଚନର ମାସକ ମଧ୍ୟରେ କିଭଳି ୟୁଟର୍ଣ୍ଣ ନେଇଗଲା ସେହିକଥା ଭାଳି ହେଉଛନ୍ତି  । ଅନେକ ତୁଙ୍ଗ ନେତାଙ୍କ ଅହଙ୍କାର ବି ଗୁଣ୍ଡ ହୋଇଯାଇଛି  । ସବୁଠାରୁ ବଡ଼ କଥା ହେଲା ଦଳର ସଭାପତି ମଧ୍ୟ ନିର୍ବାଚନରେ ପରାଜୟର ସାମ୍ନା କଲେ  । ଅନେକ ନିର୍ବାଚନମଣ୍ଡଳୀରେ ସେଭଳି ସଂଗଠନ ନଥିବା ବିଜେପି ନେତାମାନେ ବି ବିଜୟର ସ୍ୱାଦ ଚାଖି ପାରିଛନ୍ତି  । ପୂର୍ବ ନିର୍ବାଚନମାନଙ୍କର ସରକାରୀ ବିରୋଧୀ ହାୱା ଥିଲେବି ନବୀନଙ୍କ କ୍ରେଜ ତାହା ପ୍ରତିହିତ କରିପାରିଥିଲା  । କିନ୍ତୁ ଚଳିତ ନିର୍ବାଚନ ବେଳେ ବିଜେଡ଼ିର ରଣନୀତିକାରମାନଙ୍କ ମନମାନିକୁ ବିଜେଡ଼ି ନେତା ଓ କର୍ମୀମାନେ ଗ୍ରହଣ କରିପାରିନଥିଲେ  । ୧୯୯୫ ନିର୍ବାଚନ ଭଳି ଚଳିତ ନିର୍ବାଚନରେ ମଧ୍ୟ ଭିତିରିଆ ଗୋଛିକଟା ଜୋର ଧରିଥିଲା  । ପରାଜୟ ବରଣ କରିଥିଲେବି ଏଯାଏଁ ଦଳ କାରଣ ଖୋଜିବା ପାଇଁ କମିଟି ଗଠନ କରିପାରିନାହିଁ  । ବୋଧହୁଏ ଦଳର ସୁପ୍ରିମୋ ପରାଜୟର କାରଣ ଜାଣିସାରିଛନ୍ତି  । ଦଳ ଏବେ ନୀରବରେ ବସିଥିବାରୁ ବିଜେଡ଼ି ନେତାମାନେ ଅଥୟ ହୋଇଗଲେଣି  । ଆଗାମୀ ଦିନରେ ଅସନ୍ତୋଷର ତୁଣ୍ଡ ବିସ୍ଫୋରଣ ସୃଷ୍ଟି କରିବ ବୋଲି ଆଶଙ୍କା କରାଯାଉଛି  ।