ସାର୍ ଛାଇ ତଳେ ମୋବାଇଲ ଦେଖୁଥିଲେ, କିନ୍ତୁ କୁନି ପିଲା ବୋହୁଥିଲେ କାଠ । ଦେଖିଦେଲା ତୃତୀୟ ନୟନ ।

ସାର୍ ଛାଇ ତଳେ ମୋବାଇଲ ଦେଖୁଥିଲେ, କିନ୍ତୁ କୁନି ପିଲା ବୋହୁଥିଲେ କାଠ । ଦେଖିଦେଲା ତୃତୀୟ ନୟନ ।

ମୋତେ  ଯେତେ ମାଠିବୁ ମାଠ୍, ମୁଁ ସେଇ ଦରପୋଡା କାଠ୍ ନୀତିରେ ଚାଲିଛି  ଶିକ୍ଷା ବିଭାଗ। ଯାହାର ଚିତ୍ର ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ବସ୍ତା  ବ୍ଲକ କୁଳିଦା ପଞ୍ଚାୟତର ପଦିମା ପ୍ରାଥମିକ ବିଦ୍ୟାଳୟରେ। ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ପାଇଁ  ଜାଳେଣି କାଠ ବୋଝେଇ ଅଟୋରୁ ବିଦ୍ୟାଳୟକୁ  କୁନି କୁନି ପିଲା କାଠ ବୋହିବା ଘଟଣା ସାମ୍ନାକୁ ଆସିଛି । କୌଣସି ପରିସ୍ଥିତିରେ ଛାତ୍ରଛାତ୍ରୀଙ୍କୁ ଶ୍ରମ  କାର୍ଯ୍ୟରେ ନିୟୋଜିତ କରାଯାଇ ପାରିବ ନାହିଁ ବୋଲି ବିଭାଗୀୟ ନିର୍ଦ୍ଦେଶ ରହିଥିଲେ ବି ସରକାର ,ପ୍ରଶାସନ, ଶିକ୍ଷାବିଭାଗ , ଏପରିକି ଶିଶୁ ସୁରକ୍ଷା ବିଭାଗର ଉଦାସୀନତା ପାଇଁ ଏହି  ନିୟମ କାର୍ଯ୍ୟକାରୀ ହେବା ବଦଳରେ , ଏକ ପ୍ରକାର ପ୍ରହସନରେ ପରିଣତ ହୋଇଛି । ଯାହା ପାଇଁ ଦିନକୁ ଦିନ ଏଭଳି ମାମଲା କମିବା ବଦଳରେ କ୍ରମଶଃ ବୃଦ୍ଧି ପାଉଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶ୍ୱନି କୁମାର ସିଂ ସ୍ବୀକାର କରିଛନ୍ତି। କେବଳ ସେତିକି ନୁହଁ, ନିଜେ ପ୍ରଧାନଶିକ୍ଷକ ସ୍କୁଲରେ ପାଠ ପଢ଼ାଇବା ବଦଳରେ  ମୋବାଇଲରେ ବ୍ୟସ୍ତ ରହିବା ଓ ଇଉନିଫର୍ମ ପିନ୍ଧି ନଥିବା ଦେଖିବାକୁ ମିଳିଛି। ଯାହାକି ତାଙ୍କର ଇଛା ଓ ମନମାନିରେ  ବିଦ୍ୟାଳୟ ଚାଲିଛି ବୋଲି ସ୍ପଷ୍ଟ ଜଣା ପଡ଼ୁଛି।

ବର୍ତ୍ତମାନର ଶିକ୍ଷାନୀତି ଓ ଶିକ୍ଷା ବ୍ୟବସ୍ଥା ଅନୁଯାୟୀ ପ୍ରତ୍ୟେକ ବିଦ୍ୟାଳୟ ହେଉଛି ଦଣ୍ଡମୁକ୍ତ ଅଞ୍ଚଳ। ବିଦ୍ୟାଳୟ ଓ ପାଠ ପଢା  ପ୍ରତି ଛାତ୍ରଛାତ୍ରୀଙ୍କ ଭୟ ରହିବ ନାହିଁ, ବରଂ ଆକୃଷ୍ଟ ହୋଇ  ଖୁସି ମନରେ ପାଠ ପଢିବାକୁ ଆସିବେ । ସେଥିପାଇଁ ପ୍ରତ୍ୟେକ  ବିଦ୍ୟାଳୟକୁ  ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା କରିବା ସହିତ ବିଦ୍ୟାଳୟ  କାନ୍ଥରେ ଦଣ୍ଡମୁକ୍ତ  ଅଞ୍ଚଳ ବୋଲି  ଲେଖାଯାଉଛି। ତେବେ ଏହି ଦଣ୍ଡମୁକ୍ତ  ଅଞ୍ଚଳର ଘୋଷଣା  କାଗଜପତ୍ରରେ  ସୀମିତ ରହିଯାଉଛି ବୋଲି ମନେ ହେଉଛି। ଘଟଣା ବାବଦରେ ଶିକ୍ଷାବିଭାଗ  ଜାଣି ପାରି ବସ୍ତା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ  ଏବିଇଓ ବାସନ୍ତୀ ପୁଷ୍ଟି  ସିଆରସିସି ପିତାମ୍ବର ବେହେରା,  ଗୁଡିଖାଳ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନରେନ୍ଦ୍ର କୁମାର ନାୟକ ପ୍ରମୁଖ ଘଟଣାର ତଦନ୍ତ କରିଛନ୍ତି।

ତେବେ କେବେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ହେଉଛି କିମ୍ବା ଅନ୍ୟ ଘଟଣା ପରି ଏହି ଘଟଣା ମଧ୍ୟ ଚାପି ହୋଇଯାଉଛି, ତାହା ଦେଖିବାକୁ ବାକି ରହିଲା। ବାଲେଶ୍ୱର ଜିଲ୍ଲା ବସ୍ତାରୁ ପ୍ରିୟରଞ୍ଜନ ପାତ୍ରଙ୍କ ରିପୋର୍ଟ |