କନେଷ୍ଟବଳଙ୍କ ମୃତଦେହ ଉଦ୍ଧାର

କନେଷ୍ଟବଳଙ୍କ ମୃତଦେହ ଉଦ୍ଧାର

ହାଟଡ଼ିହି : କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନାର ଜଣେ କନେଷ୍ଟବଳଙ୍କ ମୃତଦେହ ଥାନା ସାମ୍ନାରେ ଥିବା ପୋଖରୀରୁ ଉଦ୍ଧାର ହୋଇଛି । ମୃତ କନେଷ୍ଟବଳଙ୍କ ଘର ହରିଚନ୍ଦନପୁରରେ ହୋଇଥିବା ବେଳେ ସେ କେନ୍ଦ୍ରାପଡ଼ାରେ ସପରିବାର ରହୁଥିଲେ । କନେଷ୍ଟବଳ ପ୍ରଦୀପ ନାୟକ ଥାନା ବ୍ୟାରାକ୍‌ରେ ରହୁଥିବାବେଳେ ଗତକାଲି ସନ୍ଧ୍ୟାରେ କେଉଁଆଡେ ଯାଇ ଆଉ ଫେରିନଥିଲେ । ସାଥିମାନେ ତାଙ୍କୁ ଖୋଜା ଖୋଜି କରିଥିଲେ ବି ତାଙ୍କ ସନ୍ଧାନ ପାଇ ନଥିଲେ।
ଆଜି ସକାଳୁ ସ୍ଥାନୀୟ ଲୋକ ପୋଖରୀରେ ଏକ ମୃତଦେହ ଭସୁଥିବାର ଦେଖି ପୋଲିସକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗର କର୍ମଚାରୀଙ୍କ ସହାୟତାରେ ମୃତଦେହେ ଉଦ୍ଧାର ହେବା ପରେ ମୃତ ବ୍ୟକ୍ତି ଜଣକ କନେଷ୍ଟବଳ ପ୍ରଦୀପ ନାୟକ ବୋଲି ଜଣାପଡ଼ିଥିଲା । ମୃତଦେହ ଉଦ୍ଧାର ପରେ ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ମେଡିକାଲକୁ ପଠାଯାଇଛି । ପ୍ରଦୀପ ୫ ଦିନ ହେବ ଛୁଟିରେ ଘରକୁ ଯାଇଥିଲେ । ଛୁଟି ସରିବା ପରେ ଗତକାଲି ସେ ଥାନାକୁ ଆସିଥିଲେ । ତେବେ କେଉଁ ପରିସ୍ଥିତିରେ ସେ ପୋଖରୀକୁ ଯାଇଥିଲେ ଓ କିପରି ପୋଖରୀରେ ବୁଡ଼ିଗଲେ ତାକୁ ନେଇ ଏବେ ତଦନ୍ତ ଆରମ୍ଭ କରିଛି ନନ୍ଦିପଦା ପୋଲିସ ।