ଦେଶ ପାଇଁ ଦାନ ଅଭିଯାନ ଆରମ୍ଭ କରିଛି

ଦେଶ ପାଇଁ ଦାନ ଅଭିଯାନ ଆରମ୍ଭ କରିଛି

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଦେଶ ପାଇଁ ଦାନ ଅଭିଯାନ ଆରମ୍ଭ କରିଛି। କଂଗ୍ରେସ ଜାତୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଏହି ଅଭିଯାନରେ କହିଛନ୍ତି  ପ୍ରଥମ ଥର ପାଇଁ ଦେଶ ପାଇଁ ଦାନ ଦେବାକୁ କଂଗ୍ରେସ କହିଛି।
ଖାର୍ଗେ କହିଛନ୍ତି, ଯଦି ଆପଣ କ୍ରମାଗତ ଭାବରେ ଧନୀ ଲୋକଙ୍କ ଉପରେ ନିର୍ଭରଶୀଳ ହୋଇ କାର୍ୟ୍ୟ କରନ୍ତି, ତେବେ ଆପଣଙ୍କୁ ସେମାନଙ୍କ ନୀତି ଗ୍ରହଣ କରିବାକୁ ପଡିବ। ଦେଶରେ ସ୍ବାଧୀନତା ଆଣିବା ପାଇଁ ମହାତ୍ମା ଗାନ୍ଧୀ ମଧ୍ୟ ଲୋକଙ୍କଠାରୁ ଦାନ ନେଇଥିଲେ ।
୨୦୨୪ ଲୋକସଭା ନିର୍ବାଚନରେ ଭାଜପା ସହିତ ଲଢ଼େଇ କରିବା ପାଇଁ କଂଗ୍ରେସ ଦଳ ଏକ ଦାନ ଅଭିଯାନ ଆରମ୍ଭ କରିବାକୁ ଘୋଷଣା କରିଛି। ଦଳ ପକ୍ଷରୁ ସାଧାରଣ ଲୋକଙ୍କ ଦାନ ସହାୟତା ଲୋଡିଛି। ଦଳର ୧୩୮ ବର୍ଷର ଏକ ସମୃଦ୍ଧ ଇତିହାସ ସହିତ, ଦଳ ବ୍ୟକ୍ତିବିଶେଷଙ୍କୁ ସହଯୋଗ କରିବାକୁ ଉତ୍ସାହିତ କରୁଛି।ଲୋକେ ୧୩୮,୧୩୮୦, ୧୩୮୦୦, ୧୩୮୦୦୦ ଟଙ୍କା ଦାନ କରିପାରିବେ। ଏହି ଅଭିଯାନ ଦ୍ୱାରା କଂଗ୍ରେସ ଲୋକଙ୍କ ନିକଟତର ହେବାର ଲକ୍ଷ୍ୟ ରଖିଛି। ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏନେଇ ଅଭିଯାନର ବିବରଣୀ ଅଂଶୀଦାର କରି ଅଜୟ ମାକେନ କହିଛନ୍ତି, ଆମେ ଦାନ ନାମରେ ଏକ କ୍ରାଉଡ ଫଣ୍ଡିଂ ଅଭିଯାନ ଆରମ୍ଭ କରିବାକୁ ଯାଉଛୁ।
ଚାନ୍ଦା ପ୍ରକ୍ରିୟାକୁ ସୁଗମ କରିବା ପାଇଁ କଂଗ୍ରେସ ପାର୍ଟି ଅନେକ ସୁବିଧା ଉପଲବ୍ଧ କରାଇଛି। ଆଗ୍ରହୀ ଦାତା ୱେବସାଇଟ http://donateinc.in ପରିଦର୍ଶନ କରିପାରିବେ କିମ୍ବା http://inc.in ମାଧ୍ୟମରେ ଟଙ୍କା ଦାନ କରିପାରିବେ। ତେବେ ଦାତାମାନେ ଭାରତୀୟ ନାଗରିକ ଏବଂ ସେମାନଙ୍କର ବୟସ ୧୮ ବର୍ଷରୁ ଅଧିକ ହେବା ଆବଶ୍ୟକ।