ନବୀନଙ୍କ ପ୍ରଚାରକୁ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଜୋରଦାର ବିରୋଧ କଲା ଯୁବ କଂଗ୍ରେସ
ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ତରଫରୁ ଆଜି ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସର ଗଣମାଧ୍ୟମ ଅଧ୍ୟକ୍ଷ ଶ୍ରୀ ସୁଦିପ ସାମଲ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ପ୍ରଚାରର ଶୁଭାରମ୍ଭ ଦିନରେ କଡ଼ା ସମାଲୋଚନା କରିଛନ୍ତି । ଶ୍ରୀ ସାମଲ ଗଣମାଧ୍ୟମ ମାଧ୍ୟମରେ ପ୍ରକାଶ କରିଛନ୍ତି ଯେ ଉଭୟ ନବୀନ ଏବଂ ମୋଦି ମିଛର ଦୌଡ଼ରେ କିଏ ଆଗରେ ରହିବ ସେଥିପାଇଁ ପ୍ରତିଯୋଗିତା କରୁଛନ୍ତି । ଓଡ଼ିଶାରେ ୨୫ ବର୍ଷର ସରକାର ସମୟରେ ନବୀନ ବାବୁ ଓଡ଼ିଶାକୁ କେତେ ଲୁଟିଲେ ଏବଂ ଓଡ଼ିଶାକୁ କ’ଣ ଦେଲେ ତାର ଉତର ପ୍ରଚାର ମୈଦାନରେ ସର୍ବସମ୍ମୁଖରେ ପ୍ରକାଶ କରନ୍ତୁ । ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ଏକ ଖୋଲା ବିତର୍କପାଇଁ ଏହି ସାମ୍ବାଦିକ ସମ୍ମିଳନୀରେ ଆହ୍ୱାନ ଦେଇଥିଲେ । ଓଡ଼ିଶାର ଯୁବକମାନେ ସବୁଠାରୁ ଅଧିକ ପ୍ରତାରିତ ହୋଇଥିବା ବେଳେ ତାଙ୍କ ଶାସନ ସମୟରେ ଶିକ୍ଷା, ସ୍ୱାସ୍ଥ୍ୟ, ଆଇନ ଶୃଙ୍ଖଳା, ଗମନାଗମନ ଏବଂ କୃଷି କ୍ଷେତ୍ରରେ ଓଡ଼ିଶା ରସାତଳକୁ ଖସି ଯାଇଛି । ସାରା ବିଶ୍ୱର ଯିଏ ଦେବତା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସମ୍ପତି ଏବେ କେଉଁ ପରିସ୍ଥିତିରେ ଅଛି ଏହା ନବୀନ ବାବୁ ସର୍ବସମ୍ମୁଖରେ ପ୍ରକାଶ କରନ୍ତୁ, ଓଡ଼ିଶାକୁ ତାମିଲ ହାତକୁ ବିିକିବା ପାଇଁ ଯେଉଁ ପ୍ରୟାସ କରୁଛନ୍ତି ସେଥିରୁ ନିବୃତ ରୁହନ୍ତୁ । ବୈଷୟୀକ ଶିକ୍ଷା କ୍ଷେତ୍ରରେ ଆଜିର ପରିସ୍ଥିତି କଣ ନବୀନ ବାବୁ ଏହାର ଉତର ସର୍ବସମ୍ମୁଖରେ ରଖନ୍ତୁ । ଏହି ସାମ୍ବାଦିକ ସମ୍ମିଳନୀ ଜରିଆରେ ଶ୍ରୀ ସାମଲ ପ୍ରକାଶ କରିଛନ୍ତି ଯେ ନବୀନ ବାବୁ ଯେଉଁ ଯେଉଁ ନିର୍ବାଚନ ମଣ୍ଡଳୀକୁ ପ୍ରଚାର ପାଇଁ ଯିବେ ସେ ସମସ୍ତ ନିର୍ବାଚନ ମଣ୍ଡଳୀରେ ଯୁବ କଂଗ୍ରେସ ତାଙ୍କୁ ଏହି ସବୁ ପ୍ରଶ୍ନ ପଚାରିବା ସହ ଓଡ଼ିଶାବାସୀଙ୍କୁ ନିବେଦନ କରିବେ ଯେ ନବୀନ ବାବୁଙ୍କ ମିଛ ପ୍ରତିଶ୍ରୁତିକୁ ଗ୍ରହଣ ନକରି ଏଥର ଓଡ଼ିଶାବାସୀ ତାଙ୍କୁ ଉଚିତ ଜବାବ ଦେବେ ବୋଲି । ଏହି ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସର ଗଣମାଧ୍ୟମ ସଂଯୋଜକ ମହମ୍ମଦ ପରଭେଜ ଉପସ୍ଥିତ ଥିଲେ ।