ଦେଶରେ କୋଭିଡ୍-୧୯ ସଂକ୍ରମଣ;୨୪ ଘଣ୍ଟାରେ ୪,୦୫୪ ସକ୍ରିୟ ମାମଲା
ନୂଆଦିଲ୍ଲୀ: ଦେଶରେ ବୃଦ୍ଧି ପାଉଥିବା ସକ୍ରିୟ କୋଭିଡ୍-୧୯ ଆକ୍ରାନ୍ତଙ୍କ ସଂଖ୍ୟା ସମ୍ପ୍ରତି ୪୦୦୦ ଟପିଥିବା କଥା ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ୱେବ୍ସାଇଟ୍ରୁ ଜଣାପଡ଼ିଛି।ଗତ ୨୪ ଘଣ୍ଟାରେ କେରଳରେ ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ସମ୍ପ୍ରତି ଦେଶରେ କୋଭିଡ୍-୧୯ ସଂକ୍ରମଣଜନିତ ସମୁଦାୟ ମୃତ୍ୟୁସଂଖ୍ୟା ୫,୩୩,୩୩୪କୁ ବୃଦ୍ଧି ପାଇଛି। ଆଜି ସକାଳ ସୁଦ୍ଧା ‘ଅପ୍ଡେଟ୍’ କରାଯାଇଥିବା ସ୍ବାସ୍ଥ୍ୟମନ୍ତ୍ରାଳୟ ଓେବ୍ସାଇଟ୍ରେ ସୂଚନା ଦିଆଯାଇଛି ଯେ, ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୪,୦୫୪ଟି ସକ୍ରିୟ କୋଭିଡ୍-୧୯ ମାମଲା ରିପୋର୍ଟ କରାଯାଇଛି। ରବିବାର ସକାଳ ୮ଟା ସୁଦ୍ଧା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ଥିଲା ୩,୭୪୨। ସେହିପରି, ଗତ ୨୪ ଘଣ୍ଟା ମଧ୍ୟରେ ୩୧୫ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଓ ସେମାନଙ୍କୁ ମିଶାଇ ଦେଶରେ ସମୁଦାୟ ୪,୪୪,୭୧,୮୬୦ଜଣ କୋଭିଡ୍-୧୯ ସୁସ୍ଥ ହେଲେଣି। ସମ୍ପ୍ରତି ଜାତୀୟ ସୁସ୍ଥତା ହାର ୯୮.୮୧% ଥିବା ବେଳେ ମୃତ୍ୟୁହାର ୧.୧୮% ରହିଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି।