ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ନିଟ ପରୀକ୍ଷା ଫଳରେ ଦୁର୍ନୀତି ପ୍ରତିବାଦରେ ବିକ୍ଷୋଭ

ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ନିଟ ପରୀକ୍ଷା ଫଳରେ ଦୁର୍ନୀତି ପ୍ରତିବାଦରେ ବିକ୍ଷୋଭ


ପ୍ରଦେଶ ଯୁବ କଂଗ୍ରେସ ସଭାପତି  ରଣଜିତ ପାତ୍ରଙ୍କ ଅଧ୍ୟକ୍ଷତାରେ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଆୟୋଜିତ ହୋଇଯାଇଛି । ଏହି ବୈଠକରେ ପ୍ରଦଶେ ଯୁବ କଂଗ୍ରେସ କର୍ମକର୍ତା ଏବଂ ଜିଲ୍ଲା ଯୁବ କଂଗ୍ରେସ ସଭାପତିମାନେ ଉପସ୍ଥିତ ରହିଥିଲେ । ଅପରାହ୍ନରେ ପ୍ରଦେଶ ଯୁବ କଂଗ୍ରେସ ସଭାପତି ରଣଜିତ ପାତ୍ରଙ୍କ ନେତୃତ୍ୱରେ ଯୁବ କଂଗ୍ରେସର କର୍ମୀମାନେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ଶୋଭାଯାତ୍ରାରେ ଆସି ମାଷ୍ଟରକ୍ୟାଂଟିନ ଛକରେ ନିଟ-୨୦୨୪ ପରୀକ୍ଷାଫଳରେ ଦୁର୍ନୀତି ପ୍ରତିବାଦରେ ଏକ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ପ୍ରଦର୍ଶନରେ ଭାରତର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର କୁଶପୁତଳିକା ଦାହ କରାଯାଇଥିଲା । ଏହି ପ୍ରସଙ୍ଗରେ ପ୍ରଦେଶ ଯୁବ କଂଗ୍ରେସ ସଭାପତି ରଣଜିତ ପାତ୍ର କହିଥିଲେ ଯେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଟ-୨୦୨୪ ରେ ହୋଇଥିବା ଦୁର୍ନୀତିକୁ ଘୋଡ଼ାଇବା ପାଇଁ ପ୍ରାଣମୁର୍ଚ୍ଛା ଉଦ୍ୟମ କରିଥିଲେ । ଏହି ପରୀକ୍ଷାରେ ଦୁର୍ନୀତି ହୋଇନାହିଁ ବୋଲି ସେ ଗଣମାଧ୍ୟମରେ ଦୃଢ଼ ଭାବରେ ଘୋଷଣା କଲେ । ମାନ୍ୟବର ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ପରୀକ୍ଷାରେ ବ୍ୟାପକ ଦୁର୍ନୀତି ହୋଇଥିବାର ଜଣାପଡ଼ିଛି । ଏନଟିଏ ଏକ ଦୁର୍ନୀତିପୂର୍ଣ୍ଣ ସଂସ୍ଥା ବୋଲି ପ୍ରମାଣିତ ହୋଇଯାଇଛି ।
  ଜନନାୟକ ରାହୁଲ ଗାନ୍ଧୀ କଂଗ୍ରେସର ଇସ୍ତାହାରରେ ପ୍ରଶ୍ନପତ୍ର ପ୍ରଘଟ କିପରି ନହେବ ସେଥିନେଇ ବଳିଷ୍ଠ ପଦକ୍ଷେପ ନିଆଯିବ ବୋଲି ନିର୍ବାଚନ ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲେ । ସୁତରାଂ ମୋଦୀ ସରକାର ଅମଳରେ ବାରମ୍ବାର ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟକୁ ଯୁବ କଂଗ୍ରେସ ଦୃଢ଼ ବିରୋଧ କରୁଛି । 
 ନିଟ ସ୍କାମ ଏ ରାଷ୍ଟ୍ରର ଛାତ୍ର ସମାଜ ପାଇଁ ଏକ ସାଂଘାତିକ ବିଶ୍ୱାସଘାତକତା । ଏ ସଂପୂର୍ଣ୍ଣ ଦୁର୍ନୀତିରେ ଏନଟିଏ ସଂପୃକ୍ତ । ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ରକୁ ବାହାରେ ପ୍ରଘଟ କରିବାର ପ୍ରମାଣ ରହିଛି । ଏହା ଦ୍ୱାରା ୨୪ଲକ୍ଷ ପରୀକ୍ଷାର୍ଥିଙ୍କର ଭବିଷ୍ୟତ ସହ ଖେଳାଯାଇଛି । ଜୁନମାସ ୧୪ ତାରିଖରେ ଫଳାଫଳ ବାହାରିବା କଥା ମାତ୍ର ଯେଉଁଦିନ ସାଧାରଣ ନିର୍ବାଚନ ଅର୍ଥାତ ୧୦ ଦିନ ପୂର୍ବରୁ ନିଟ ପରୀକ୍ଷାର ଫଳାଫଳ ପ୍ରକାଶ କରାଗଲା । ଏହା ମଧ୍ୟ ସମସ୍ତଙ୍କୁ ଆଶ୍ଚଯ୍ୟାନ୍ୱିତ କରିଛି । କିପରି ସମସ୍ତଙ୍କ ଦୃଷ୍ଟିରୁ ଏହି ଫଳାଫଳ ଏଡ଼େଇଯିବ ସେଥିପାଇଁ ଏହି ଷଡ଼ଯନ୍ତ୍ର କରାଯାଇଥିଲା । ୬୭ ଜଣ ଛାତ୍ରଙ୍କୁ ପୂର୍ଣ୍ଣସଂଖ୍ୟା ୭୨୦ ନମ୍ବର ଦିଆଯାଇଛି । ନିଟ ପରୀକ୍ଷାର ମୂଲ୍ୟାୟନ ଯେଉଁ ପ୍ରକ୍ରିୟାରେ ହୁଏ ସେହି ପ୍ରକ୍ରିୟାରେ ଜଣେ ପରୀକ୍ଷାର୍ଥି ୭୧୮ କିମ୍ବା ୭୧୯ ନମ୍ବର ପାଇପାରିବ ନାହିଁ । ତେଣୁ କିଭଳି ଭାବେ ପରୀକ୍ଷାର୍ଥିଙ୍କୁ ୭୧୮ ଓ ୭୧୯ ନମ୍ବର ଦିଆଯାଇଛି । ଗୋଟିଏ ପରୀକ୍ଷା କେନ୍ଦ୍ରରେ ଅଧିକାଂଶ ପରୀକ୍ଷାର୍ଥି ଟପର ଲିଷ୍ଟରେ ରହିଛନ୍ତି । କେତେକ କେନ୍ଦ୍ରରେ ପରୀକ୍ଷାର୍ଥିଙ୍କୁ ଭୁଲ ପ୍ରଶ୍ନ ବଂଟନ କରାଯାଇଛି । ପ୍ରଦେଶ ଯୁବ କଂଗ୍ରେସ ନିଟ ୟୁଜି-୨୦୨୪ ପୁନଃ ପରୀକ୍ଷା କରିବାକୁ ଦାବି କରୁଛି । ଏହି ମହାଦୁର୍ନୀତିରେ ସଂପୃକ୍ତ ସମସ୍ତ ବ୍ୟକ୍ତିଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ଯୁବ କଂଗ୍ରେସ ଦାବି କରୁଛି । ଏହି କାର୍ଯ୍ୟକ୍ରମରେ ଭାରତୀୟ ଯୁବ କଂଗ୍ରେସର ଓଡ଼ିଶା ପ୍ରଭାରୀ ଅଜିତ ସିଂ ଏବଂ ସହ ପ୍ରଭାରୀ ଅଭିନବ ଭଗତ ଅଂଶଗ୍ରହଣ କରିଥିଲେ ।  ଏହି କାର୍ଯ୍ୟକ୍ରମରେ ରାଜ୍ୟ ଯୁବ କଂଗ୍ରେସ ଉପସଭାପତି ରୁକ୍ମଣି ମଙ୍ଗରାଜ, ନାରାୟଣ ବାରି, କୃଷ୍ଣଚନ୍ଦ୍ର ମହାନ୍ତି, ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ସୁଦୀପ ସାମଲ, ଗୋପନ ମାର୍ଥା, ନିହାର ରଞ୍ଜନ ବେହେରା, ଅଭିଜିତ ଜେନା, ଜ୍ଞାନରଞ୍ଜନ ରାଉତ, ଜୟଦେବ ଲେଙ୍କା, ମହମ୍ମଦ ପରଭେଜ, ଲିପ୍ସା ନାୟକ, ଲିପିକା ପାତ୍ର, ରାଜ୍ୟ ସୋସିଆଲ ମେଡିଆ ଆବାହକ ରାହୁଲ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ ।