ଓଡିଆଙ୍କ ହାତରୁ ଚାଲିଗଲା ଗୋପାଳପୁର ବନ୍ଦର । ଅଦାନୀ ହାତକୁ ଟେକି ଦେଲେ ବିଜେପି ସରକାର ।
ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ବିଭିନ୍ନ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି ।
ଚାକିରି ପାଇଁ ଅଗ୍ନିବୀରଙ୍କୁ ଦେବାକୁ ପଡ଼ିବନି ଶାରୀରିକ ପରୀକ୍ଷା, ବିବାହିତା ଝିଅ ଓ ସାବତ ଝିଅଙ୍କୁ ବି ମିଳିବ ଅନୁକମ୍ପା ନିଯୁକ୍ତି । ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ସଚିବ ମନୋଜ ଆହୁଜା କହିଛନ୍ତି ଯେ, ପ୍ରତ୍ୟକ୍ଷ ନିଯୁକ୍ତି ଦ୍ୱାରା ପୂରଣ ହେଉଥିବା ରାଜ୍ୟର ୟୁନିଫର୍ମ ସେବାରେ ଅବସରପ୍ରାପ୍ତ ଅଗ୍ନିବୀରଙ୍କୁ ଯଥେଷ୍ଟ ନିଯୁକ୍ତି ସୁଯୋଗ ଦେବା ନିମନ୍ତେ ରାଜ୍ୟ କ୍ୟାବିନେଟ୍ ଓଡ଼ିଶା ଅବସରପ୍ରାପ୍ତ ଅଗ୍ନିବୀର ନିୟମାବଳୀ-୨୦୨୪ର ପ୍ରଣୟନକୁ ମଞ୍ଜୁରୀ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଗତ ଜୁଲାଇ ୨୬ତାରିଖରେ ୟୁନିଫର୍ମ ସେବା ନିଯୁକ୍ତିରେ ଅଗ୍ନିବୀରଙ୍କୁ ନିର୍ଦ୍ଧାରିତ ବୟସସୀମାରେ ୫ବର୍ଷ କୋହଳ କରାଯିବ ବୋଲି ଘୋଷଣା କରିଥିଲେ । ମାତ୍ର ଆଜି କ୍ୟାବିନେଟରେ ଏହି ବୟସ ସୀମାକୁ ୩ବର୍ଷ ବୋଲି ଦର୍ଶାଯାଇଛି । ସରକାର ରାଜ୍ୟରେ ସବୁ ୟୁନିଫର୍ମ ସେବାର ତୃତୀୟ ଓ ଚତୁର୍ଥ ଶ୍ରେଣୀ ପଦବୀରେ ନିଯୁକ୍ତି ନିମନ୍ତେ ଅଗ୍ନିବୀରଙ୍କୁ କୌଣସି ଶାରୀରିକ ପରୀକ୍ଷା ଦେବାକୁ ପଡ଼ିବ ନାହିଁ । ଏହାସହିତ ସେମାନଙ୍କୁ ଅତିରିକ୍ତ ୧୦ ପ୍ରତିଶତ ସଂରକ୍ଷଣ ଓ ନିର୍ଦ୍ଧାରିତ ବୟସସୀମା(୩ବର୍ଷ) କୋହଳ ସୁବିଧା ମିଳିବ । ରାଜ୍ୟ କ୍ୟାବିନେଟ୍ ଆଜି ‘ଓଡ଼ିଶା ଅବସରପ୍ରାପ୍ତ ଅଗ୍ନିବୀର(ୟୁନିଫର୍ମ ସେବାରେ ନିଯୁକ୍ତି) ନିୟମାବଳୀ, ୨୦୨୪ର ପ୍ରଣୟନକୁ ଅନୁମୋଦନ କରିଛନ୍ତି ।
ସେହିପରି ଓଡ଼ିଶା ବେସାମରିକ ସେବା(ପୁନର୍ବାସ ସହାୟତା) ନିୟମାବଳୀ-୨୦୨୦ର ସଂଶୋଧନକୁ ମଧ୍ୟ କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି । ଫଳରେ ସରକାରୀ କର୍ମଚାରୀଙ୍କ ଉପରେ ନିର୍ଭରଶୀଳ ଥିବା ବିବାହିତା ଝିଅ ଓ ବିବାହିତା ସାବତ ଝିଅମାନଙ୍କୁ ଅନୁକମ୍ପାମୂଳକ ସହାୟତା ନିଯୁକ୍ତି ପ୍ରଦାନ ପାଇଁ ବିଚାର କରାଯିବ । ଏହି ସଂଶୋଧନ ଦ୍ୱାରା ଏଣିକି ସରକାରୀ କର୍ମଚାରୀ ଥିବା ପିତାମାତାଙ୍କ ମୃତ୍ୟୁ ହେଲେ ତାଙ୍କ ଉପରେ ନିର୍ଭରଶୀଳ ଥିବା ବିବାହିତା ଝିଅ ଓ ସାବତ ଝିଅଙ୍କୁ ମଧ୍ୟ ଅନୁକମ୍ପାମୂଳକ ନିଯୁକ୍ତି ମିଳିବାର ମାର୍ଗ ପ୍ରଶସ୍ତ ହୋଇଛି ।
ଏହାବ୍ୟତୀତ ରାଜ୍ୟ କ୍ୟାବିନେଟ ଗୋପାଳପୁର ବନ୍ଦର ମାଲିକାନା ସତ୍ତ୍ୱ ହସ୍ତାନ୍ତର ଓ ସଂଶୋଧିତ ରିହାତି ଚୁକ୍ତିନାମା ସ୍ୱାକ୍ଷର ପ୍ରସ୍ତାବକୁ ମଧ୍ୟ ଅନୁମୋଦନ କରିଛନ୍ତି । ଧାର୍ୟ୍ୟ ପ୍ରକ୍ରିୟା ଅନୁସରଣ କରି ରାଜ୍ୟ କ୍ୟାବିନେଟ୍ ଶାପୁରଜୀ ପାଲୋଞ୍ଜି ପୋର୍ଟ ମେଂଟନାନ୍ସ ପ୍ରାଇଭେଟ୍ ଲିମିଟେଡ୍ ଓ ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡରୁ ଆଦାନୀ ବନ୍ଦର ଓ ସ୍ୱତନ୍ତ୍ର ଅର୍ଥନୈତିକ ଅଂଚଳ ଲିମିଟେଡ(ଏସଇଜେଡ)କୁ ଅଂଶଧନ ହସ୍ତାନ୍ତର ଓ ସଂଶୋଧିତ ରିହାତି ଚୁକ୍ତିନାମାକୁ ମଞ୍ଜୁର କରିଛନ୍ତି । ସୂଚନାଯୋଗ୍ୟ ଏହି ଗୋପାଳପୁର ବନ୍ଦରକୁ ପିପିପି ମୋଡରେ ବିକାଶ ନିମନ୍ତେ ରାଜ୍ୟ ସରକାର ଗୋପାଳପୁର ପୋର୍ଟସ ଲିମିଟେଡକୁ ଏକ ଆନ୍ତର୍ଜାତିକ ପ୍ରତିଯୋଗିତାମୂଳକ ବିଡିଂ ପ୍ରକ୍ରିୟାରେ ଚୟନ କରାଯାଇଥିଲା ।