ଅଗଷ୍ଟ ୧୯ରୁ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିଲେ । ନିମୋନିଆ ଜନିତ ସଂକ୍ରମଣରେ ଆକ୍ରାନ୍ତ ଥିଲେ ।

ଅଗଷ୍ଟ ୧୯ରୁ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିଲେ । ନିମୋନିଆ ଜନିତ ସଂକ୍ରମଣରେ ଆକ୍ରାନ୍ତ ଥିଲେ ।

ଦେଶର ଜଣାଶୁଣା ଭେଟେରାନ୍ ବାମପନ୍ଥୀ ନେତା ତଥା ସିପିଆଇଏମ ସାଧାରଣ ସଂପାଦକ ସୀତାରାମ ୟେଚୁରୀ ଆଜି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଶ୍ୱାସନଳୀରେ ସଂକ୍ରମଣ ଯୋଗୁ ଚିକିତ୍ସାଧୀନ ଅବସ୍ଥାରେ ସେ ପ୍ରାଣତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ମୃତ୍ୟୁ ପରେ ତାଙ୍କ ଶରୀରକୁ ପରିବାର ସଦସ୍ୟ ଦିଲ୍ଲୀ ଏମ୍ସକୁ ଦାନ କରିଛନ୍ତି । ମେଡିକାଲ ପାଠପଢା ଓ ଗବେଷଣା କ୍ଷେତ୍ରରେ ସୀତାରାମଙ୍କ ପାର୍ଥିବ ଶରୀର ବ୍ୟବହାର ହେବ ।
ଗତ ଅଗଷ୍ଟ ୧୯ ତାରିଖରେ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିଲେ ସେ । ପ୍ରାଥମିକ ଚିକିତ୍ସା ପରେ ସେ ନିମୋନିଆ ଜନିତ ଶ୍ୱାସନଳୀ ସଂକ୍ରମଣରେ ପୀଡିତ ଥିବା ସ୍ପଷ୍ଟ ହୋଇଥିଲା । ଏହାପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ସଂକ୍ରମଣ କାରଣରୁ ତାଙ୍କ ଶ୍ୱାସନଳୀ ସଂପୂର୍ଣ ନଷ୍ଟ ହୋଇ ଯାଇଥିବା ପରୀକ୍ଷାରୁ ଜଣା ପଡିଥିଲା । 
ଡାକ୍ତରଖାନା ପ କ୍ଷରୁ ସୂଚନା ଦିଆଯାଇଛି ଯେ ଆଜି ଦିନ ୩ଟା ୫ ମିନିଟରେ ତାଙ୍କର ଦେହାନ୍ତ ହୋଇଛି ବୋଲି । ପରିବାର ଲୋକଙ୍କ ଉପସ୍ଥିତିରେ ଶବ ହସ୍ତାନ୍ତର କରାଯାଇଥିଲା । ପରେ ପରିବାର ଲୋକେ ହସପିଟାଲକୁ ଦାନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ।
ୟେଚୁରୀ ୨୦୦୫ରୁ ୨୦୧୭ ଯାଏଁ ରାଜ୍ୟସଭା ସାଂସଦ ଥିଲେ । ସୀତାରାମ ସିପିଆଇଏମର ବରିଷ୍ଠ ସଦସ୍ୟ । ସେ ୧୯୯୬ ମସିହାରେ ୟୁନାଇଟେଡ୍ ଫ୍ରଣ୍ଟସରକାର ପାଇଁ କମନ୍ ମିନିମମ୍ ପ୍ରୋଗ୍ରାମ ପ୍ରସ୍ତୁତ କରିବାରେ ପି. ଚିଦାମ୍ବରମଙ୍କ ସହ ସହଯୋଗ କରିଥିଲେ । ୨୦୦୪ ଉପା ସରକାର ଗଠନ ସମୟରେ ସେ ବହୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ସେ ଛାତ୍ର ସମୟରୁ ରାଜନୀତି ଯାତ୍ରା ଆରମ୍ଭ କରିଥିଲେ । ପ୍ରଥମେ ଏସଏଫ୍ଆଇରେ ଯୋଗ ଦେଇ ଛାତ୍ର ରାଜନୀତି ଆରମ୍ଭ କରିଥିଲେ । ପରେ ୧୯୭୫ରେ ଆନୁଷ୍ଠାନିକ ଭାବେ ସିପିଆଇଏମରେ ଯୋଗ ଦେଇଥିଲେ ।
୧୯୭୫ ମସିହାରେ ସେ ଜେଏନୟୁରେ ଅର୍ଥନୀତି ରେ ପିଏଚଡି ଅଧ୍ୟୟନ କରୁଥିବା ବେଳେ ଜାତୀୟ ରାଜନୀତିରେ ଅଂଶ ଗ୍ରହଣ କରି ଏମର୍ଜେନ୍ସୀ ବେଳେ ଗିରଫ ହୋଇଥିଲେ । ଫଳରେ ପାଠପଢା ଅଧାରୁ ବନ୍ଦ ହୋଇଥିଲା । ପରେ ଜେଲରୁ ମୁକୁଳି ଜେଏନୟୁର ଛାତ୍ର ସଭାପତି ହୋଇଥିଲେ । ଏହି ସମୟରେ ବାମପନ୍ଥୀ ନେତା କମ୍ରେଡ ପ୍ରକାଶ କରାତଙ୍କ ସହ ସଂପର୍ଶରେ ଆସିଥିଲେ । ୧୯୯୨ ମସିହାରେ ସେ ସିପିଆଇଏମର ପଲିଟିବ୍ୟୁରୋ ମେମ୍ବର ଭାବେ ମନୋନୀତ ହୋଇଥିଲେ ।