ମୋଦି ସାଙ୍ଗିଆ ମାନହାନୀ ମାମଲାର ଶୁକ୍ରବାର ଶୁଣାଣି
ନୂଆଦିଲ୍ଲୀ: ମୋଦି ସାଙ୍ଗିଆ ମାନହାନୀ ମାମଲାର ଶୁକ୍ରବାର ଶୁଣାଣି । ରାହୁଲ ଗାନ୍ଧିଙ୍କ ୨ ବର୍ଷ ଜେଲ୍ ଦଣ୍ଡାଦେଶ ଆବେଦନ ଉପରେ ଶୁଣାଣି କରିବେ ସୁପ୍ରିମକୋର୍ଟ । ଜଷ୍ଟିସ ବି.ଆର ଗଭଇ ଏବଂ ପି.କେ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିବେ । ଯଦି ସର୍ବୋଚ୍ଚ ଅଦାଲତ ତାଙ୍କ ଦଣ୍ଡାଦେଶ ଉପରେ ରୋକ୍ ଲଗାନ୍ତି ତେବେ ରାହୁଲ ଲୋକସଭା ସଦସ୍ୟ ପଦ ଫେରି ଫାଇବା ସହ ଆସନ୍ତା ବର୍ଷ ଲୋକସଭା ନିର୍ବାଚନ ଲଢିପାରିବେ ।
ନିମ୍ନ ଅଦାଲତଙ୍କ ଦଣ୍ଡାଦେଶ ଓ ଦୁଇ ବର୍ଷ ଜେଲ ଦଣ୍ଡ ଉପରେ ରୋକ୍ ଲଗାଇବା ଆବେଦନକୁ ଗୁଜରାଟ ହାଇକୋର୍ଟ ଖାରଜ କରିଥିଲେ । ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ରାହୁଲ। ଜୁଲାଇ ୧୫ ତାରିଖରେ ଏନେଇ ଆବେଦନ କରି ରାହୁଲ ଦର୍ଶାଇଥିଲେ ଯେ ଯଦି ତାଙ୍କୁ କରାଯାଇଥିବା ଦଣ୍ଡ ସ୍ଥଗିତ ନ ହୁଏ ତେବେ ବାକ୍ ସ୍ବାଧୀନତାର ଏହା କଣ୍ଠରୋଧ କରିବ। ରାହୁଲଙ୍କୁ ୨ ବର୍ଷ କାରାଦଣ୍ଡ ହୋଇଥିବାରୁ ତାଙ୍କର ସାଂସଦ ପଦ ରଦ୍ଦ କରାଯାଇଛି। ଏବେ ସୁପ୍ରିମକୋର୍ଟରୁ ନ୍ୟାୟ ପାଇବା ଆଶାରେ ଅଛନ୍ତି ରାହୁଲ।
ଗତ ମାର୍ଚ୍ଚ ୨୩ ତାରିଖରେ ସୁରଟ ଜିଲ୍ଲା ମାଜିଷ୍ଟ୍ରେଟ୍ ଙ୍କ କୋର୍ଟ ରାହୁଲଙ୍କ ମୋଦି ସାଙ୍ଗିଆ ମାମଲା ଉପରେ ଶୁଣାଣି କରି ରାୟ ପ୍ରକାଶ କରିଥିଲେ । ରାହୁଲ ଗାନ୍ଧିଙ୍କୁ ଦୋଷୀ ସାବ୍ୟସ୍ତ କରି ୨ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ । ପରେ ନିୟମ ଅନୁଯାୟୀ ରାହୁଲ ଗାନ୍ଧିଙ୍କ ତୁରନ୍ତ ଲୋକସଭା ସଦସ୍ୟତା ରଦ୍ଦ ହୋଯାଇଥିଲା । ଏହାପରେ ରାହୁଲ ସୁରଟର ସେସନସ୍ କୋର୍ଟରେ ଅପିଲ କରିଥିଲେ । ସେସନସ୍ କୋର୍ଟ ଏପ୍ରିଲ ୨୦ତାରିଖରେ ଜାମିନ ଦେବା ସହ ଦଣ୍ଡାଦେଶ ଉପରେ ରୋକ୍ ଲଗାଇବାକୁ ମନା କରି ଦେଇଥିଲେ । ଫଳରେ ରାହୁଲ ଗାନ୍ଧି ହାଇକୋର୍ଟଙ୍କ ଦ୍ବାରସ୍ତ ହୋଇଥିଲେ ।