ଆଜି ଚିତାଲାଗି ନୀତି, ୨ଟାରୁ ସନ୍ଧ୍ୟା ୬ଟା ସର୍ବସାଧାରଣ ଦର୍ଶନ ମନା

ଆଜି ଚିତାଲାଗି ନୀତି, ୨ଟାରୁ ସନ୍ଧ୍ୟା ୬ଟା ସର୍ବସାଧାରଣ ଦର୍ଶନ ମନା

ପୁରୀ: ସୋମବାର ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଚିତାଲାଗି ନୀତି ଅନୁଷ୍ଠିତ ହେବ । ଏଣୁ ଅପରାହ୍ନ ୨ଟାରୁ ୬ଟା ପର୍ୟ୍ୟନ୍ତ ଠାକୁରଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଭୋଗମଣ୍ଡପ ଶେଷ ପରେ ଠାକୁରଙ୍କ ଏହି ସ୍ୱତନ୍ତ୍ର ନୀତି ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।
ସ୍ନାନପୂର୍ଣ୍ଣମୀରେ ଠାକୁରେ ଅଣସରକୁ ବିଜେ ସମୟରେ ଏହି ରତ୍ନଚିତା କଢ଼ା ଯାଇଥିଲା । ଆଜି ଅସଲ ରତ୍ନଚିତା ଲାଗି ହେବ । ଭୋଗମଣ୍ଡପ ନୀତି ସରିବା ପରେ ଏହି ବିଶେଷ ନୀତି ସମ୍ପନ୍ନ ହେବ । ତିନିବାଡ଼ର ବାଡ଼ଗ୍ରାହୀ ଓ ଦଇତାପତି ଏହି ଅଳଙ୍କାର ଶ୍ରୀଅଙ୍ଗରେ ଲାଗି କରିବେ । ଶୁଦ୍ଧସୁଆରମାନେ ରତ୍ନସିଂହାସନ ତଳେ ସ୍ୱର୍ଣ୍ଣ ଓଷ ପ୍ରସ୍ତୁତ କରିବେ । ବାଡ଼ଗ୍ରାହୀମାନେ ଶୁଦ୍ଧସୁଆର ଦେଇଥିବା ଓଷ ଚିତାରେ ଲାଗି କରାଇବେ । ପାଟରା ଦେଇଥିବା ପାଟଡୋର ଫିତାରେ ବାନ୍ଧି ଶ୍ରୀମସ୍ତକରେ ଚିତା ଲାଗି ହେବ ।

ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ସ୍ନାନମଣ୍ଡପରୁ ମହାପ୍ରଭୁ ଶ୍ରୀଜଗନ୍ନାଥ,ଶ୍ରୀବଳଭଦ୍ର ଏବଂ ଦେବୀ ସୁଭଦ୍ରା ଅଣସର ପିଣ୍ଡିକୁ ବିଜେ ହେବା ପରେ ତିନିଦିଅଁଙ୍କ ମଥାରୁ ରତ୍ନପଥର ଖଚିତ ଦୁର୍ମୂଲ୍ୟ ଚିତାମାନ ଓଳାଗି କରିଦିଆଯାଏ । ଅଣସର ଲୀଳା ପରେ ନବଯୌବନ ଦର୍ଶନ, ଦଶାବତାର ଯାତ୍ରା ଓ ନୀଳାଦ୍ରି ବିଜେ ପରେ ଶ୍ରୀଜଗନ୍ନାଥ ମହାପ୍ରଭୁ ନିତ୍ୟନୈମିତ୍ତିକ ଲୀଳାରେ ମଜ୍ଜି ରହନ୍ତି । ଏ ସମୟରେ ସ୍ୱର୍ଣ୍ଣକାର ଦେଇଥିବା ସୋଲ ଚିତା ତିନିଦିଅଁଙ୍କ ମଥାରେ ଶୋଭା ପାଉଥାଏ । ଶ୍ରାବଣ ଅମାବାସ୍ୟା ଦିନ ହିଁ ସୋଲ ଚିତା ସ୍ଥାନରେ ପୁଣି ରତ୍ନଖଚିତ ଚିତା ଅଳଙ୍କାର ପ୍ରଭୁଙ୍କ ଠାରେ ଲାଗି ହୋଇଥାଏ । ଏଣୁ ଏହି ଅମାବାସ୍ୟା ଦିନଟି ଚିତାଲାଗି ଅମାବାସ୍ୟା ନାମରେ ଓଡ଼ିଶାରେ ଖ୍ୟାତ ।