ଆହୁରି ବର୍ଷିବ: ୨୩ ଜିଲ୍ଲାକୁ ଆଲର୍ଟ

ଆହୁରି ବର୍ଷିବ: ୨୩ ଜିଲ୍ଲାକୁ ଆଲର୍ଟ

ଭୁବନେଶ୍ୱର: ମଙ୍ଗଳବାର ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ ଉତ୍ତର ଆଭ୍ୟନ୍ତରୀଣ ସମେତ କେତେକ ଉପକୂଳ ଜିଲ୍ଲାରେ । ବୁଧବାର ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ପ୍ରବଳତର ବର୍ଷା ଢାଳିପାରେ ।ଉତ୍ତର ବଙ୍ଗୋପସାଗର (ପଶ୍ଚିମବଙ୍ଗ ଓ ବାଲେଶ୍ୱର ଉପକୂଳ)ରେ ସୃଷ୍ଟି ହୋଇଥିବା ଲଘୁଚାପ ସୋମବାର ରାତିରେ ଆହୁରି ଘନୀଭୂତ ହୋଇ ଅବପାତ ରୂପ ନେବ । ଏହା ପ୍ରଭାବରେ ରାଜ୍ୟରେ ଆଉ ଦୁଇଦିନ ପ୍ରବଳ ବର୍ଷା ସମ୍ଭାବନା ଅଛି । ବହୁ ଜାଗାରେ ବର୍ଷା ପରିମାଣ ୬୫ ମିମିରୁ ୧୧୫ ମିମି ପର୍ୟ୍ୟନ୍ତ ରହିପାରେ । ସମ୍ଭାବ୍ୟ ପ୍ରବଳ ବର୍ଷା ନେଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ୟ୍ୟାଳୟ ପକ୍ଷରୁ ସମସ୍ତ ଜିଲ୍ଲାପାଳ, କୃଷି ବିଭାଗ, ଜଳ ସମ୍ପଦ, ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା, ପୁଲିସ, ନଗର ଉନ୍ନୟନ ବିଭାଗକୁ ସତର୍କତା ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ପାଣିପାଗ ବିଭାଗ ସୂଚନା ମୁତାବକ, ମଙ୍ଗଳବାର ରାଜ୍ୟର ଅଧିକାଂଶ ସ୍ଥାନରେ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ହୋଇପାରେ । ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ଦେବଗଡ଼, ସମ୍ବଲପୁର, ସୋନପୁର, ବୌଦ୍ଧ, ସୁନ୍ଦରଗଡ଼, କଟକ, ବାଲେଶ୍ୱରରେ ପ୍ରବଳରୁ ପ୍ରବଳତର ବର୍ଷା ଆଶଙ୍କା ଅଛି । ଏ ୧୩ ଜିଲ୍ଲା ପାଇଁ ଅରେଞ୍ଜ୍‌ ୱାର୍ଣ୍ଣିଂ ଜାରି ହୋଇଛି । ଏହାବାଦ୍‌ କେନ୍ଦ୍ରାପଡ଼ା, ଜଗତସିଂହପୁର, ଝାରସୁଗୁଡ଼ା, ବରଗଡ଼, ନୟାଗଡ଼, ଖୋର୍ଦ୍ଧା, ପୁରୀ, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗିର ଓ ନୂଆପଡ଼ାର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ଆଶଙ୍କା ଅଛି । ଏହି ୧୦ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।୨ ତାରିଖରେ ରାଜ୍ୟର ଅଧିକାଂଶ ଜାଗାରେ ବର୍ଷା ସମ୍ଭାବନା ଅଛି । ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ସୋନପୁର, ବୌଦ୍ଧ, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳର ଗୋଟିଏ ଦୁଇଟି ଜାଗାରେ ପ୍ରବଳରୁ ପ୍ରବଳତର ବର୍ଷା ଆଶଙ୍କା ଅଛି । ମୟୂରଭଞ୍ଜ, ବାଲେଶ୍ୱର, ଢେଙ୍କାନାଳ, କଟକ, ନୟାଗଡ଼, ନବରଙ୍ଗପୁରରେ ପ୍ରବଳ ବର୍ଷା ହୋଇପାରେ । ୩ରେ ଉତ୍ତର ଆଭ୍ୟନ୍ତରୀଣ ଅଂଚଳରେ ଅଧିକ ବର୍ଷା ସମ୍ଭାବନା ରହିଛି । ୪ରୁ ବର୍ଷା କମିପାରେ ।