ଆସିଲା ବଡ ଖବର : ଜାନୁଆରୀ ୧୬ରୁ ଦେଶରେ ଟିକାକରଣ ହେବ
ଆସିଲା ବଡ ଖବର : ଜାନୁଆରୀ ୧୬ରୁ ଦେଶରେ ଟିକାକରଣ ହେବ
admin
Jan 9, 2021 - 11:22
Updated: Jan 9, 2021 - 11:22
ଭୁବନେଶ୍ୱର:ବହୁ ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି । ଆସନ୍ତା ଜାନୁଆରୀ ୧୬ ତାରିଖରୁ ଦେଶରେ କୋରନା ଟିକାକରଣ ଆରମ୍ଭ ହେବ । ୧୬ରୁ ଟିକାକରଣ ନେଇ କେନ୍ଦ୍ର ସରକାର ନିଷ୍ପତି ନେଇଛନ୍ତି । ଟିକା ନେଇ ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମିଟିଂ ବସିଥଲା । ମିଟିଂରେ କ୍ୟାବିନେଟ ସଚିବ ଓ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ସାମିଲ ଥିଲେ । ପ୍ରଥମ ପର୍ଯ୍ୟାୟରେ ୩ କୋଟି ଲୋକଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି । ପ୍ରଥମେ ସ୍ୱାସ୍ଥ୍ୟ କର୍ମୀ ଏବଂ ସମ୍ମୁଖ କର୍ମୀଙ୍କୁ ଟିକା ଦିଆଯିବ । ପରେ ୫୦ ବର୍ଷରୁ ଅଧିକ ବୟସ୍କ ଓ ବହୁବିଧ ରୋଗାକ୍ରାନ୍ତଙ୍କୁ ଟିଆ ଦିଆଯିବ ବୋଲି ବ୍ୟବସ୍ଥା ହୋଇଛି । ବୟସ୍କ ଓ ବହୁବିଧ ରୋଗାକ୍ରାନ୍ତ ପ୍ରାୟ ୨୭ କୋଟି ଲୋକଙ୍କୁ ଟିକା ଦିଆଯିବ ।
ଇତିମଧ୍ୟରେ ଦେଶରେ ତୃତୀୟ ପର୍ଯ୍ୟାୟ କୋଭିଡ଼ ୧୯ ଟୀକାକରଣର ଡ୍ରାଏ ରନ କରାଯାଇସାରିଛି । ଗତକାଲି ସାରା ଦେଶର ବିଭିନ୍ନ ଜିଲ୍ଲାରେ ଡ୍ରାଏ ରନ ହୋଇଥିଲା । ଟୀକାକରଣ ସଂକ୍ରାନ୍ତରେ ଆସନ୍ତା ୧୧ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।
ଦେଶର ୩୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ୬୧୫ ଜିଲ୍ଲାରେ ଡ୍ରାଏ ରନ ଶେଷ ହୋଇଛି । ଜାନୁଆରୀ ୨ରୁ ପ୍ରଥମ ପର୍ଯ୍ୟାୟ ଡ୍ରାଏ ରନ ଆରମ୍ଭ ହୋଇଥିଲା । ଟୀକା କିଭଳି ଆସିବ, କିଭଳି ସଂରକ୍ଷିତ ରହିବ, କିଭଳି ଲୋକଙ୍କୁ ଟୀକା ଦିଆଯିବ ଆଦି ସଂକ୍ରାନ୍ତୀୟ ପ୍ରସ୍ତୁତି ଶେଷ ହୋଇସାରିଛି ।
ଭାରତୀୟ ଭେଷଜ ମହାନିୟନ୍ତ୍ରକ (ଡିସିଜିଆଇ) ଦେଶରେ ଜରୁରୀକାଳନୀ ପରିସ୍ଥିତିରେ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିଥିବା ଭାରତ ବାୟୋଟେକ ଦ୍ୱାରା ବିକଶିତ କୋଭିଡ ଟିକା ‘କୋଭାକ୍ସିନ’ କେବଳ ୧୨ ବର୍ଷରୁ ଅଧିକ ବୟସ୍କଙ୍କ ଠାରେ ପ୍ରୟୋଗ କରାଯିବ ବୋଲି ଜଣାଯାଇଛି । ସେହିପରି ଅନୁରୂପ ଅନୁମତି ପାଇଥିବା ସିରମ ଇନଷ୍ଟିଚୁ୍ୟଟ ଦ୍ୱାରା ପ୍ରସ୍ତୁତ ‘କୋଭିସିଲଡ’ ଟିକାକୁ କେବଳ ୧୮ ବର୍ଷରୁ ଅଧିକ ବୟସ୍କମାନେ ହିଁ ନେଇପାରିବେ ବୋଲି କୁହାଯାଇଛି । ଦେଶରେ ହେବାକୁ ଥିବା ବିଶାଳ ଟିକାକରଣକୁ ଦୃଷ୍ଟିରେ ରଖି ଗତକାଲି ଏଭଳି ଡିସିଜିଆଇଙ୍କ ଠାରୁ ନିର୍ଦ୍ଧିଷ୍ଟ ଅନୁମତି ପାଇଥିବା ଉଭୟ ଟିକାର ଦୁଇଟି ଡୋଜ ହିଁ ହିତାଧିକାରୀମାନେ ନେଇପାରିବେ ।