କଂଗ୍ରେସ ଘୋଷଣା କରିପାରେ ପ୍ରାର୍ଥୀ ତାଲିକା
କଂଗ୍ରେସ ଘୋଷଣା କରିପାରେ ପ୍ରାର୍ଥୀ ତାଲିକା
admin
Mar 16, 2019 - 06:07
Updated: Mar 16, 2019 - 06:07
ଭୁବନେଶ୍ୱର : ୧୧ ଅପ୍ରେଲରେ ହେବ ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ମାର୍ଚ୍ଚ ୧୮ରୁ ବିଜ୍ଞପ୍ତି ପ୍ରକାଶ ସହ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଯିବ । ଏଥିପାଇଁ ସବୁ ଦଳର ପ୍ରାର୍ଥୀ ଚୟନ କସରତ ଜୋରଧରିଛି । ଶନିବାର ଏଆଇସିସିର ସ୍କି୍ରନିଂ କମିଟି ଓ ସିଇସିରେ ରାଜ୍ୟ କଂଗ୍ରେସର ପ୍ରଥମ ପର୍ଯ୍ୟାୟ ତାଲିକା ଉପରେ ମୋହର ବାଜିବ । ଫଳରେ କଂଗ୍ରେସ ଶିବିର ଚଳଚଂଚଳ ହୋଇପଡିଛି । କାହା ନାମ ଉପରେ ଏଆଇସିସି ସଭାପତି ରାହୁଲ ଗାନ୍ଧୀଙ୍କ ମୋହର ବାଜିବ ସେନେଇ ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଯାଇଛି ।
ମିଳିଥିବା ସୂଚନାନୁସାରେ କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ବ୍ରହ୍ମପୁର, କନ୍ଧମାଳ, ଆସିକା, ବରଗଡ଼, ବଲାଙ୍ଗୀର, ସୁନ୍ଦରଗଡ଼, କଟକ, ଭୁବନେଶ୍ୱର, ପୁରୀ, ଢେଙ୍କାନାଳ, କେନ୍ଦୁଝର ଓ ସମ୍ବଲପୁର ପାଇଁ ଦଳ ଚୂଡ଼ାନ୍ତ ନିଷ୍ପତି ନେଇସାରିଛି । ଭୁବନେଶ୍ୱର ଆସନଟି ସିପିଏମ, ଆସିକା ସିପିଆଇ ଓ ମୟୂରଭଞ୍ଜ ଆସନକୁ ଜେଏମଏମକୁ ଦେବା ପାଇଁ କଂଗ୍ରେସ ନିଷ୍ପତି ନେଇସାରିଛି । ଅବଶିଷ୍ଟ ଆସନ ପାଇଁ କିଏ ଲୋକସଭା ପ୍ରାର୍ଥୀ ହେବେ ତାହା ସ୍ଥିର ହୋଇସାରିଛି ।
ଅପରପକ୍ଷରେ ଚତୁର୍ଥ ପର୍ଯ୍ୟାୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଆସନ ନିମନ୍ତେ ପ୍ରାଥୀ ଚୂଡ଼ାନ୍ତ କରାଯିବ । ବାଲେଶ୍ୱରରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକଙ୍କ ନାମକୁ ଚୂଡାନ୍ତ କରାଯିବ ବୋଲି ଜାଣିବାକୁ ମିଳିଛି । ସେହିପରି ଭଦ୍ରକରୁ ପୂର୍ବତନ ସାଂସଦ ଅନନ୍ତ ସେଠୀ ପ୍ରାର୍ଥୀ ହେବେବୋଲି କୁହାଯାଉଥିଲା । କିନ୍ତୁ ଅନନ୍ତଙ୍କ ବଦଳରେ ତାଙ୍କ ପୁଅ ଚିରଞ୍ଜିବୀ କିମ୍ବା ପଂଚାନନ ମଣ୍ଡଳଙ୍କ ନାମକୁ ନେଇ ଚର୍ଚ୍ଚା ହେଉଛି । ଅପରପକ୍ଷରେ ଯାଜପୁରରୁ ମହିଳାଙ୍କୁ ପ୍ରାର୍ଥୀ କରାଯିବ ବୋଲି କୁହାଯାଉଛି ।
ସେହିପରି ବିଧାନସଭା ନିର୍ବାଚନ ପାଇଁ କାହାକୁ ଟିକେଟ ମିଳିବ ସେନେଇ ବିଭିନ୍ନ ଗଣମାଧ୍ୟମ ଓ କଂଗ୍ରେସ ଅଳିନ୍ଦରେ ଅନେକ ଚର୍ଚ୍ଚା ଘୂରିବୁଲୁଛି । ଭଦ୍ରକରୁ ନଳିନୀକାନ୍ତ ମହାନ୍ତି, ଆନନ୍ଦପୁରରୁ ଜୟଦେବ ଜେନା, ଆଳିରୁ ଦେବେନ୍ଦ୍ର ଶର୍ମା, ବାଲେଶ୍ୱରରୁ ମାନସ ଦାସପଟ୍ଟନାୟକ, ବାସୁଦେବପୁରରୁ ଅଶୋକ ଦାସ, ସୁକିନ୍ଦାରୁ ଶରତ ରାଉତ, ଜଳେଶ୍ୱରରୁ ସୁଦର୍ଶନ ଦାସ, କୋରେଇରୁ ବନ୍ଦିତା ପରିଡ଼ା, କାକଟପୁରରୁ ବିଶ୍ୱଭୂଷଣ ଦାସ, ନିମାପଡ଼ାରୁ ସତ୍ୟବ୍ରତ ସାହୁ, ଜଗତସିଂହପୁରରୁ ଚିରଞ୍ଜିବୀ ବିଶ୍ୱାଳ, ରେମୁଣାରୁ ତୁଷାରକାନ୍ତ ତପସ୍ୱୀ, ଭଣ୍ଡାରିପୋଖରୀରୁ ନିରଞ୍ଜନ ପଟ୍ଟନାୟକ, ଧର୍ମଶାଳାରୁ ସ୍ମୃତିରେଖା ପହି ଓ ଧାମନଗରରୁ ବିଦ୍ୟାଧର ଜେନାଙ୍କୁ ଟିକେଟ ମିଳିବା ନେଇ କୁହାଯାଉଛି । ଅପରପକ୍ଷରେ ଜେଏମଏମ ବାଙ୍ଗିରିପୋଷୀ, ଯଶୀପୁର ଓ ଉଦଳାରେ ଲଢ଼ିବବୋଲି ଜାଣିବାକୁ ମିଳିଛି । ଫଳରେ କଂଗ୍ରେସ ଏହି ତିନି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବ ନାହିଁ ।